Unknown

 

 

 

 

 

 

 

 

 

 

 

ପୁନରାବୃତ୍ତି

ଶ୍ରୀ ଭାଗୀରଥି ନେପାକ

 

 

 

 

 

 

 

ମାଲୟାଲୀ ସାହିତ୍ୟର ସୁପ୍ରତିଷ୍ଠିତ ଲେଖକ,

 

ଶ୍ରୀଯୁକ୍ତ ପି. କେ. ରାଜରାଜାବର୍ମା

(P. K. Raj Raj Verma) ଙ୍କୁ

ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ–

 

ବିନୀତ

ଲେଖକ

Image

 

ଅଶୋକ ପାତ୍ର ଲଫାପାର ଠିକଣାରୁ କିଛିହେଲେ ବୁଝି ପାରିଲା ନାହିଁ । କାରଣ ଏ ନୂଆ ହସ୍ତାକ୍ଷର ସଙ୍ଗେ ତାର ପୂର୍ବରୁ କେବେହେଲେ ପରିଚୟ ହୋଇନାହିଁ । ସେ ତର ତର ହୋଇ ମୁଦା–ଲଫାପାର ଚିଠି ଖୋଲିଲା ।

 

ବୀରେନ୍ଦ୍ର କାନୁନ୍‌ଗୋର ଚିଠି । ସୁଦୂର ପାରିକୁଦରୁ ଚିଠି ଲେଖିଛି । କଣ ଲେଖିଛି ? ଏତେଦିନ ପରେ ମନେ ପଡ଼ିଲା ।

 

ପାରିକୁଦ ନାଁ ସଙ୍ଗେ ସୃଷ୍ଟିର ଶ୍ରେଷ୍ଠତମ ସୌନ୍ଦର୍ଯ୍ୟର ସମ୍ପର୍କ ରହିଛି । ଦର୍ଶକ ଆଖିରେ ସେ ସବୁଦିନ ରୋମାଞ୍ଚକର । ଦିଗନ୍ତ ବିସ୍ତୃତ ନୀଳ ଚିଲିକା ଭିତରେ ସେ ଭାନୁମତୀର କୁହୁକ ବୋଳା ଦେଶ । ତାର ଅନବଦ୍ୟ ରୂପଶ୍ରୀ ନେଇ କଳାକାର ଆଖିରେ ପାରିକୁଦ ଏକ ସଜୀବ ରୂପ କବିତା ହୋଇ ରହିଯାଏ ।

 

ପାରିକୁଦର ସ୍ମୃତିକୁ ଥରେ ମନେ ପକାଇଲେ; ବୀରେନ୍ଦ୍ର, ମାୟାଧର ପ୍ରଭୃତି କେତେକ ପ୍ରାଣମୟ ଚରିତ୍ର ଆସି ଆଖି ଆଗରେ ଛିଡ଼ା ହୁଅନ୍ତି । ସ୍କୁଲ ଶିକ୍ଷକ ପଟ୍ଟନାୟକ ବାବୁ ଓ ପୋଲିସ ଅଫିସରଙ୍କ ଦରଦୀ କଥା କେଇପଦ କାନରେ ବାଜେ । ଅଶୋକ ପାତ୍ର ଅତୀତକୁ ଫେରିଯାଏ । ବର୍ତ୍ତମାନର ସ୍ଥିତି ଉପରେ ସେ ଅତୀତର କୌଣସି ସାମଞ୍ଜସ୍ୟ ନାହିଁ ।

 

ବୀରେନ୍ଦ୍ର କାନୁନ୍‌ଗୋ ଚିଠି ଦେଇଛି । ପାରିକୁଦରେ ଅନେକ କିଛି ପରିବର୍ତ୍ତନ ହେବଣି-। ଯୁଗର ପ୍ରଗତି ସଙ୍ଗେ ସେ ମଧ୍ୟ ପାଦ ମିଳାଇ ଚାଲୁଛି । ପାରିକୁଦର ସର୍ବାଙ୍ଗୀନ ଉନ୍ନତି ହେଉ-

 

‘‘ବୁଝିଲେ ଅଶୋକ ବାବୁ, ମୁଁ ପାରିକୁଦକୁ ଆଦରି ନେଇଛି । ପରିବର୍ତ୍ତନ ଆଦେଶକୁ ସ୍ୱଇଚ୍ଛାରେ କଟାଇ ଦେଇ ଆସିଲି । କାହିଁକି ଜାଣନ୍ତି ? ସେଇ ଝିଅଟି ପାଇଁ । ମନେ ଅଛିତ ? ଗଲାଦିନ ସକାଳେ ମୋତେ ଚିହ୍ନାଇ ଦେଇ ଯାଇଥିଲେ ! ତାରି ସଙ୍ଗେ ବିବାହ କରୁଛିଁ । ଆପଣ ସମୟ କରି ନିଶ୍ଚୟ ଆସିବେ ।

 

ବନଲତାଙ୍କ କଥା ମନେଥିବ ନିଶ୍ଚୟ ! ତାଙ୍କ ଭଉଣୀ ବି.ଏ. ପାଶ କରିଛନ୍ତି । ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଆପଣଙ୍କ ସଙ୍ଗେ ପରାମର୍ଶ କରିବେ ବୋଲି କହୁଥିଲେ । ଯଦି ପାରିକୁଦକୁ ମନେ ରଖିଥାନ୍ତି ଓ ଆମପ୍ରତି ଟିକିଏ ବି’ ସହାନୁଭୂତି ଥାଏ, ତେବେ ନ ଆସିବାର କରିବେ ନାହିଁ ।’’

 

ବୀରେନ୍ଦ୍ରର ବିବାହ ନିଶ୍ଚୟ ଖୁସି ଖରବଟିଏ । ତା ସଙ୍ଗେ ବଳଲତା ଦାସର ଆଗ୍ରହକୁ କଣ ଏଡ଼ାଇ ଦେଇ ହୁଏ ?

 

ଅଶୋକ ପାତ୍ର ସମ୍ମତି ଜଣାଇ ଦୁଇଟି ଚିଠି ଲେଖିଲା । ପ୍ରଥମ ଚିଠିରେ ବୀରେନ୍ଦ୍ର, କାନୁନ୍‌ଗୋର ଠିକଣା ଲେଖି ଦ୍ୱିତୀୟ ଚିଠିର ଠିକଣା ଲେଖିଲାବେଳେ ହାତର କଲମଟି ଥରି ଉଠିଲା ।

 

ତାର ଖାଲି ମନେ ପଡ଼ୁଥାଏ ଚିଲିକା ପରିବେଷ୍ଟିତ ପାରିକୁଦ କଥା । ଅନେକ ଦିନ ତଳେ.....

 

ପରିଶେଷରେ ଚିଲିକା ଦେଖିବାର ସୁଯୋଗ ମିଳିଲା ।

 

ଏଇ ସୌନ୍ଦର୍ଯ୍ୟମୟୀ ଚିଲିକା !

 

ଚିଲିକା ତାର ସମ୍ଭ୍ରାନ୍ତ ରୂପଶ୍ରୀ ନେଇ ଯୁଗେ ଯୁଗେ ଶିଳ୍ପୀ ଓ କଳାକାର ପ୍ରାଣରେ ଆଲୋଡ଼ନ ସୃଷ୍ଟି କରି ଆସିଛି ।

 

ଚିଲିକା ଦେଖି ଅଶୋକ ପାତ୍ରର ଅନୁରାଗୀ ମନ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଲା ସେ ସବୁ ଅବିକଳ ଭାବରେ ପ୍ରକାଶିତ ହୋଇ ପାରିଥିଲା, ତାହା ହୋଇଥାନ୍ତା ବିଶ୍ୱର ଏକ ଅନବଦ୍ୟ ମହାକାବ୍ୟ !

 

ଅଶୋକ ପାତ୍ର ଚିଲିକାର ନୀଳକଳେବର ଭିତରୁ ଆଞ୍ଜୁଳାଏ ପାଣି ଧରି ଭାବୁଥିଲା, ତା ହୃଦୟର ଆନନ୍ଦ ଓ ଆବେଗକୁ ଆଞ୍ଜୁଳା ଭିତରେ ରଖି ଉପଲବ୍‌ଧି କରୁଛି ।

 

ଚିଲିକାର ମୁଣ୍ଡ ଉପରେ ବାଦଲ-ଚାଦରରେ ମୁହଁ ଘୋଡ଼ାଇ ହୋଇ ଖଣ୍ଡିତ ଚନ୍ଦ୍ରଟା ଶୋଇଥିଲା ।

 

ନିଦ୍ରିତ ଚନ୍ଦ୍ରକୁ ବେଢ଼ି ଛୋଟ ଛୋଟ ତରୁ ସବୁ ଚେଇଁ ବସିଛନ୍ତି । ସେମାନେ ସୁସୁପ୍ତ ଚନ୍ଦ୍ରକୁ କଣ ଜଗିଛନ୍ତି ? ତରାର ତନ୍ଦ୍ରାତୁର ଆଖିରେ ରାଇଜଯାକର ଅଳସ । ତଥାପି ଅନେଇ, ଅନେଇ ପରସ୍ପର ଭିତରେ କଥାଭାଷା କରୁଛନ୍ତି । ମୁହୁର୍ମୁହୁଃ ହାଇ ମାଇଲା ବେଳେ ଦେହଟାମାନ ସଙ୍କୁଚିତ ହୋଇ ଯାଉଛି ।

 

ସେମାନେ କି କଥା ହେଉଥିବେ ?

 

ଅଶୋକ ପାତ୍ର ‘ଚିଲିକା-ରାଣୀ’ ର କାନ୍‌ଭାସ୍‌କୁ

 

ନ ଆଡ଼େଇ ଆକାଶର ନିସ୍ତବ୍‌ଧ-ଦେହ ଆଉ ଚିଲିକାର ନିସ୍ତରଙ୍ଗ ନୀଳ ଜଳକୁ ଅନାଇଲା । ଏ ପୃଥିବୀ ଓ ଆକାଶର ଭାଷାକୁ ମଣିଷ ବୁଝିପାରେ ନାହିଁ । ଏତେଦିନ ଚଳପ୍ରଚଳ ପରେ ବି ମନେ ହୁଏ, କୌଣସିଟିକୁ ସେ ଚିହ୍ନି ନାହିଁ ।

 

ପୃଥିବୀ ଆକାଶର ଭାଷା ତ ଆଉ ମଣିଷ ସମାଜର ନିତ୍ୟପ୍ରଚଳିତ ଭାଷା ନୁହେ ! ସେ ଭାଷା ଅଦୃଶ୍ୟ ଦେବତାର, ଯିଏ ଏ ଆକାଶ ଓ ପୃଥିବୀକୁ ସୃଷ୍ଟି କଲା । ତା ପରେ ଛାଡ଼ି ଦେଇଗଲା ନିର୍ବୋଧ ମଣିଷ ଶିଶୁ ସଙ୍ଗେ ପଶୁ, ପକ୍ଷୀ, ସ୍ଥାବର, ଜଙ୍ଗମ କେତେ କଥା । ଦେବତା ଏହାରି ଭିତରେ ପ୍ରତି ବୃକ୍ଷ, ପ୍ରତି ଲତା ଅନ୍ତରାଳରେ ଆତ୍ମଗୋପନ କରି ତାରି ସୃଷ୍ଟିକୁ ଚାହିଁଚି । ଆକଶ ଓ ପୃଥିବୀର ଅପରିଚିତ ରହସ୍ୟ ଭିତରେ ଆତ୍ମପ୍ରକାଶ କରିଛି । ହୁଏତ ଅଶୋକ ପାତ୍ର ଏହି ଅସଂଖ୍ୟ ରହସ୍ୟ ଭିତରୁ ଆଉ ଗୋଟିଏ ରହସ୍ୟ ! ଏ ଭାଷା ବୁଝିବାର କ୍ଷମତା ତାର ନାହିଁ ।

 

ଚିଲିକାର ଗର୍ଭ ଭିତରୁ ଚିଲିକାରାଣୀ (ବୋଟ୍‌)ର ପାଦ ଛୁଇଁ ଯେଉଁ ଧୀରେ, ଶୀତଳ ପବନ ଧୀରେ ବୋହିଗଲା, ସେ ନିଦ୍ରିତ ଚିଲିକାର ନିଃଶ୍ୱାସ । ବାଦଲ-ଚାଦରରୁ ମୁହଁ ଗଳାଇ, ଚନ୍ଦ୍ର ଏ ପୃଥିବୀକୁ ଚାହିଁଲାବେଳେ ତା ଦେହର ଜ୍ୟୋସ୍ନା ବାଲୁଗାଁର ମଥା ଉପରେ, ଭାଲେରୀ ଓ ସୁଲେରୀର ଅଗଣନ ବୃକ୍ଷଲତା ଦେହରେ ଯେଉଁ ଆଲୋଡ଼ନ ସୃଷ୍ଟି କଲା, ସେ ନିସ୍ତବ୍‌ଧ ଆକାଶର ହସ । ଖଲି ହସ ତ ନୁହେଁ ରସ ଉଚ୍ଛଳ ହସ !

 

ଅଶୋକ ପାତ୍ର ଚେଇଁ ଚେଇଁ ଅନନ୍ତ ପ୍ରକୃତିର ଅକୃତ୍ରିମ ଶୋଭା ସମ୍ପଦକୁ ଚାହିଁଥିଲା । ସେଇଠି ଜନଗହଳ ସହରର ଯାନ୍ତ୍ରିକ ପରିପ୍ରକାଶ ନାହିଁ କି ତୃଷ୍ଣାତୁର ମାନବର ଲୋହିତ ପିପାସା ନାହିଁ । ସବୁତକ ସ୍ୱଚ୍ଛ, ସୁନିର୍ମଳ, ଛଳ ଛଳ ଓ ଢଳ ଢଳ ! ମଣିଷ ପରି ଛନ୍ଦ, କପଟର ଧାର ଧରନ୍ତି ନାହିଁ ସେମାନେ । ଉଚ୍ଚାଭିଳାଷୀଟିଏ ପ୍ରାପ୍ତି ଆଶାରେ ଅଗ୍ରସର ହେଉଥିଲେ; ଅଜାଣତରେ ତା’ ପାଇଁ ରାସ୍ତା ମଝିରେ ଗର୍ତ୍ତ କରି ତାର ପଥରୋଧ କରିବାକୁ–ଚକ୍ରାନ୍ତ କରନ୍ତି ନାହିଁ । ଯାହା ଶିବ ଓ ସୁନ୍ଦର, ତାକୁହିଁ ନେଇ ସେମାନଙ୍କ ସଂସାର । ସେଇଥିପାଇଁ ସେମାନଙ୍କ ସଂସାର ସୁସ୍ଥ, ସୁନ୍ଦର ଓ ଅବିନଶ୍ୱର ।

 

ଅଶୋକ ପାତ୍ରର ଇଚ୍ଛା ହେଲା ସେ ଏହି ନିର୍ବାକ ଆକାଶର ତରାଟିଏ ହୁଏନ୍ତା, ଅଥବା ନିସ୍ତରଙ୍ଗ ନୀଳ ହ୍ରଦର ପଥର ଖଣ୍ଡେ ହୁଅନ୍ତା । ତାହାହେଲେ ହୁଏତ ନିରବ ପ୍ରକୃତିର କିଛିଟା ଭାଷା ବୁଝି ପାରନ୍ତା, କିଛିଟା କଥା କହି ପାରନ୍ତା !

 

ମାମୁଁ-ଭଣଜା ମୁହାଁମୁହିଁ ହୋଇ ବସିଛନ୍ତି । ଆଦିମ କାଳରୁ ଚିଲିକାର ଶୋଭା ସମ୍ପଦକୁ ସିପାହୀ ପରି ଜଗିଛନ୍ତି । ଘଣ୍ଟଶୀଳା ବି ଦାୟିତ୍ୱ ମୁଣ୍ଡାଇଛି । ଚିଲିକା ଦେହରୁ କୌଣସି କ୍ଷତିର ସମ୍ଭାବନା ଦେଖିଲେ ସେ ସମଗ୍ର ବାଣପୁର, ବାଲୁଗାଁ ଓ ପାରିକୁଦକୁ ସତର୍କ କରିଦେବ । ଭାଲେରୀ, ଭଉଣୀ ସୁଲେରୀ ସଙ୍ଗରେ ଚିଲିକାର କଥାବାର୍ତ୍ତା ହୋଇ ହୋଇ କେତେ ରାତି, କେତେ ଦିନ ବିତେଇ ଦେଲାଣି । ଭାଲେରୀ, ପାଖର ‘ଜଟିଆ ନାସୀ’ ନିଜର କର୍ତ୍ତବ୍ୟ ସମ୍ପାଦନ କରୁ କରୁ ଆସି ବୁଢ଼ା ହେଲା । ତା’ ମୁଣ୍ଡରେ ଜଟ ହୋଇ ଗଲାଣି । ବଡ଼ ବଡ଼ ପଥରର ଜଟ । ବଡ଼ ବଡ଼ ଗଛର ଜଟ । ଦୀପ ପର୍ବତ ବାଳ ମୁକୁଳା କରି ଚନ୍ଦ୍ର କିରଣରେ ତା’ ମୁଣ୍ଡବାଳ ଶୁଖାଉଛି । ଏ ସମସ୍ତଙ୍କ ଆଖି ଆଗରୁ ଚିଲିକାର ରୂପବିଭବକୁ କିଏ କଣ ଚୋରି କରି ନେଇ ପାରିବ ? ଏତିକି ସାହାସ କିଏ ପାଇଛି ?

 

ସେଇଥିପାଇଁ ଚିଲିକା ସବୁଦିନ ସୁନ୍ଦର, ସବୁଦିନ ଆଦରଣୀୟ ! କାରଣ ସେ ସୌନ୍ଦର୍ଯ୍ୟ-ସଂରକ୍ଷଣର ଦାୟିତ୍ୱ ମୁଣ୍ଡାଇଛନ୍ତି ପ୍ରକୃତିର ପ୍ରହରୀବୃନ୍ଦ ।

 

ପ୍ରକୃତିର କଲ୍ୟାଣୀୟା-କନ୍ୟା-ଚିଲିକା ଆଗନ୍ତୁକ ମନରେ ସ୍ୱପ୍ନ ସଂଚାର କରେ । ସେ ସବୁଦିନକୁ ମନେ ରହେ । ଓଡ଼ିଶାରେ ଏମିତି କଳାକାର ନାହିଁ, ଯେ ରୂପସୀ ଚିଲିକାକୁ ହସିଲା ଆଖିରେ ଅନାଉ ଅନାଉ ମୋହାଚ୍ଛନ୍ନ ହୋଇନାହିଁ । ଚିଲିକାର ଚିତ୍ତ-ଚଞ୍ଚଳ-କାରୀ ଭାଷା ତା ମନ-ସମୁଦ୍ରରେ ତରଙ୍ଗ ସୃଷ୍ଟି କରିନାହିଁ !

 

ଚିଲିକାହିଁ ସ୍ୱୟଂ ରୂପ କବିତାଟିଏ । କବିତା କଥା କହିପାରେ ନାହିଁ । ରସାଗ୍ରହୀ ନଥିଲେ ତା’ ଭାଷା ଅସ୍ପଷ୍ଟ ରହିଯାଏ; କିନ୍ତୁ ଚିଲିକା ରୂପ କବିତାର ଆପଣାର ଭାଷା ଅଛି । ନିଜକୁ ସେ ବିଚିତ୍ର ଭାବରେ ପ୍ରକାଶ କରିପାରେ । ଅରସିକ ହୃଦୟରେ ରସ ଓ ରସିକ ମନରେ ଆନନ୍ଦର ସାକାର ଶୈଳୀ ପରିବେଷଣ କରେ ।

 

ଅଶୋକ ପାତ୍ରର ଆଖିରୁ ଦିନ ଛାଡ଼ି ଯାଇଥିଲା ।

 

ଚନ୍ଦ୍ର ଓ ତାରା ଆଖିରେ ବି ଦିନ ନାହିଁ । ମାଛକାତିଆ ମେଘର ପଣତ ତଳେ ସେମାନେ ଲୁଚକାଳି ଖେଳୁଛନ୍ତି । ଖେଳ ଖେଳୁ ଖେଳୁ ଚିଲିକା ପାଣିରେ ମୁହଁ ଦେଖୁଛନ୍ତି । ପୁଣି ରହି, ରହି ହସୁଛନ୍ତି ।

 

ନିଝୁମ୍‌ ରାତିର ନିଶା ଲାଗିଛି ସ୍ଥଳ ଭାଗରେ । ତନ୍ଦ୍ରାର ଅଫିମ ଖାଇ ସେମାନେ ଢୁଳେଇ ଯାଇଛନ୍ତି । ସକାଳର ସୂର୍ଯ୍ୟ ଆସି ସେମାନଙ୍କ ନିଦ ଭାଙ୍ଗିବ । ସେତିକି ସମୟଯାଏ ବିଶ୍ରାମ ଯେ ଏକାନ୍ତ ଆବଶ୍ୟକ ! ଆଃ, ବିଚାରାମାନେ ଶୋଇଯାନ୍ତୁ ! ଜୀବନ ସଂଗ୍ରାମରେ କ୍ଷତ ବିକ୍ଷତ ହୋଇଥିବା ଶରୀରକୁ ସଜାଡ଼ି ନିଅନ୍ତୁ !!

 

ଅଧାରାତିରେ କିନ୍ତୁ ଅଶୋକ ପାତ୍ର ଶୋଇନାହିଁ । ଚିଲିକା ରାଣୀରେ ଉଜାଗର ବସି ସ୍ଥଳ ଓ ଜଳ ଭାଗର ସ୍ଥୂଳ ଓ ସୂକ୍ଷ୍ମ ଅନୁଭୂତିତକ ସଂଗ୍ରହ କରି ନେଉଛି ।

 

ଘଣ୍ଟଶୀଳା ପାଦରେକରି ଆଲୁଅର ପଥଟିଏ । ନୀଳ ରାତିରେ ସେ ସମୁଜ୍ଜ୍ୱଳ ଦେଖା ଯାଉଛି । ସ୍ଥଳ ଭାଗର ସବୁ ରହସ୍ୟକୁ ରୂପସୀ ଚିଲିକା ହାତରେ ବଢ଼ାଇ ଦେବାକୁ ଚନ୍ଦ୍ର ଏ ରାସ୍ତା କରିଛି । ତା’ରି କଡ଼କୁ ଲାଗି କଳା–ସଡ଼କ ପଡ଼ିଛି । ତାର ସ୍ଥିତି ନାହି ସତ କିନ୍ତୁ ମନେ ହେବ, ଆଦିମ କାଳରୁ ସେ ସୃଷ୍ଟ । ଚିଲିକା ଓ ଆକାଶ ପରି ପ୍ରକୃତିର ସେ ଏକ ବର୍ହିଃ ପ୍ରକାଶ ।

 

ବାଲୁଗାଁ ଘାଟରେ ନଙ୍ଗର ପକାଇଥିବା ଅନ୍ୟାନ୍ୟ ‘କଣ୍ଟ୍ରିବୋଟ’ରୁ କ୍ଷୀଣ ଆଲୋକ ଦିଶୁଛି । ସୁଦୂର କୃଷ୍ଣପ୍ରସାଦରେ ବି ସରକାରୀ ବୋଟ୍‌ଟିଏ ବିଶ୍ରାମ ନେଇଛି । ଦୀପାବଳୀର ଦୀପ ସମ୍ଭାର ପରି ଚିଲିକା ଛାତି ଉପରେ ବୋଟ୍‌ ଆଲୁଅତକ ଦିକି, ଦିକି ହୋଇ ଜଳୁଛି ।

 

‘କାଳିଜାଈ’ ପଟୁ ଯେଉଁ ପବନ ବୋହୁଛି ସେ ଏତେ ମିଠାଳିଆ ଲାଗୁଛି କାହିଁକି ?

 

ଅଶୋକ ପାତ୍ର ଭାବୁଥିଲା, ଚିଲିକା ପବନଟା ଘୂରି, ଘୂରି ବୋହିଲାବେଳେ କାଳିଜାଈ ମନ୍ଦିରରେ ଅଳ୍ପ ଅଟକି ଯାଇଥିବ । ସେହି ବାଟ ଦେଇ ଯେତେବେଳେ ଫେରୁଛି, ଦେବୀଙ୍କର ଦର୍ଶନ ନ କରି ବା ଆଶୀର୍ବାଦ ନ ଆଣି ସେ କଣ ସେମିତି ଚାଲି ଆସନ୍ତା ? ଏଇଥିପାଇଁ ତା’ ଦେହରେ ଏତେ ସୁବାସ, ଏତେ ସ୍ନିଗ୍‌ଧତା ।

 

ସକାଳ ପାହିଲେ କୃଷ୍ଣପ୍ରସାଦରେ ପହୁଞ୍ଚିବାକୁ ହେବ । ଆବଶ୍ୟକୀୟ ପ୍ରସ୍ତୁତି ପରେ ତହିଁଆରଦିନ ନିର୍ବାଚନ । ଏ ଦେଶର ବିରାଟ ନିର୍ବାଚନର ସେ ଏକ ଦାୟିତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଛି । ଲୋକେ ଭୋଟ ଦେଇ ନିଜ ଅଧିକାରକୁ ସାବ୍ୟସ୍ତ କଲାବେଳେ, ସେ ତାକୁ ନୀତିନିୟମର ଚଷମା ଦେହରୁ ଦେଖିବ । ଭୋଟ ଦେଇ ଜାଣି ନଥିଲେ ଶିଖାଇ ଦେବ । ଆବଶ୍ୟକ ବେଳେ, ସାହାଯ୍ୟ କରିବ ।

 

ଲୋକଙ୍କର ମତାମତକୁ ଭୋଟ କାଗଜରେ ଓଜନ କରାହେଉଛି । ଭୋଟ ବାକ୍‌ସ ହେଲା ଜନତାର ଆଶା, ଆକାଂକ୍ଷାର ତରାଜୁ । ଏ ଦେଶର ଜନନାୟକମାନେ ତାହାହିଁ ସିଦ୍ଧାନ୍ତ କରିଛନ୍ତି । ଅଥଚ ଲୋକେ ଭୋଟ ଦେଇ ଜାଣିନାହାନ୍ତି !!!

 

ରାତ୍ରିଚର ପକ୍ଷୀଟିଏ ମଥା ଉପରେ ଉଡ଼ିଗଲା । ସେ ସେହି ନଳବଣ ଆଡ଼କୁ ମୁହାଁଇଛି-। ସେଇଠି ରାତ୍ରିଯାପନ କରିପାରେ । ସେଇଠି ଏରାପକ୍ଷୀ ସଙ୍ଗେ ବି ମିତ୍ରତା ସ୍ଥାପନ କରିବ-। ଗେଣ୍ଡି, ପାଣ୍ଡା ଓ ହଂସ ସଙ୍ଗରେ ଖେଳିବ । ରାତି ପାହିଲେ ପୁଣି ‘ଚାହା’ ପକ୍ଷୀମାନଙ୍କୁ ଦେଖି ଉପହାସ କରି କହିବ, ‘କି ଯେ ଦେହ ପାଇଛରେ ! ପାରିକୁଦରେ ପିମ୍ପୁଡ଼ି ହେଲନାହିଁ ?’

 

ଅଶୋକ ପାତ୍ର ନିତିଦିନିଆ ଅଭ୍ୟାସକୁ ଛାଡ଼ିଦେଇ ପାରିଲା ନାହିଁ । ତା ଆଖି ପତାର ତୀରେ, ତୀରେ ତନ୍ଦ୍ରା ଜମି ଆସିଲା । ଅନିଚ୍ଛା ସତ୍ତ୍ୱେବି ସେ ଶୋଇଗଲା । ରାତ୍ରିର ଶେଷ ପ୍ରହରର ଚିଲିକା ରୂପସୀକୁ ସେ ଆଖି ପୂରାଇ ଦେଖିପାରିଲା ନାହିଁ ।

 

କୃଷ୍ଣପ୍ରସାଦରେ ପହୁଞ୍ଚିଲାବେଳେ ସକାଳ ପାହି ସାରିଥାଏ । କଅଁଳ ଛନଛନିଆ ଖରା ଚିଲିକା ପିଠିରେ ନେସିହୋଇ ଯାଇଥାଏ । କଅଁଳ ଖରାର ଉଷୁମ ସ୍ପର୍ଶ ପାଇ ନଳବଣର ବେତଛାଇ ସବୁ ଉଲ୍ଲାସରେ ନାଚୁଥାନ୍ତି ।

 

ରୂପସୀ ଚିଲିକା ତା’ ବେଣୀ-ତରଙ୍ଗରେ ମୟୂଖ ହୀରା ସଜାଡ଼ୁଛି । ନିତି ସକାଳେ ସେ ବେଣୀ ବାନ୍ଧି ବେଶ ହୁଏ । ନୀଳ-ଶାଢ଼ି ପିନ୍ଧି ନିଜକୁ ନିଜେ ଚାହିଁଲାବେଳେ, ଦୁଷ୍ଟ ପବନ ଆସି ତାକୁ ଅସ୍ତବ୍ୟସ୍ତ କରିଦେଇ ପଚାରୁଛି, ‘କାହାପାଇଁ ତୋର ଏ ବେଶ ଲୋ ? ତୋତେ ଆସି ଅନାଇବାକୁ କାହାର ବେଳ ଅଛି ? ରାଧାନାଥ ଆଉ ନାହାନ୍ତି । ଗୋଦାବରୀଶ ଚାଲିଗଲେଣି । କିଏ ସେ ତୋ’ ମନର କଥା ବୁଝି ଦୁନିଆ ଆଗରେ ଦି’ପଦ କହିବ ?’

 

ଚିଲିକା, ରାଧାନାଥଙ୍କ ନାଁ ଶୁଣି ଚମକି ଉଠେ । ଗଲା କଥା ସବୁ ମନେପଡ଼େ । ହେଇ, କାଲିପରି ଲାଗୁଛି । ଦେଶୀ ନାହାରେ ବସି କେତେ ଆନନ୍ଦରେ ସେ ତା’ରି ଛାତି ଉପରେ କବିତା ଲେଖି ନଥିଲେ ? ମୁହଁ ତାଙ୍କର ହସୁଥିଲା । ଆଖିରେ ପଲକ ପଡ଼ୁନଥିଲା । ଅବୁଝା ଶିଶୁର ଆନନ୍ଦ ନେଇ ନିଜକୁ ନିଜେ ଲୁଟାଇ ଦେଇଥିଲେ ।

 

କେତେ ଲୋକ ଚିକିଲା ଦେଖୁନାହାନ୍ତି ? କେତେ ଲୋକ ମନ ଆନନ୍ଦରେ ମର୍ତ୍ତ୍ୟଲୋକର-ଇନ୍ଦ୍ରଭୁବନକୁ ଉପଭୋଗ କରୁନାହାନ୍ତି ? କିନ୍ତୁ ସେ ସରାଗ କାହିଁ ? ସେ ପ୍ରାଣ କାହିଁ-? ନିଜକୁ ହଜାଇ ଦେବାର ନିଃସ୍ୱାର୍ଥପରତା ସମସ୍ତଙ୍କ ପାଖରେ ଦେଖାଯାଏ ନାହିଁ-। କାରଣ ସେମାନେ ସଂସାରୀ । ଲାଭ କ୍ଷତିର ପରିମାଣକୁ ଅଲଗା ଅଲଗା ରଖି ଓଜନ କରନ୍ତି-। କ୍ଷତି ପାଖଟା ଟିକିଏ ଖସି ପଡ଼ିଲେ ଧରାଛୁଆଁ ଦିଅନ୍ତି ନାହିଁ ।

ଚିଲିକା ନିତି ସଂଜବେଳେ କାଳିଜାଈ ପାଖରେ ଅଳିକରେ । ମୁଣ୍ଡ କଚାଡ଼ି କହେ, ରାଧାନାଥଙ୍କୁ ଫେରାଇ ଦିଅ । ଛୋଟ ପିଲାଟିଏ ହୋଇ ସେ ଫେରି ଆସନ୍ତୁ । ମୋ ବୁକୁରେ ତାଙ୍କୁ କ୍ଷଣକ ସକାଶେ ଲତାଇ ନେଇ କହିବି, ‘ତୁମେହିଁ ମୋର ପୂଜନୀୟ ! ତୁମ ଗୁଣ କେମିତି ଶୁଝିବି କହିଲ ?’

କାଳିଜାଈ, ଚିଲିକାର ପ୍ରାର୍ଥନା ଶୁଣୁ ଶୁଣୁ ଆତ୍ମବିସ୍ମୃତ ହୋଇଉଠେ । ହୁଏତ ତାର ମନେପଡ଼େ ଓଡ଼ିଶାର ଆଉ ଜଣେ ସ୍ୱନାମଧନ୍ୟ କବି ଗୋଦାବରୀଶଙ୍କ କଥା । ବହୁତ ଦିନର କଥା ନୁହେଁ । ବାଣପୁରରେ ଆହୁରି ତାଙ୍କର ନିତ୍ୟବ୍ୟବହାର୍ଯ୍ୟ ପୋଷାକ ପତ୍ର ଥିବ । ତହିଁରୁ ତାଙ୍କ ଦେହର ଝାଳ ଗନ୍ଧ ମରି ନଥିବ । ଓଡ଼ିଶାର ରାସ୍ତାଘାଟରୁ ତାଙ୍କର ପାଦଚିହ୍ନ ଲିଭି ନ ଥିବ । ତଥାପି ସେ ଆଉ ନାହାନ୍ତି । ସମଗ୍ର ଓଡ଼ିଆ ଜାତିକୁ କନ୍ଦେଇ ଦେଇ ଚାଲିଗଲେ । ଓଡ଼ିଶା ମାଟିକୁ ନିଆଶ୍ରୀ କରି ଚାଲିଗଲେ, ସେ ବି ଆଉ ଫେରି ଆସିବାର ସୁଯୋଗ ନାହିଁ । ଆଃ, ସେ ବି ଯଦି ରାଧାନାଥଙ୍କ ସଙ୍ଗରେ ଛୋଟ ଶିଶୁଟିଏ ହୋଇ ଫେରି ଆସି ପାରନ୍ତେ ? ଛୋଟ କାଳିଜାଈ କବିତାକୁ ପରିବର୍ଦ୍ଧନ କରି ମହାକାବ୍ୟର ରୂପ ଦିଅନ୍ତେ !!

ଅବୁଝା ମୃତ୍ୟୁ ସବୁଦିନ ଅଝଟିଆ । ମଣିଷ ମନର ଦୁଃଖ ସୁଖକୁ ଯଦି ଅଧ୍ୟୟନ କରିପାରିବାର କ୍ଷମତା ପାଇଥାନ୍ତା, ତେବେ ଏତେବଡ଼ ଅଘଟନ କରିବାକୁ ନିଜର ଅମର୍ଯ୍ୟାଦା ମନେ କରନ୍ତା । ତାର ସମାଲୋଚନା ଶୁଣି ସେ ନିଜେ ଚମକି ଉଠନ୍ତା ।

 

ଅଶୋକ ପାତ୍ର ଇଂଜିନ ଶବ୍ଦରେ ଚମକି ଉଠି ଚାହିଁଲା, କୃଷ୍ଣପ୍ରସାଦର ରିଙ୍ଗ୍‌ବନ୍ଧ ଦିଶୁଛି । ଧର୍ମଶାଳାରେ ଦୁଇଟି ଶଗଡ଼ିଆ ଅପେକ୍ଷା କରୁ କରୁ ଚମ୍ପୂ ଗାଉଛନ୍ତି ।

 

ବହୁ ଦୂରରେ ରହିଗଲା ବାଲୁଗାଁ । ବାଲୁଗାଁର ନଡ଼ିଆ ବଣ ଆଖିରେ ପଡ଼ୁନାହିଁ । ଯେଉଁ ବରଗଛର ସିମେଣ୍ଟ ଚଟାଣ ଉପରେ ସନ୍ଧ୍ୟା ଆସରକୁ ଉପଭୋଗ କରିଥିଲା, ଚିଲିକାର ଫେନାୟିତ ତରଙ୍ଗ ଭିତରେ ସେ ଲୁଚିଗଲା ।

 

ଇଂଜିନ୍‌ଶବ୍ଦରେ ରିଙ୍ଗ ବନ୍ଧର କଥୋପକଥନରତ ହଂସ ଦଳକ ଉଡ଼ିଗଲେ । ସେମାନଙ୍କ ବିଶାଳ ପକ୍ଷର ସମାବେଶରେ ସୂର୍ଯ୍ୟର କିଛି ଅଂଶ ଘୋଡ଼ାଇ ହୋଇଗଲା ।

 

ହଂସ-ଦଳପତି ବେକ ଭାଙ୍ଗି ଅଶୋକ ପାତ୍ରକୁ ଚାହିଁଲା । ଆଖିରେ ତାର ଅଜସ୍ର ଅଭିଯୋଗ । ‘‘ପାରିକୁଦ ଆମରି ଜନମମାଟି ! ଆମେ ଏ ମାଟିର ଦାୟାଦ । କାହା ଆଦେଶରେ ଆମକୁ ଆସି ବ୍ୟସ୍ତ କଲ ?’’

 

‘ସାନ ଅଅଁଳା’ର ବଡ଼ ଝିଅଟିଏ ବନ୍ଧତଳର ପଙ୍କ ଚକଟି ମାଛ ଧରୁଥିଲା ।

 

ତା’ ଉପରେ ଅଶୋକ ପାତ୍ରର ଆଖି ପଡ଼ିବା ମାତ୍ରକେ ସେ ଚମକିପଡ଼ି ତଳକୁ ମୁହଁ କଲା । ତା’ ପରେ ଆଖି ଯୋଡ଼ିକ ମୁଦି ଦେଲା । ମୁଦିଲା ଆଖିର ଗାଢ଼କୃଷ୍ଣ ଭ୍ରୁଲତା ଦୁଇଟି ଆବେଗରେ ଥରି, ଥରି ଉଠୁଥିଲା । ସରୁଆ ନାକ ତଳର ଓସାରିଆ ଓଠ ଦି’ଫାଳକ କଣ କହିବି, କହିବି ହେଉଥିଲା । ତା’ ଛାତିର କସ୍ତା ଶାଢ଼ି ଖଣ୍ଡକ ଚମତ୍କାର ମନାଉଥିଲା । କସ୍ତା ରଙ୍ଗର ସମ୍ୟକ୍‌ ପ୍ରତିଫଳନ ପଡ଼ିଥିଲା ଗୋଲିଆ ଗାଲର ଖାଲ ଚାରିପାଖେ । ସେଇଟି ଦୁଧମିଶା ଅଳତା ରଙ୍ଗ ଧରିଥିଲା ।

 

ପାରିକୁଦର ପ୍ରଥମ ଝିଅକୁ ଦେଖି ଅଶୋକ ବିମୁଗ୍‌ଧ ହେଲା । ତାର ମନେହେଲା, ସତେ ଯେମିତି ଏହି ନିର୍ଜନ, ନିକାଞ୍ଚନ ଦ୍ୱୀପ ଉପରେ ଅଦେଖା ଦେଶର ରାଜକନ୍ୟାକୁ କିଏ ବଳାତ୍କାର ଆଣି ଛାଡ଼ିଦେଇ ଯାଇଛି ।

 

ରାଜକନ୍ୟା ନିର୍ବାସନ ଦଣ୍ଡ ଭୋଗୁଛି । ଦଣ୍ଡ ଶେଷରେ ସେ ପୁଣି ଥରେ ନିଜ ଦେଶକୁ ଫେରିଯାଇ ସ୍ୱଚ୍ଛଳ ଜୀବନ ଯାପନ କରିବ । ନିରୋଳା ସମୟରେ ଚିଲିକା ମନେପଡ଼ିଲେ ଖୁସି ହେବ । ଭାବିବ, ପାରିକୁଦ ରହଣିଟା ବ୍ୟର୍ଥ ହୋଇନି ।

 

ଅଶୋକ ପାତ୍ର ‘ରୁଟ୍‌ ଚାର୍ଟ’ ଆଣି ପଢ଼ିଲା । ଏଇଠୁ ବଳଦ ଗାଡ଼ିରେ ଦୁଇମାଇଲ ଗଲେ ପଡ଼ିବ ନିର୍ବାଚନ କେନ୍ଦ୍ର । ସେଇଟି ତାର ଦୁଇଦିନର କର୍ମଭୂମି । ନିର୍ବାଚନ ସୂଚାରୁରୂପେ ନିୟନ୍ତ୍ରିତ କରିପାରିଲେ ଦାୟିତ୍ୱ ସରିଲା । ଯଦି କିଛି ବିଘ୍ନ ହୁଏ, ତାହାହେଲେ ଚାକିରିର ଉତ୍ତର ଅଂଶଟା ବିପର୍ଯ୍ୟସ୍ତ ହୋଇ ଉଠିବ । ସେ ମନେ ମନେ କାଳିଯାଈ ଠାକୁରାଣୀଙ୍କୁ ଡାକି ପ୍ରାର୍ଥନା କଲା, ‘ନିର୍ବାଚନକୁ ନିର୍ବିଘ୍ନ କର ଦେବୀ । ଯାତ୍ରାଲକ୍ଷ୍ୟକୁ ସଫଳ କର ।’

 

ମାୟାଧରବାବୁ ତୁଠ ପାଖରେ ଛିଡ଼ାହୋଇ ହସି ହସି କହିଲେ, ଅନେକ ଡେରିକଲେ ଆଜ୍ଞା ! ଆମେ ଅନେକବେଳୁ ଆସି ଅପେକ୍ଷା କରିଛୁଁ ।

 

ନାଉରୀଆ ଦାମୋଦର ବେହେରା ତହସିଲ୍‌ଦାର ମାୟାଧର ବାବୁଙ୍କୁ ନମସ୍କାର ହେଉ ହେଉ ଉତ୍ତର ଦେଲା, ଭାଗ୍ୟ ଭଲ ଆଜ୍ଞା ! କାଳିଜାଈ ଗଣ୍ଡରେ କାଲି ରାତିରେ ଯେଉଁ ଝଡ଼ ହେଲା, ମୁଁ ଭାବିଲି ଆଉ ଜୀବନ ଫେରିବ ନାହିଁ । ତଳ ପାଣି ଉପର ହୋଇଯାଉଥାଏ । ମାମୁଁ ଭଣଜା କୋଣରୁ କରି ତୋଫାନ ମାଡ଼ି ଆସୁଥାଏ । ଭାଗ୍ୟକୁ ଅଶୋକ ବାବୁ ଶୋଇ ଯାଇଥିଲେ । ନହେଲେ କଣ ଯେ ସେ ଭାବିଥାନ୍ତେ, କହି ହେଉନି । କିନ୍ତୁ କାଳିଜାଈର ଅଦ୍ଭୁତ ମାହାତ୍ମ୍ୟ ବାବୁ ! ତାଙ୍କୁ ଡାକିବା ମାତ୍ରେ ସେ ଶୁଣିଲେ । ଝଡ଼ ଦେହରେ ଜବାବ ଦେଲେ, ଭୟନାହିଁ । ମୁଁ ତୁମ ଡାକ ଶୁଣିଛି । କିଛି ହେବ ନାହିଁ ।

 

ମାୟାଧର ବାବୁଙ୍କ ଦେହରେ ଶୀତକଣ୍ଟା ଫୁଟି ଆସୁଥାଏ । ସେ ଉଦ୍‌ବେଗ କଣ୍ଠରେ ପଚାରିଲେ, ତା ପରେ ?

 

ତା ପରେ ଆଉ କିଛି ନାହିଁ ବାବୁ, ଝଡ଼ ଆସି ପଲକରେ କମିଗଲା । ଏତେବଡ଼ ତୋଫାନଟା ଚିଲିକା ପାଣି ଭିତରେ ପଶିଗଲା । ମୁଁ ନଙ୍ଗର କାଢ଼ି ନାହା ଭିତରେ ଥୋଇଲି । କାଳିଯାଈ ନାଆଁ ରେ ‘ହରିବୋଲ’ ପକାଇ ଇଂଜିନ୍‌ ସଜାଡ଼ିଲି ।

 

ମାୟାଧର ବାବୁ କାଳିଜାଈ ଉଦ୍ଦେଶ୍ୟରେ ନମସ୍କାର ହୋଇ କହିଲେ, ପାରିକୁଦର ଦେବୀ ସିଏ ! ପାରିକୁଦବାସୀଙ୍କର ଏକମାତ୍ର ଭରସା । ସେ ଥିଲେ ଏ ମାଟିରେ କୌଣସି ବିପଦ ପାଦ ପକାଇ ପାରିବନି । ସେ ବିଶ୍ୱାସ ମୋର ଅଛି ।

 

ନାଉରୀଆ ବିଦାୟ ନେବା ପରେ ଶଗଡ଼ ଭିତରକୁ ଜିନିଷ ପତ୍ର ସବୁ ବୁହାହେଲା । ଶଗଡ଼ ରିଙ୍ଗ୍‌ବନ୍ଧ ଉପରକୁ ଆସ୍ତେ ଆସ୍ତେ ଉଠିଲା ।

 

ଚାହା ଚଢ଼େଇ ଆଡ଼େଇ ହୋଇଗଲେ । ଚକ୍ରବାକ ଚକ୍ରବାକୀ (ପାଣ୍ଡା) ଡେଣା ହଲାଇ ବାଦଲ ଦେହକୁ ଲାଗିଗଲେ । ଆଉ ହଂସ ? ପାରିକୁଦର ଅଲିଅଳ ଝିଅପରି ଅଳସେଇ ଅଳସେଇ ଚାଲୁଥିଲା । ଚାଲିଲାବେଳେ ଗୋଡ଼କୁ ଗୋଡ଼ ବାଜୁଥିଲା । ଆଣ୍ଠୁ ପାଖରୁ ଅଳ୍ପ ଭାଙ୍ଗି ଯାଉଥିଲା

 

ଏହି ପକ୍ଷୀଦଳକ ମନ ଆନନ୍ଦରେ ଗୀତ ଗାଉଥିଲେ । ଅବୁଝା କଣ୍ଠରେ କେତେ ସୁନ୍ଦର ଗୀତ ଗାଉଥିଲେ ସତରେ ! ସେ କଣ ଏହି ଆସନ୍ନ ନିର୍ବାଚନର ଗୀତ ? କାହାପାଇଁ ସେମାନେ ପ୍ରଚାର କରୁଥିଲେ ? କେଉଁ ଶାସନରେ ସୁଖୀ ହେବେ ବୋଲି ଆଶା କରିଛନ୍ତି ?

 

ମାୟାଧରବାବୁ କୃଷ୍ଣପ୍ରସାଦର ତହସିଲ୍‌ଦାର ହୋଇ ଛଅବର୍ଷ କଟାଇ ଦେଲେଣି । ସେ କୃଷ୍ଣପ୍ରସାଦ ସମେତ ପାରିକୁଦର ପ୍ରତିଟି ଗାଆଁକୁ ଚିହ୍ନିଛନ୍ତି । ପ୍ରତ୍ୟେକ ଗାଆଁର ବାସିନ୍ଦା ତାଙ୍କ ସଙ୍ଗେର ଚଳପ୍ରଚଳ ହୁଅନ୍ତି । ଏ ଚଢ଼େଇ ଗୁଡ଼ାକ ତାଙ୍କ ପାଖରେ ଅଚିହ୍ନା ନୁହନ୍ତି କି ପାରିକୁଦର କୌଣସି ରାସ୍ତା ତାଙ୍କୁ ଅଜଣା ନାହିଁ । ସେ ସରଳ ଭାବରେ ଅଶୋକ ବାବୁଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥାନ୍ତି । ଅଶୋକବାବୁଙ୍କ ପରି କୌଣସି ପକ୍ଷୀପାଇଁ ବା ପାହାଡ଼ ପାଇଁ ତାଙ୍କର ଉତ୍କଣ୍ଠା ନାହିଁ । ସବୁ ତାଙ୍କର ଦେହଲଗା ଖବର, ସ୍ୱାଭାବିକ ଘଟଣା ।

 

କାରଣ ମାୟାଧର ବାବୁ ପାରିକୁଦର ସନ୍ତାନ । ପାରିକୁଦର ଧୂଳିମାଟିରେ ଖେଳି, ବୁଲି ମଣିଷ ହୋଇଛନ୍ତି । ତେଣୁ ସବୁକଥା ଅଭ୍ୟାସରେ ପରିଣତ ହୋଇଯାଇଛି ।

 

ପାରିକୁଦ ବାହାରୁ ଆସିଥିବା ଆଗନ୍ତୁକ ପାରିକୁଦର ଅନିନ୍ଦ୍ୟ ରୂପ ଦେଖି ବିମୁଗ୍‌ଧ ହୁଏ-। ଚିଲିକା କୋଳରେ ହସିଖେଳି ବଢ଼ି–ଉଠିଥିବା ସନ୍ତାନକୁ ଦେଖି ସେ ଭାବେ, ଏମାନେହିଁ ଦେବତାର ପ୍ରିୟଶିଶୁ । ସଭ୍ୟତାଠାରୁ ନିଜକୁ ଉଲ୍ଲେଖ ଯୋଗ୍ୟ ଦୂରତ୍ୱରେ ରଖି ସ୍ୱଚ୍ଛନ୍ଦରେ ଜୀବନ ଯାପନ କରନ୍ତି । ସଂସାରର କ୍ରମ-ବର୍ଦ୍ଧମାନ ଜଟିଳତା ସେମାନଙ୍କ ସରଳ ପ୍ରାଣରେ କଳଙ୍କର ଦାଗ ଦେଇନାହିଁ । ପ୍ରକୃତି ମେଳରେ ସେମାନେ ଯେତିକି ଆନନ୍ଦ ଉପଲବ୍‌ଧି କରିପାରନ୍ତି ତଥାକଥିକ ପ୍ରଗତିର ଛାଇ ବାଜିଲେ ସେତିକି ଝାଉଁଳି ଯାଆନ୍ତି । ହିଂସାକପଟଠାରୁ ଦୂରେ ରହି ଜୀବନକୁ ଜୀବନ ପରି ଉପଭୋଗ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

 

ପାରିକୁଦକୁ ପବିତ୍ର କରି ରଖିବାକୁ ବୋଧହୁଏ ଦେବତା ଏ ଦେଶର ନରନାରୀମାନଙ୍କୁ ସ୍ଥଳଭାଗର ଅନ୍ୟାନ୍ୟ ସ୍ତ୍ରୀପୁରୁଷଙ୍କ ସାନ୍ନିଧ୍ୟ ଲାଭରୁ ବଞ୍ଚିତ କଲା । ବଙ୍ଗୋପସାଗର ଠାରୁ କେଉଁ ଭୌଗଳିକ ପ୍ରଣାଳୀରେ ଚିଲିକାର ଜନ୍ମ ହେଲା, ସେକଥା ଦେଶର ଅଭିଜ୍ଞ ଭୂଗୋଳ-ବିଶାରଦ କହିବେ । କିନ୍ତୁ ଅଶୋକ ପାତ୍ର ଭାବୁଥିଲା, ମାନବ ସମାଜ ଭିତରୁ କେତେଶହ ସରଳ; ଉଦାର ସଂସାରରେ ସେମାନେ ନିରୋଳା, ନିଛକ ସନ୍ତାନ ବୋଲି ଚିହ୍ନାଇ ଦେବାକୁ ବିଶ୍ୱାସ୍ରଷ୍ଟାର ଇଏ ଏକ ଅଦ୍ଭୁତ ଖିଆଲ । ସେ ଚିଲିକାର କାନ୍ଥ ରଚି ଏମାନଙ୍କୁ ବିଚ୍ଛିନ୍ନ କରି ରଖିଛି । ପାପ; ଅନାଚାରକୁ ପାରିକୁଦ ଭିତରେ ପୂରାଇ ନ ଦେବାକୁ ଅଗଣନ ପକ୍ଷୀକୁଳକୁ ପ୍ରହରୀ କରି ଛାଡ଼ି ଯାଇଛି ।

 

ପାରିକୁଦର ରହସ୍ୟମୟ କାହାଣୀ ସବୁବେଳେ ରୋମାଞ୍ଚକର । ତାକୁ ବୁଝି ବି ବୁଝି ହୁଏନା । ଯିଏ ସବୁ ଜାଣିଛି ବୋଲି ଗର୍ବ କରେ, ସେ ସୃଷ୍ଟିର ନିର୍ଧୁମ ନିର୍ବୋଧଟିଏ !

 

ଟିକିଏ ଚାହିଁବା ପରେ ଅଳ୍ପ ହସି, ଆଖି ଦୁଇଟିକୁ ପୁଣି ତଳକୁ କରିଦେଇ ଯିଏ ସଲ୍ଲଜ ଭାବରେ ସ୍ଥାନୀୟ ପୁଲିଂ ଅଫିସର ଭାବରେ ନିଜକୁ ପ୍ରିଜାଇଡ଼ିଂ ଅଫିସର ଅଶୋକ ପାତ୍ରଙ୍କ ସଙ୍ଗେ ପରିଚୟ କରାଇ ଦେଇଥିଲେ, ତାଙ୍କ ନାଁ ବନଲତା ଦାସ ।

 

ବନଲତା ଦାସ ନୂଆପଡ଼ା ବ୍ଲକ୍‌ର ଜଣେ ସଚ୍ଚୋଟ ଗ୍ରାମସେବିକା । ଉପକୂଳବର୍ତ୍ତୀ କୌଣସି ଏକ ଜନାକୀର୍ଣ୍ଣ ସହର ଭିତରୁ ଆସି ଜନବିରଳ ପାରିକୁଦକୁ ନିଜର କରି ନେଇଛନ୍ତି । ପାରିକୁଦର ବିକଳାଙ୍ଗ ଇତିହାସକୁ ସେ ନୂଆ ରୂପରେ ଛିଡ଼ା କରିବାକୁ ଚାହାନ୍ତି । ସେଇଥିପାଇଁ ଯେତିକିଟା ସ୍ୱାର୍ଥତ୍ୟାଗ ଦରକାର, ସେସବୁ ସେ କରିଛନ୍ତି । ପାରିକୁଦର ଲୁଣିପାଣି ଆଉ ତାଙ୍କୁ ବ୍ୟସ୍ତ କରୁନି କି ଅଶିକ୍ଷିତ ପ୍ରଜାର ଅବୋଧ୍ୟ ପ୍ରଶ୍ନ ବିଚଳିତ କରୁନାହିଁ । ସେ ପାରିକୁଦ ଭୂଇଁର ସାଧନାରତ ତପସ୍ୱିନୀ ।

 

ବନଲତା ଦାସଙ୍କର ବେଶ ପୋଷାକ ଦେଖିଲେ ଯେ କେହି କହିବ, ସେ ପାରିକୁଦ ଦେଶର ଝିଅ ! ଅତି ସାଧାରଣ ସାଜସଜ୍ଜା । ଅଳଙ୍କାରର ଅଯଥା ଆଡ଼ମ୍ବର ନାହିଁ । ଅତ୍ୟାଧୁନିକା ତରୁଣୀ କର୍ମଚାରୀ ପରି ଓଠରେ ଲିପ୍‌ଷ୍ଟିକ୍‌ବୋଳି ହୋଇ ଅତର ଭିଜା ରିବନ ବାନ୍ଧିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି ।

 

ସାଦା ସଫା ଶାଢ଼ି ଖଣ୍ଡେ, ହାତରେ ଦି’ପଟ ସୁନାକାଚ ଫିକା–ସବୁଜ ରଙ୍ଗର ବ୍ଳାଉଶ ଏହାହିଁ ତାଙ୍କର ଅଭ୍ୟାସଗତ ପରିପାଟୀ ।

 

କିନ୍ତୁ ଚାଲି ଖଣ୍ଡକରେ ଚିଲିକା ହଂସୀର ମାଦକତା ଅଛି । ଆଖିରେ ଅଛି ବାଲି ହରିଣୀର ବ୍ରଗ୍ୟତା । କଥା ଭାଷାରେ ବୀଣାର ଝଙ୍କାର ଝଙ୍କୃତ ହୁଏ । ସେ ଯଦି ନିମିଷକ ପାଇଁ ହସନ୍ତି, ଲକ୍ଷେ ମଲ୍ଲୀଫୁଲ ବୁଣି ହୋଇଯାଏ । ତାଙ୍କ ଦେହରୁ ଯେଉଁ ସୁଗନ୍ଧ ଝଟେ, ସେ ଗନ୍ଧଟା ତରୁଣୀ କନ୍ୟାର ଏକାନ୍ତ ବ୍ୟକ୍ତିଗତ ।

 

ନାରୀ ପୁରୁଷ ଆଖିରେ ସବୁଦିନ ପ୍ରହେଳିକା ସାଜିଛି । ତା’ ହସରୁ ପୁରୁଷ ଜାତିଟା ଭିନ୍ନ ଅର୍ଥ ଖୋଜେ । ତା’ ଚାହାଣୀରୁ ଆଉ ଗୋଟିଏ ଅଲଗା କଥା ବାହାର କରେ । ଏହି କଥାଟା ବି ପୁରୁଷ ଜାତିର ଏକାନ୍ତ ନିଜସ୍ୱ ।

 

ପୁରୁଷ ଓ ସ୍ତ୍ରୀ ହିଁ ଏ ପୃଥିବୀର ପ୍ରାଣ କେନ୍ଦ୍ର । ସେମାନେ ପରସ୍ପରକୁ ନିଜ ନିଜ ଭିତରେ ହଜାଇ ଦେଇ ପୁଣି ଖୋଜି ହୁଅନ୍ତି । ସବୁ ଜାଣି ସାରିଲା ପରେ ବି ନ ଜାଣିବାର ଛଳନା କରନ୍ତି । ଏହାହିଁ ପୁରୁଷ ସ୍ତ୍ରୀର ଇତିକଥା ! ଏ ସୃଷ୍ଟିର ପ୍ରଚ୍ଛନ୍ନ ରହସ୍ୟ କଥା ।

 

ଅଶୋକପାତ୍ର ବନଲତା ଦାସଙ୍କୁ ଆସନ ଦେଖାଇ ବସିବାବୁ ଅନୁରୋଧ କଲେ ।

 

ବନଲତା ଓ ଅଶୋକ ନିଜ ଅଜାଣତରେ ସଙ୍କୋଚ ପ୍ରକାଶ କରୁଛନ୍ତି । ବନଲତା ଦାସ ନ ହୋଇ ଯଦି ଡ୍ୟୁଟିରେ ଥିବା ମହାପାତ୍ର ବାବୁ କି ମିଶ୍ରବାବୁ ପାଖରେ ବସିଥାନ୍ତେ, ଅଶୋକ ପାତ୍ର କଣ ଏତେ ନୀରବ ହୋଇ ପାରିଥାନ୍ତେ ? ଏଇନେ ସହରର କେଉଁ ଅବହେଳିତ ଉପକଥାର ଆଲୋଚନା ପଡ଼ି ସାରିଥାନ୍ତା । ମନ୍ତବ୍ୟ ଭିତରେ ଐକ୍ୟ ନଥିଲେ ଯୁକ୍ତିତର୍କର ଝରଣା ବୋହୁଥାନ୍ତା । କିନ୍ତୁ ଅପରିଚିତା ଆଗରେ କି ଏତେଟା ଖୋଲାଖୋଲି ଆଲୋଚନା ଶୋଭନୀୟ ? ଟିକିଏ ବାକ୍‌ସଂଯମ ଦରକାର । କିଛି ନହେଲେ ବି ଦେଖାଇ ଦେବାକୁ ହେବ ଯେ, କଥାରେ ଓଜନ ଅଛି । ଅନ୍ୟାନ୍ୟ ମାନଙ୍କପରି ପ୍ରଗଳ୍‌ଭହେବାର ତାଲିମ ମିଳିନାହିଁ ।

 

ଆଉ ବନଲତା ଦାସ ? ନିର୍ବାଚନ ଡ୍ୟୁଟିରେ ଆସିବା ପୂର୍ବରୁ କେଉଁ ଆଶଙ୍କା କରୁଥିଲେ; ସେ ସବୁ ଅମୂଳକ ବୋଲି ସ୍ଥିର ସିଦ୍ଧାନ୍ତରେ ପହୁଞ୍ଚିଗଲେଣି । ପୁରୁଷ ଜାତିଟା ଯେଉଁ ପଦବୀ କି ଆସନରେ ଥାଉନା କାହିଁକି, ସ୍ତ୍ରୀ ଆଗରେ ସବୁବେଳେ ବାଧ୍ୟ ଆଉ ସଂଯମ । କିନ୍ତୁ ତଥାପି କାହିଁକି ତ ବିନା କାରଣରେ ହସିବାକୁ ଇଚ୍ଛା ହେଉନାହିଁ । ବିନା ଉଦ୍ଦେଶ୍ୟରେ କୌଣସି ପ୍ରଶ୍ନ ପଚାରିବାକୁ ବି ସଙ୍କୋଜ ଲାଗୁଛି । ଅଥଚ ଏଇନେ ସହକର୍ମୀ ‘କମଳିନୀ’ ଥିଲେ ଏସବୁ ଅସୁବିଧା କିଛି ନଥାନ୍ତା । ଯେ କୌଣସି ପୁରୁଷକୁ ନିଜର ଶରବ୍ୟ କରି ତା’ ବିରୁଦ୍ଧରେ ଇଚ୍ଛା ମୁତାବକ ମନ୍ତବ୍ୟ ଦିଆଯାଇ ପାରନ୍ତା ।

 

ଦୁଇଟି ଅପରିଚିତା ତରୁଣ ତରୁଣୀ ବାକ୍‌ରୁଦ୍ଧ ହୋଇ ବସିଛନ୍ତି । ବନଲତାର ଓଠ ଦି’ଟାକୁ ଅଶେ କର ପ୍ରଶ୍ନିଳ ଆଖି ସିଲାଇ କରିଦେଲା, ଆଉ ଅଶୋକର ରସୋଚ୍ଛଳ ଜିହ୍ୱାକୁ ବନଲତାର ଉପସ୍ଥିତିଟା ଜବଦ କରିଦେଲା ।

 

ମହାପାତ୍ର ବାବୁଙ୍କର ଅସମୟରେ ଗୁଡ଼ାଖୁ ଘସିବାର ଅଭ୍ୟାସ ଅଛି ବୋଧହୁଏ । ବାହାର ବାରଣ୍ଡାରେ ଗୁଡ଼ାଖୁ ଘସି ଘର ଭିତରକୁ ପାଣି ଆଣିବାକୁ ଆସିଲାବେଳେ ବନଲତା ଦାସଙ୍କୁ ଦେଖି ବିସ୍ମିତ ହେଲେ । ତାପରେ ପ୍ରଥମ ସହକର୍ମୀ ମିଶ୍ରବାବୁଙ୍କୁ ଡାକିଆଣି ଚୁପ୍‌ଚାପ୍‌ ଇସାରା ଦେଲେ ।

 

ନିର୍ବାଚନର ଚାରୋଟି କର୍ମକର୍ତ୍ତାଙ୍କର କୌତୁହଳ ପୂର୍ଣ୍ଣ ସମାବେଶ । ଅଶୋକ ପାତ୍ର ପାର୍ଟିର ପ୍ରିଜାଇଡ଼ିଂ ଅଫିସର । ସର୍ବଶ୍ରୀ ମିଶ୍ର ଓ ମହାପାତ୍ର ବାବୁ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ପୁଲିଂ ଅଫିସର । ନବାଗତା ବନଲତା ଦାସ ସ୍ଥାନୀୟ ପୁଲିଂ ଅଫିସର । ଜୀବନ ସଂଗ୍ରାସର ବିଭିନ୍ନ ସ୍ତରରୁ ଆସି କୃଷ୍ଣପ୍ରସାଦରରେ ଏକତ୍ରିତ ହୋଇଛନ୍ତି । ଦୁଇ ଦିନର ଦାୟିତ୍ୱ ପରେ ପୁଣି ଥରେ ଏକାଠି ମିଳିତ ହେବାର ସୁଯୋଗ ନାହିଁ । ବୋଧହୁଏ ଜୀବନରେ ସେ ସୁଦିନର ଅବକାଶ ନାହିଁ ।

 

ନିର୍ବାଚନ ସେମାନଙ୍କୁ ଏକତ୍ରିତ କରିଛି । ନିର୍ବାଚନ ଶେଷରେ ବିଯୋଗ ହେବା ସୁନିଶ୍ଚିତ-। ଯିଏ ଯାହାର କର୍ମକ୍ଷେତ୍ରକୁ ଫେରିଯିବେ । ଫେରିଯିବା ପର ସପ୍ତାହକ ସାଙ୍ଗସାଥି ମହଲରେ ନିର୍ବାଚନ ସଂକ୍ରାନ୍ତୀୟ କେତୋଟି ଆଭାସ, ଆଲୋଚନା । ତା ପରେ ଆଉ କିଛି ନାହିଁ-। ସବୁ ଚିରାଚରିତ ଗତରେ ପଡ଼ିଯିବ । ଗତ କଥା ଭୁଲି ହୋଇଯିବ ।

 

ଅଶୋକ ପାତ୍ର ବନଲତା ଦାସଙ୍କ ସଙ୍ଗରେ ସହକର୍ମୀ ପୁଲିଂ ଅଫିସର ମାନଙ୍କ ପରିଚୟ କରାଇ ଦେଲେ ।

 

ବନଲତା ଦାସ ବିଦାୟ ନେଇ ଚାଲିଗଲେ । ଗଲାବେଳେ ପଛକୁ ଥରେ ମୁହଁ ବୁଲାଇ ନାହାନ୍ତି କି କଥା ପ୍ରସଙ୍ଗରେ ଫେରି ଆସି ନାହାନ୍ତି ।

 

କିନ୍ତୁ ତିନିଜଣଯାକ ଏକ ସାଙ୍ଗରେ ଭାବୁଥିଲେ ବନଲତା ଦାସ ଗଲାବାଟରୁ ଅବଶ୍ୟ ଫେରି ଆସିବେ ।

 

ମହାପାତ୍ର ବାବୁ ଦେହରୁ ଇସ୍ତ୍ରୀ ଶାର୍ଟ ଖଣ୍ଡକ ଓହ୍ଲାଇ ଦେଇ ପୁଣି ଥରେ ଅଧା କରିଥିବା ଗୁଡ଼ାଖୁ ମେଞ୍ଚାକ ଧରିଲେ । ମିଶ୍ରବାବୁ ସାଙ୍ଗରେ ନେଇ ଯାଇଥିବା ପାନ ବଟୁଆ ମେଲି ପାନ ଭାଙ୍ଗି ବସିଲେ ।

 

ଖୁବ୍‌ ସାଧାସିଧା ଜଣା ପଡ଼ୁଛି । ଗ୍ରାମସେବିକା ପାଇଁ ଅନୁପଯୁକ୍ତା । ମହାପାତ୍ର ବାବୁ ନାଟକୀୟ ସ୍ୱରରେ ତାଙ୍କ ମନ୍ତବ୍ୟ ପ୍ରଦାନ କଲେ । ବିଭିନ୍ନ ରଙ୍ଗମଞ୍ଚରେ ଅଭିନୟ ଅଭିଜ୍ଞତା ତାଙ୍କର ଅଛି । କଥା କହିଲେ ସେ ନାଟକୀୟ ସଂଳାପ କହିଲା ପରି ଶବ୍ଦ ଶେଷରେ ଥାକ ଦିଅନ୍ତି । ସମ୍ପୂର୍ଣ୍ଣ ବାକ୍ୟଟା ଛନ୍ଦମୟ ହୋଇଯାଏ । ରସ ସୃଷ୍ଟି କରିବାର ବ୍ୟୁତ୍ପତ୍ତି ତାଙ୍କର ରହିଛି ।

 

ମିଶ୍ରବାବୁ ମହାପାତ୍ର ବାବୁଙ୍କ କଥା ଶୁଣିଲେ ସିନା ଉତ୍ତର ଦେଲେ ନାହିଁ । ଗାମ୍ଭୀର୍ଯ୍ୟ ପ୍ରକାଶ କରିବାକୁ ବୋଧହୁଏ ଚେଷ୍ଟା କରୁଥିଲେ । ପାର୍ଟିର ଦ୍ୱିତୀୟ ଭାରପ୍ରାପ୍ତ କର୍ମଚାରୀ ଭାବରେ ପରିଚୟ କରାଇ ଦେଲେ ସେ କୃତକୃତ୍ୟ ହୁଅନ୍ତି । ସେହି ଦୃଷ୍ଟିରୁ ସେ କଥାଭାଷାରେ ଟିକିଏ ସଂଯମ ହେବାର ଅଭିଳାଷ ତାଙ୍କର ।

 

କିନ୍ତୁ ମିଶ୍ରବାବୁଙ୍କର ସେ ଅଭିଳାଷାଟା ବିଫଳ ଅଭିଳାଷଟିଏ । ତାଙ୍କ ସମ୍ବନ୍ଧରେ ଦି’ପଦ ପ୍ରଶଂସା କରି କିଛି ଆରମ୍ଭ କରିଦେଲେ, ଆଉ ସଂଯମର ମୁହଁ ଦେଖୁଛି କିଏ ? ପରକ୍ଷଣରେ ସେ ପ୍ରଗଳ୍‌ଭ ହୋଇ ଉଠିଲେ । ଶୁଣି, ଘୋଷି ମନେ ରଖିଥିବା ଗୋଟିଏ ପ୍ରେମପୂର୍ଣ୍ଣ ଗୀତର ଲହର ଧରିଲେ ।

 

‘‘ତୁମେ ମଲା ଆକାଶର ଚନ୍ଦ୍ର ହୋଇ ଆସିଥିଲ । ତୁମେ ଆସିଥିଲ ରୂପ, ବୟସର କଳସ ଧରି । କିନ୍ତୁ କି ନିର୍ମମ ! ତମ ଜ୍ୟୋସ୍ନାରୁ ଟିକିଏ ହେଲେ ଦାନ କଲ ନାହିଁ । ରୂପ କଳସରୁ ଟିକିଏ ବି ଛିଞ୍ଚି ଗଲ ନାହିଁ ! ସ୍ୱାର୍ଥପର !!’’

 

‘ତୁମର କଣ୍ଠଟା ଚମତ୍କାର !’ ମହାପାତ୍ର ବାବୁ ମନ୍ତବ୍ୟ ଦେଲେ ।

 

‘କଣ ଆଜି ଜାଣିଲ ?’ ମିଶ୍ରବାବୁ ପ୍ରଶ୍ନ କଲେ ।

 

‘ମିଶ୍ରବାବୁ ଖୁବ୍‌ ଭଲ ଗାଆନ୍ତି ।’ ଅଶୋକ ପାତ୍ର ସଂଯୋଗ କଲେ ।

 

‘ଏହାଠୁ ଆହୁରି ଭଲ ଗାଏ ଆଜ୍ଞା ! ସାଙ୍ଗସାଥି ମେଳରେ ଥିଲେ ଗୀତ ଗାଇ ଗାଇ ରାତି ପାହିଯାଏ ଦିଲ୍‌ଦାର ଲୋକ କିନା ! ସମସ୍ତେ ସେକଥା ବୁଝି ପାରିବେନି’ । ମିଶ୍ରବାବୁ ଆତ୍ମ ସମର୍ଥନ କରୁଥିଲେ ।

 

‘କି ଗୀତ ଗାଅ ?’ ମହାପାତ୍ର ବାବୁଙ୍କର ଦ୍ୱିତୀୟ ପ୍ରଶ୍ନ ।

 

‘ପ୍ରେମ-ଗୀତ ।’

 

‘ଆଉ କିଛି ନୁହେଁ ?’

 

ପ୍ରେମ ଥିଲେ ଗୀତଟା ଯେମିତି ଜମେ, ଅନ୍ୟ କାହିଁରେ ସେମିତି ଜମେ ନାହିଁ । ମିଶ୍ରବାବୁ କହୁ କହୁ ହସିଲେ । ସେ ଏକ କିମ୍ଭୁତ କିମାକାର ହସ । ଓଠକୁ ଦେଖିଲେ ହସ ବୋଲି ଜଣା ଯାଉଥିଲେ ବି ଆଖି ଦି’ଟା ଖାପ୍‌ଛଡ଼ା ଦେଖାଯାଏ ପଚାରିଲେ କହନ୍ତି, ‘ବାଧ୍ୟ ହୋଇ ସିନା ହସେ, ସବୁବେଳେ ଜନ୍ମ ପଛର ମୃତ୍ୟୁକଥା ଭାବୁଥାଏ ।

 

‘କାହାର ମୃତ୍ୟୁ କଥା ?’ ଅଶୋକବାବୁ ପଚାରନ୍ତି ।

 

‘ମୋ’ ନିଜର । ଏ ସଂସାରଟା ଦିକ୍‌ଦାର ଲାଗିଗଲାଣି । ଯେତକଯାକ ଜଞ୍ଜାଳ । ଟିକିଏ ହେଲେ ମୁକ୍ତି ନାହିଁକି ଉପଭୋଗ ନାହିଁ । ସବୁବେଳେ ପୀଡ଼ନ ।’

 

‘ଏହାରି ଭିତରେ କିନ୍ତୁ ବଞ୍ଚି ରହିବାକୁ ହେବ ଯେ !’ ଅଶୋକବାବୁ କହନ୍ତି ।

 

‘ଯିଏ ବଞ୍ଚିଲେ ବଞ୍ଚୁ ପଛକେ, ମୋର ତ ବଞ୍ଚିବାକୁ ଆଉ ଆଗ୍ରହ ନାହିଁ । ମୁଁ ମୃତ୍ୟୁ ଚାହେଁ-।’

 

ଅଠେଇଶ ବର୍ଷ ବୟସର ମିଶ୍ରବାବୁଙ୍କର ଇଏ ଏକ ଅଦ୍ଭୁତ କଳ୍ପନା । ଅତି କମ୍‌ ବୟସରୁ ଜୀବନ ପ୍ରତି ଉଦାସୀନ ହୋଇଯାଇଛନ୍ତି । କୌଣସି କାରଣରୁ ବିଚ୍ୟୁତି ଘଟିଛି । ନହେଲେ ଏତେ ସୁନ୍ଦର ବୟସର ଉପଭୋଗକୁ ଏତେ ସହଜରେ ଛାଡ଼ି ଦେବାକୁ କିଏ ମନ ବଳାଏ ? ଏ ବୟସରେ ମରଣ-ଚିନ୍ତା ତ ମୋଟେ ହେଲେ ମନେ ପଡ଼େନାହିଁ ।

 

ସେ କଥା କହିଲେ ମହାପାତ୍ର ବାବୁ ଉତ୍ତର ଦିଅନ୍ତି, ‘ମିଶ୍ରବାବୁଙ୍କ କଥା କାହିଁକି ଶୁଣିଛନ୍ତି ଆଜ୍ଞା ! ଥରେ ଥରେ ପାଗଳାମୀ ବାହାରିଲେ ଏଣୁ ତେଣୁ ଗୁଡ଼ିଏ ବକି ହୁଅନ୍ତି । ପୁଣି ଆରକ୍ଷଣକୁ ଯେଉଁ କଥାକୁ ସେହି କଥା । ସୁନ୍ଦର କଥାଭାଷା, ଅତି ସୁନ୍ଦର ବ୍ୟବହାର ।’

 

ଅଶୋକ ପାତ୍ର ସେ ପାଗଳାମୀର ଅର୍ଥ ଖୋଜି ପାଏ ନାହିଁ । ନିର୍ବୋଧପରି ମିଶ୍ରବାକୁ ଓ ମହାପାତ୍ର ବାବୁଙ୍କୁ ଏକ ସମୟରେ ଅନାଏ । ପୁଣି ନୀରବ ହୋଇଯାଏ ।

 

ଚିଲିକାର ଚିତ୍ତ-ଚଞ୍ଚଳକାରୀ ଦୃଶ୍ୟ ଛାଡ଼ି ଚାଲି ଆସିବା ପରେ ସହକର୍ମୀ ମହାପାତ୍ର ବାବୁଙ୍କୁ ଯେଉଁ ଝିଅଟିର ଲାଜ, ସଙ୍କୋଚ ମିଶା ଭସାଣିଆ ଆଖି ଦୁଇଟି ଆକର୍ଷଣର ବ୍ୟୁହ ଭିତରେ ବନ୍ଦୀ କଲା, ତାର ପରିଚୟ ତାଙ୍କ ଭିତରୁ କାହାକୁ ହେଲେ ଜଣା ନାହିଁ ।

 

ତା ନାଁ ‘ଚମ୍ପା’ ହୋଇଥିବ । ଅଙ୍ଗଲତାରେ ଚମ୍ପା ପାଖୁଡ ର କାନ୍ତି ଅଛି । ସୋରିଆ ଆଖି ଦୁଇଟିରେ ଚମ୍ପାଫୁଲର ସୁରଭି । ଗେହ୍ଲାଳିଆ ହସ ଭିତରୁ ସରାଗର ପରାଗ ଝରେ । ତାକୁ ଯଦି ଚମ୍ପା ନାଁ ଦିଆ ହୋଇନାହିଁ, ବୁଝିବାକୁ ହେବ ତା’ ଉପରେ ରୀତିମତ ଅନ୍ୟାୟ କରା ହୋଇଛି । ମିଶ୍ରବାକୁ ପ୍ରକାଶ କଲେ ।

 

ସେ ଝିଅଟି ପ୍ରତି ଏତେବଡ଼ ଅନ୍ୟାୟ ମୁଁ ସହି ପାରିବିନି । କୌଣସି ଆଧୁନିକା ତରୁଣୀକୁ ଚମ୍ପା ବୋଲି ଡାକିଲେ ସେ ନିଶ୍ଚୟ ନାପସନ୍ଦ କରିବ । ରକେଟ୍‌ ଯୁଗରେ କେତେ ନାଁ କେତେ ରୂପ ଧରି ବିକାଶଲାଭ କରିଛି । ପୁରୁଣାକାଳିଆ ନାଁ ‘ଚମ୍ପା’ ଭିତରେ କେହି ଆବଦ୍ଧ ହେବାକୁ ଚାହେଁନା । ତା’ ନାଁ ‘ଚମ୍ପା’ ଅପେକ୍ଷା ଆହୁରି ସୁନ୍ଦର ଓ ସରସ ହୋଇଥିବ ।

 

ତେବେ ? ମିଶ୍ରବାବୁ ମହାପାତ୍ରଙ୍କ ପ୍ରତିବାଦକୁ ଏକ ପ୍ରକାର ସମର୍ଥନ କରି ଯାଇଥିଲେ-

 

‘ତୋ’ ନାଁ ଚପଳା ।’

 

ଚମତ୍କାର ନାଁଟିଏ । ସେଇ ତ ପ୍ରଥମେ ଏ ମନଟାକୁ ଚପଳ କରିଦେଲା । ତା’ ରୂପ ବିଭବରେ ସୌନ୍ଦର୍ଯ୍ୟପୂରା ଚିଲିକାର ସୁସ୍ପଷ୍ଟ ସ୍ୱାକ୍ଷର ମିଶିଛି । କୃଷ୍ଣ କୁନ୍ତଳ ଭିତରେ ପାରିକୁଦର ଆଷାଢ଼ ଆକାଶକୁ ହୁଏତ ବନ୍ଦୀ କରି ରଖିଥିବ । ତାର ଲୀଳା ଚଞ୍ଚଳ ଡୋଳାରେ ଚିଲିକା-ଛାତିର-ନୀଳ-ଢେଉ କଥା କହେ । ଯୁବକର ମନ ଚିହ୍ନି ବାରମ୍ବାର ହସେ । ମିଶ୍ରବାବୁ ଭାବୁଥିଲେ ।

 

ସେ ଦୁହେଁ ଅଶୋକ ପାତ୍ରକୁ ହଷ୍ଟେଲ ବସାରେ ଛାଡ଼ିଦେଇ ବୁଲିବାକୁ ଚାଲିଗଲେ ।

 

ବସାର ପ୍ରଥମ ଝରକା ଖୋଲିଦେଲେ ପ୍ରଥମେ ଆଖିରେ ପଡ଼େ କୃଷ୍ଣପ୍ରସାଦର ବିପର୍ଯ୍ୟସ୍ତ ସ୍କୁଲ ଗୃହଟି । କେବେ ଦିନେ ସିନା ମାଇନର ସ୍କୁଲ ଥିଲା, ଏଇନେ କମି କମି ୟୁ. ପି. ସ୍କୁଲ ହୋଇଛି । ଏହି ଅଧୋପତନ ନେଇ କାହାରି ମୁଣ୍ଡବ୍ୟଥା ହୁଏନାହିଁ । ସ୍ଥାନୀୟ ଶିକ୍ଷକ ପଣ୍ଡାବାବୁ କହନ୍ତି, ଏହାହିଁ ତାଙ୍କରି ପ୍ରିୟ-ନିବାସ ପାରିକୁଦର ଇତିବୃତ୍ତି । ଦେଶର କେଉଁଠି କେଉଁଠି ହାଇସ୍କୁଲ ହେଉଛି । କିନ୍ତୁ କୃଷ୍ଣପ୍ରସାଦର ‘ମାଇନର-ସ୍କୁଲ-ପାହାଚରୁ ଖସି-ଆସି ୟୁ. ପି.ରେ ପହୁଞ୍ଚିଥିବା’ ଇସ୍କୁଲଟିର ଅବସ୍ଥା ଟଳମଳ । କେମିତି କଣ ହେବ ଯେ ? ଯେଉଁଠି ପ୍ରଜାମାନେ ଦିନର ଚବିଶି ଘଣ୍ଟା ଖଟି ଦି’ ଓଳି ଦି’ ମୁଠା ପେଟପୁରା ଭାତ ଖାଇ ପାରନ୍ତି ନାହିଁ; ସେଇଠି ଶିକ୍ଷାର ମୂଳଦୁଆ ଦେଖୁଛି କିଏ ? ପାରିକୁଦର ଜନଗଣନା ହିସାବ କହିବ, ସେଇଠି ଅର୍ଦ୍ଧାଧିକ ମଣିଷ ଅଶିକ୍ଷିତ; ଅର୍ଦ୍ଧଭୂକ୍ତ । ଚାଷ କହିଲେ ଧାନ ବ୍ୟତୀତ ଆଉ କିଛି ହୁଏ ନାହିଁ । ରବି ଫସଲ ନାଁ ଗନ୍ଧ ନାହିଁ । ନଡ଼ିଆ କି ଆମ୍ବ ଗଛଟିଏ ଦେଖିବାକୁ ସ୍ୱପ୍ନ । ଚିଲିକା ମଝିରେ ଥାଇ ବି ଲୋକେ ମାଛ ଶୁଖିଆର ମୁହଁ ଦେଖି ପାରିଲେ ନାହିଁ । ଧାନ ଫସଲରୁ ସବୁ ଖର୍ଚ୍ଚ । ଧାନହିଁ ପାରିକୁଦର ଅର୍ଥନୀତିକୁ ସଜାଡ଼େ । ସେଠି ମାଇନରସ୍କୁଲ ଭାଙ୍ଗି ଯିବାଟା ବଡ଼ କଥା ନୁହେଁ । ଜୀବନ ରହିଛି, ସେଇ ଯଥେଷ୍ଟ ।

 

ସ୍କୁଲ ପରେ ପରେ କନକ-ଦୁର୍ଗା ମନ୍ଦିର ଓ ଜମିଦାର ଉଆସ । ଆଜିକାଲି ସିନା ଜମିଦାରୀ ଉଠି ଗଲାଣି, ଇଂରାଜୀ ଶାସନ ବେଳେ ଜମିଦାର ରାଜାର କ୍ଷମତା ପାଇଥିଲେ । ଉଆସର ଚୂନ କାନ୍ଥଗୁଡ଼ାକ ଯଦି କଥା କହି ପାରୁଥାନ୍ତେ, ସେମାନେ ଅତୀତର ସେହି ଜାକଜକମ ଓ ଆଡ଼ମ୍ବର କଥା କହନ୍ତେ । ଉଆସର ଫାଟକ ପାଖରେ ଛିଡ଼ା ହେଲେ, ଏଇନେ ବି ତା’ ଦେହରୁ ବିଳାସ ଓ ପ୍ରାଚୁର୍ଯ୍ୟର ଗନ୍ଧ ବାହାରେ । ଆଗନ୍ତୁକ ଆଖିରେ ବିସ୍ମୟ ଜମାଟ ବାନ୍ଧେ ।

 

ଲୋକେ କହନ୍ତି, ଦିନ ଥିଲା ଯେତେବେଳେ ଉଆସର କନକଦୁର୍ଗାଙ୍କୁ ଡାକିଲେ ଜବାବ ଦେଉଥିଲେ । ପାରୀକୁଦର ରାଜଧାନୀ କୃଷ୍ଣପ୍ରସାଦର ଅନେକ ପ୍ରଜା ହୁଏତ ତାଙ୍କୁ ନିଜ ଆଖିରେ ଦେଖିଥିବେ । ଯାତ୍ରା ପରବ ଦିନ ସମୟ ଦେଖି ବେଳେ ବେଳେ ସେ ବୁଲି ବାହାରନ୍ତି । ‘ଲଫିଙ୍ଗ’ ଗାଁଟାକୁ ବେଢ଼ାବୁଲି ସାନ ଅଅଁଳା, ବଡ଼ ଅଅଁଳା ଭିତର ଦେଇ ରାଜବାଟୀରେ ପଶିଯାନ୍ତି । ଦେହରେ କସ୍ତା ଶାଢ଼ି ଓ କପାଳରେ ବଡ଼ ସିନ୍ଦୁର ଟୋପାଟିଏ । ଚାଲିଗଲେ ରାସ୍ତାଘାଟ ସାରା ମହ ମହ ହୋଇ ବାସି ଉଠେ । ଷୋହଳ ବର୍ଷର ସାଧବାଣୀ ବୋହୂପରି ରୂପ । ପାଦ ତଳେ ପଦ୍ମଫୁଟି ସଙ୍ଗେ ସଙ୍ଗେ ଉଭାନ ହୋଇଯାଏ ।

 

ନଅର ଭିତରେ ତାଙ୍କର ଅନେକ ସମ୍ମାନ, ଖାଲି ନଅର ନୁହେ ତ, ସମଗ୍ର ପାରିକୁଦ ତାଙ୍କୁ ଭକ୍ତି କରେ । ଏଇନେ ସିନା ଆଗକାଳର ଦୀପ୍ତି ନାହିଁ କି ପୂଜାପାର୍ବଣ ନାହିଁ, ବର୍ଷ କେଇଟା ଆଗରୁ କେତେ ପୂଜା ପାଉ ନଥିଲେ ! ରାଜ୍ୟ ଯିବା ଖବରଟା ସେ ବହୁ ପୂର୍ବରୁ ଜାଣିଥିଲେ । ତାହାହିଁ ଜଣାଇ ଦେବାକୁ ନିଜ ଆସନରୁ ଥରକୁ ଥର ତିନିଥର ତଳେ ଖସି ପଡ଼ିଲେ । ନାନା ପ୍ରତିକାର ଓ ସାବଧାନତା ସତ୍ତ୍ୱେ କନକ ଦୁର୍ଗାଙ୍କର ଏ ଗତି ଦେଖି ସେବକ ସବୁକଥା ଜାଣି ପାରିଥିଲେ ।

 

ନଅରବେଢ଼ା ଆଜି ହତଶ୍ରୀ ହୋଇ ପଡ଼ିଛି । ଅଗଣାପଟର ପୋଖରୀଟାର ଅବସ୍ଥା ମଧ୍ୟ ସେମିତି ଜୀର୍ଣ୍ଣଶୀର୍ଣ୍ଣ । ପଙ୍କୋଦ୍ଧାର କି ରକ୍ଷଣାବେକ୍ଷଣ କରୁଛି କିଏ ? ଦେଶର ଯାହା ଅବସ୍ଥା ହେଲାଣି, ନିଜେ ଚଳିବା ମୁଷ୍କିଲ । ଜୀବନ ବଡ଼ ନାଁ ସଉକ ବଡ଼ ?

 

ଅଶୋକ ପାତ୍ର ପାରିକୁଦର ସେହି ନିର୍ଜନ ପ୍ରକୋଷ୍ଠ ଭିତରେ ବସି ଆଗପଛ ଅନେକ କଥା ଭାବି ହେଉଥିଲେ । ପାରିକୁଦ ବିଷୟରେ ସବୁକଥା ଜାଣିନେବା ପାଇଁ ଇଚ୍ଛା ହେଉଥାଏ । ପ୍ରଥମେ ତାଙ୍କର ଧାରଣା ଥିଲା, ପାରିକୁଦ ଚିଲିକା ମଝିରେ ଛୋଟିଆ ଗାଁଟିଏ । ଚିଲିକାର ନୀଳତରଙ୍ଗ ଆସି ତାର ପଦଧୌତ କରେ । ନଡ଼ିଆ ଓ ଗୁଆଗଛର ପତ୍ର ଲୁଣିଆ ପବନରେ ହଲି ଦୋହଲି ଖେଳୁଥାଏ । ଲୋକଙ୍କର ଅଭାବ ନାହିଁ କି ଅସୁବିଧା ନାହିଁ । ପୁରୁଷ ସ୍ତ୍ରୀମାନେ ସର୍ବଦା ହସୁଥାନ୍ତି ।

 

କିନ୍ତୁ ସେ ଧାରଣା ଏଇନେ ବଦଳି ଯାଇଛି ।

 

ଆଜ୍ଞା ମୁଁ ଆସିପାରେଁ ? ଜଣେ ଭଦ୍ରଲୋକ ଆସି ବସାମୁହଁରେ ଛିଡ଼ା ହୋଇଛନ୍ତି ।

 

ଅଶୋକପାତ୍ର ତାଙ୍କୁ ପାଛୋଟି ଆଣିବାକୁ କବାଟ ପାଖରେ ପଡ଼ିଥିବା ଚୌକିଆଡ଼କୁ ଚାଲିଲେ ।

 

ଭଦ୍ରଲୋକଙ୍କ ବୟସ ବେଶୀ ହେଲେ ତିରିଶ ଡେଇଁବ ନାହିଁ । କପାଳ ଉପରେ ତୈଲଙ୍ଗୀ ଚିତାଟିଏ । ହାବଭାବରେ ଯୁବକ ସୁଲଭ ସ୍ୱଭାବ । ବେଶ୍‌ ଭଦ୍ର ଓ ନମ୍ର ଜଣାପଡ଼ୁଛନ୍ତି । ଅନ୍ୟ ଯାହାକିଛି ହେଉନା କାହିଁକି, ନିର୍ବାଚନ ଡ୍ୟୁଟି ଗୁଡ଼ାଏ ଅପରିଚିତ ଭଦ୍ରବ୍ୟକ୍ତିଙ୍କ ସଙ୍ଗରେ ପରିଚିତ କରାଇ ଦେଲା । ଡ୍ୟୁଟି ନଥିଲେ ପାରିକୁଦ କିଏ ଆଉ ଅଶୋକ ପାତ୍ର କିଏ ? ଅବଶ୍ୟ ବହୁପୂର୍ବରୁ କାଳିଯାଈ ଓ ପାରିକୁଦ ଦେଖିବାର ଅଭିଳାସ ଥିଲା । କିନ୍ତୁ ସେ ଅଭିଳାଷ ମନ ଭିତରେ ହିଁ ସମାଧି ନେଇଥାନ୍ତା । ଆସିବାକୁ ବେଳ ହେଲେ ତ ଆସିବ ? ପୁଣି ବେଳ ହେଲେ ସୁବିଧା ସୁଯୋଗ କାହିଁ ??

 

ଅନୁମତି କଣ ଦରକାର ଥିଲା ଯେ ? ଆସନ୍ତୁ ! ଅଶୋକ ପ୍ରତି ନମସ୍କାର କରୁ କରୁ ଉତ୍ତର ଦେଲେ ।

 

ମୋ ନାଁ ବୀରେନ୍ଦ୍ର କାନୁନ୍‌ଗୋ । ମୁଁ କୃଷ୍ଣପ୍ରସାଦର ଭେଟେନାରୀ ବିଭାଗରେ କାମ କରେ । କଟକରେ ମୋର ଘର କିନାଁ, ଏ ନିର୍ଜନ, ନିଃସଙ୍ଗ ଦ୍ୱୀପ ଭଲ ଲାଗୁନାହିଁ । ନୂଆ ଲୋକଟିଏ ଦେଖିଲେ କଥାବାର୍ତ୍ତା କରି ଘଣ୍ଟେ ଦି’ଘଣ୍ଟା କଟାଇ ଦେବାକୁ ମନ ଭିତରେ ଅହେତୁକ ଆଗ୍ରହ ଆସେ । ସେ ଆଗ୍ରହକୁ ଦମନ କରି ନ ପାରି ଆଗେଇ ଆସେଁ । କିନ୍ତୁ ଆଗରୁ କହି ରଖୁଛି; ନିର୍ବାଚନ ସଙ୍ଗେ ମୋର କିଛିହେଲେ ସମ୍ପର୍କ ନାହିଁ ।

 

ସେଥିରେ କଣ ଅଛି ? ଆସନ୍ତୁ ଗପ କରିବା ।

 

ଆପଣ ସିନା କହୁଛନ୍ତି ସେଥିରେ କିଛିନାହିଁ; କିନ୍ତୁ ଆପଣଙ୍କର ନିର୍ବାଚନ ଡ୍ୟୁଟି ହେତୁ ଆମକୁ ଭୟ ଲାଗୁଛି ।

 

ଭୟର କାରଣ ଯେ ?

 

ଆପଣଙ୍କ କ୍ଷମତା !

 

ଅଶୋକ ପାତ୍ର ଏ ‘କ୍ଷମତା’ କଥା ଶୁଣି ହସିବାକୁ ଲାଗିଲେ । ଅଦ୍ଭୁତ କ୍ଷମତା ଇଏ ! ନିର୍ବାଚନ ଯାଏ ତାର ସ୍ଥାୟିତ୍ୱ । ତା’ପରେ ଯୋଉ କଥାକୁ ସେହି କଥା । ପୁଣି ଚିରାଚରିତ କର୍ମପନ୍ଥା-। ନୂତନତା ନାହିଁ କି ରୋମାଞ୍ଚ ନାହିଁ । ନିଜର ସ୍ଥିତି ଓ ଦାବୀ ପାଇଁ ଟଣାଓଟରା । କେତେ ଅପମାନ, କେତେ ଅସମ୍ମାନ । ବୈଚିତ୍ରହୀନ ଜୀବନ ଭିତରେ ନିର୍ବାଚନ ଡ୍ୟୁଟିଜନିତ ସାମାନ୍ୟ ପରିବର୍ତ୍ତନ ବି ଗ୍ରହଣୀୟ ।

 

ଅଶୋକ ପାତ୍ର ଓ ବୀରେନ୍ଦ୍ର ବାବୁ ସାମନା ସାମନି ଦୁଇଟି ଚୌକିରେ ବସି କଥାବାର୍ତ୍ତା କରୁଥିଲେ । ସାମାନ୍ୟ ମିନିଟ୍‌ କେଇଟା ପରେ ପରସ୍ପର ଭିତରୁ ଅପରିଚିତ ଭାବ ଦୂରେଇ ଗଲା । କାରଣ ସେ ଦୁହିଙ୍କ ମନୋବୃତ୍ତି ମଧ୍ୟରେ ଏକ ଅଦ୍ଭୁତ ସାମଞ୍ଜସ୍ୟ ଥିଲା । ଦୁହିଙ୍କ ଭାବନା ସମାନ୍ତରାଳ ଭାବରେ ଗୋଟିଏ ଦିଗକୁ ବୋହି ଯାଉଥିଲା । ଦୁହେଁ ଦୁହିଙ୍କ କଥାକୁ ମନଦେଇ ଶୁଣୁଥିଲେ ଓ ଉପଭୋଗ କରୁଥିଲେ । ସମୟର ବ୍ୟବଧାନ ଦୂରେଇ ଗଲା । ସେମାନେ ଭାବୁଥିଲେ, ବୋଧହୁଏ ବହୁପୂର୍ବରୁ ଜଣେ ଅନ୍ୟଜଣଙ୍କ ସଙ୍ଗରେ ମିଶି ବନ୍ଧୁତ୍ୱ ସ୍ଥାପନ କରିଥିଲା । ଏ ଜନ୍ମରେ ନହେଲେ ବି ପରିଚୟଟା ପୂର୍ବଜନ୍ମର ହୋଇପାରେ ।

 

କାନୁନ୍‌ଗୋ ବାବୁ ବର୍ଷ ଦୁଇଟା ଭିତରେ ସମୁଦାୟ ପାରିକୁଦର ଖବର ସଂଗ୍ରହ କରିଛନ୍ତି-। ଅଫିସ୍‌ଡ୍ୟୁଟିରେ ଗାଁକୁ ଗାଁ ବୁଲି ପାରିକୁଦର ପ୍ରତ୍ୟେକଟି ସମସ୍ୟାର ଖବର ନିଅନ୍ତି । ତେଣୁ ତାଙ୍କ ମୁହଁରୁ ଯେ ଏହି ରହସ୍ୟାବୃତ୍ତ ଦ୍ୱୀପର ଅନେକ କଥା ବୁଝା ପଡ଼ିବ, ଅଶୋକ ବାବୁଙ୍କର ସେହି ଆଶା ଆଂଶିକ ଭାବରେ ସଫଳ ହେଲା ।

 

କୌଣସି ଅଞ୍ଚଳକୁ ଦିନ ଦୁଇଟା ଭିତରେ ଅଧ୍ୟୟନ କରି ହୁଏନାହିଁ । ସମସ୍ୟାତ ଦୂରର କଥା, ସାଧାରଣ ଜୀବନ ପ୍ରବାହକୁ ଦେଖିବାର ଅଭିଳାଷ ବି ପୂର୍ଣ୍ଣ ହୁଏନାହିଁ । କେତେ ଲୋକଙ୍କର କେତେ ସମସ୍ୟା ! ଗୋଟିଏ ଗାଁର ସହସ୍ର ଖବର । ମଣିଷ ମୁହଁର ପ୍ରକାର ଯେତିକି ତା ଭିତରର ସମସ୍ୟା ବି ସେତିକି । ତା’ଛଡ଼ା କାନୁନ୍‌ଗୋ ବାବୁ ସ୍ଥାନୀୟ ବାସିନ୍ଦା ନୁହଁନ୍ତି ।

 

ତଥାପି ସେ ଯେତିକି ଖବର ଦେଲେ ଅଶୋକ ପାତ୍ରଙ୍କ ଆଗରେ ସେତିକି ହିଁ ଯଥେଷ୍ଟ ଥିଲା ।

 

ବୀରେନ୍ଦ୍ରବାବୁ କହୁଥିଲେ, ଶତାଧିକ ଗ୍ରାମର ସମହାରରେହିଁ ପାରିକୁଦର ସୃଷ୍ଟି । ଶତାଧିକ ଗ୍ରାମର ସହସ୍ରାଧିକ ସମସ୍ୟା । କିନ୍ତୁ ସେ ସମସ୍ୟାଗୁଡ଼ିକ ଆମେରିକା ବା ରୁଷ ପରି ରକେଟ୍‌ଗତି ସମସ୍ୟା ନୁହେ କି ସାମ୍ୟବାଦ ଅଥବା ପୁଞ୍ଜିବାଦ ପରି ପ୍ରଶ୍ନ-ବହୁଳ ସମସ୍ୟା ନୁହେ । ସେ ସମସ୍ୟା ଭୋଖିଲା ପେଟର, ସଜଳ ଆଖିର । ଜିନିଷପତ୍ରର ଦରଦାମ ହୁ ହୁ ହୋଇ ବଢ଼ୁଛି । ଫସଲ ଧାନ ଗଣ୍ଡାକ ତାକୁ କେତେ ସମ୍ଭାଳିବ ? ଲୋକଙ୍କ ମୁହଁରୁ ହସ ଆଉ ବାହୁରୁ ନାହିଁ । ତାଙ୍କ ପାଇଁ ବର୍ଷର ଛଅଟିଯାକ ଋତୁ ସମାନ । ଆଷାଢ଼ୀ ମେଘ ଆସି ଗୁଡ଼ାଏ କଦମ୍ବ ଫୁଲ ଫୁଟାଇ ଯାଏ ସିନା, ସେ ଫୁଲରେ ମନଟଣା ଗନ୍ଧ ଦିଏ ନାହିଁ । ମାଦକ ଭରା ମଳୟର କଳଗୁଞ୍ଜନ ପାରିକୁଦ ପ୍ରଜାର ଆଖି ଲୁହରେ କବର ନିଏ । ଝରା ବସନ୍ତ ଆସି ଆଖି ପଲକରେ ଉଭେଇ ଯାଏ । ସମଗ୍ର ପାରିକୁଦର ଛାତି ପୋଡ଼ିଜଳି ଯାଉଛି । ଯାହା ହେଲେ ବି ଅଣ୍ଟୁ ନାହିଁ । ସେଇଠି ଋତୁଚକ୍ରର କୌଣସି ମାନେ ହୁଏନାଁ । ଅଭାବ, ଅନାଟନର ରଥଚକ୍ରରେ ପଡ଼ି ସେମାନେ ବୁଦ୍ଧି ଜାଣିଲା ଦିନୁ ପେଷି ହେଉଛନ୍ତି । ପରିବାରର ଗୃହସ୍ଥ ରୋଗ–ସନ୍ତପ୍ତ–ଆତ୍ମୀୟ ମୁହଁରେ ଔଷଧ ପାନେ ଦେଇପାରୁ ନାହାନ୍ତି । ଜୀବନ ଗଲାବେଳେ ଧନ ସମ୍ପଦକୁ ବାଜି ରଖି ବାଲୁଗାଁ ଯିବା କଥା । ଚିଲିକା ମଝିରେ ଜୀବନ ଯଦି ବଞ୍ଚିଗଲା, ତାହାହେଲେ କିଛି କରାଯାଇ ପାରିବ । ଅଶିକ୍ଷିତ ବୈଦ୍ୟ ଓ ସୁବିଧାବାଦୀ ଗୁଣିଆ ହାତରେ ଭବିଷ୍ୟତକୁ ବନ୍ଧା ରଖି କାଳିଜାଈର ଶରଣ ପଶିବା କଥା । ଜୀବନର ମୂଲ୍ୟ ପାରିକୁଦ ଭୂଇଁରେ ଅତି ନଗଣ୍ୟ । ସେଇଥିପାଇଁ କୃଷ୍ଣପ୍ରସାଦର ସ୍ୱଳ୍ପକାୟ ଡାକ୍ତରଖାନାରେ ରୋଗୀ ପାଇଁ ଶଯ୍ୟା ବି ନାହିଁ । ଯେ କୌଣସି ସ୍ତରର କର୍ମଚାରୀ, ପାରିକୁଦ ବଦଳି ହେଲେ ଭାବେ ଗୋଟିଏ ନିର୍ଜନ ନିଃଶବ୍ଦ ଦ୍ୱୀପରେ ନିର୍ବାସନ ଦଣ୍ଡ ଭୋଗିବାକୁ ଯାଉଛି । ଯେଉଁ କେତୋଟି କର୍ମଚାରୀ ଉପାୟନ୍ତର ହୋଇ ପାରିକୁଦ ଆସନ୍ତି ସେମାନେ ଧରିନିଅନ୍ତି ଗତଜନ୍ମରେ ଗରୀୟାନ ପାପ କରିଥିଲେ । ପାପର ମାତ୍ରା ବେଶୀ ହୋଇ ଯାଇଥିଲା ବୋଲି ଗୋଟିଏ ଜନ୍ମରେ ତାର ପ୍ରତିଫଳ ଶେଷ ହେଲା ନାହିଁ । ଏ ଜନ୍ମରେ ବଳକା କର୍ମଫଳ ଭୋଗିବାକୁ ପଡ଼ୁଛି ।

 

ତିତିପୋ, ନୂଆପଡ଼ା, କୃଷ୍ଣପ୍ରସାଦ, ମାଲୁଦ ଓ ବଜ୍ରକୋଟ ଏଇ ପାଞ୍ଚୋଟି ବିଚ୍ଛିନ୍ନ ଦ୍ୱୀପକୁ ନେଇ ଚିଲିକା ମଝିରେ ପାରିକୁଦ । ତାହାରି ଅଧୀନରେ ଶହେ ନଅଟି ମୌଜା । ଭୋଜିଭାତ କଲେ ଲୋକେ ନାହାରେ ଯାଇ ବନ୍ଧୁବାନ୍ଧବଙ୍କୁ ଡକାହକା କରନ୍ତି । ଚିଲିକା ପାଣିକୁ ସେମାନେ ଭୟ କରନ୍ତି ନାହିଁ । ରାତିଅଧରେ ବି ପାଣି ଭିତରେ ସେମାନେ ଯା’ଆସ କରନ୍ତି ।

 

ପୂର୍ବେ ଏ ବିଚ୍ଛିନ୍ନ ଦ୍ୱୀପର ସଂଖ୍ୟା ଆଉ ଟିକିଏ ଅଧିକ ଥିଲା । ସିଆଳ ଏକ ପୃଥକ୍‌ ଦ୍ୱୀପ ଭାବରେ ପରିଚୟ ଦେଉଥିଲା । ଏଇନେ ଚିଲିକା ପାଣିରେ ବନ୍ଧ ବାନ୍ଧି ତାକୁ ଅନ୍ୟ ଅଞ୍ଚଳ ସଙ୍ଗେ ସଂପୃକ୍ତ କରାଯାଇଛି । ସ୍ଥାନୀୟ ଉନ୍ନୟନ କାର୍ଯ୍ୟକ୍ରମରେ ଆହୁରି କେତୋଟି ବିଚ୍ଛିନ୍ନ ଦ୍ୱୀପକୁ ଅନ୍ୟ ଦ୍ୱୀପ ସଙ୍ଗେ ମିଶାଇ ଦିଆଯାଇଛି ।

 

କୋଡ଼ିଏବର୍ଷ ପୂର୍ବେ ଉଆଁରାକୁଦି, ଡୁଗୁରାକୁଦି ବୋଲି ଯେଉଁ ଦୁଇଟି ଦ୍ୱୀପ ସେମାନଙ୍କ ସ୍ୱାତନ୍ତ୍ର୍ୟକୁ ଅକ୍ଷୁଣ୍ଣ ରଖି ପାରିକୁଦ ପ୍ରଗତିରେ ସହଯୋଗ କରୁଥିଲେ, ସେ ଦୁଇଟି ସ୍ଥାନର ସତ୍ତା ଆଉ ନାହିଁ । ସେ ଗ୍ରାମର ଜନସାଧାରଣ ବି ଆଉ ନାହାନ୍ତି । ପୁରୁଣା ଓଡ଼ିଶା ମାନଚିତ୍ର ଯଦି କାହା ପାଖରେ ଥାଏ, ଏବେ ବି ତହିଁରେ ଏହାର ନାମୋଲ୍ଲେଖ ଥିବ । କିନ୍ତୁ ୧୯୪୨ ରେ ଚିଲିକା-ଝଡ଼ ସେ ଦୁଇଟି ସ୍ଥାନ ଉପରେ ଦାଉ ସାଧିଲା । ସେ ଦ୍ୱୀପର ଜନବାସୀଙ୍କର ଆଶା, ଆକାଙ୍‌କ୍ଷାକୁ ଗୋଟିଏ ଅଶୁଭ ଲଗ୍ନରେ ନିଶ୍ଚିନ୍ନ କରିଦେଲା । ସେ ଝଡ଼ର ଦାଉରୁ କେହି ରକ୍ଷା ପାଇପାରିଲେ ନାହିଁ । ଯେଉଁ କେତୋଟି ସ୍ତ୍ରୀ ପୁରୁଷ ବଞ୍ଚିଗଲେ ସେମାନେ ସେମାନଙ୍କ ପ୍ରିୟ ଗାଁ ସମ୍ବନ୍ଧରେ କଥାବାର୍ତ୍ତା କରନ୍ତି । ସେମାନଙ୍କ ପରେ ହୁଏତ ପାରିକୁଦବାସୀ ସେ ଦୁର୍ଘଟଣାକୁ ଭୁଲିଯିବେ । ଉଆଁରାକୁଦି ଓ ଡୁଗୁରାକୁଦି ଆଉ ମନେପଡ଼ିବ ନାହିଁ ।

 

ଚିଲିକା ଭିତରେ ଆଉ ଯେଉଁ କେତୋଟି ସ୍ଥଳଭାଗର ଦୃଷ୍ଟିଗୋଚର ହୁଏ ସେମାନଙ୍କ ମଧ୍ୟରେ କାଳିଜାଈ, ଦ୍ୱୀପପର୍ବତ ଓ ନଳବଣର ନାଁ ଉଲ୍ଲେଖ ଯୋଗ୍ୟ । ଚିଲିକାର ସେଦିନର ଝଡ଼ ନଳବଣର ବେତବଣକୁ ବିପର୍ଯ୍ୟସ୍ତ କରିଦେଲା ।

 

ନଳବଣ ଖରା ଚାରିମାସ ଆଖିରେ ପଡ଼େ । ବର୍ଷା ଋତୁରେ ସେ ପାଣି ଭିତରେ ବୁଡ଼ିଯାଏ ।

 

କାଳିଜାଈ-ପାହାଡ଼ କାଳିଜାଈ-ଠାକୁରାଣୀଙ୍କ ପାଇଁ ସୁ-ବିଖ୍ୟାତ । ତିନୋଟି ପାହାଡ଼ର ସମଷ୍ଟିରେ ଏହି ଜନମାନବ ଶୂନ୍ୟ ଉପ–ଦ୍ୱୀପର ସୃଷ୍ଟି । ବର୍ଷ ଭିତରେ ଦିନଟିଏ ଲୋକେ ଏଇଠି ଆସି ଜମାହୁଅନ୍ତି । ମକର ସଂକ୍ରାନ୍ତି ଖୁବ୍‌ ଜାକଜମକରେ ପାଳନ କରାଯାଏ । ଦେବୀଙ୍କ ପାଖରେ ବଳି ପଡ଼େ । ବଳି ରକ୍ତ ତଳ ପାହାଡ଼କୁ ତିନ୍ତାଇ ଦେଇ ଚିଲିକା ଗର୍ଭକୁ ବୋହିଯାଏ । ବର୍ଷ କେଇଟା ହେଲା ସେତେଭାବରେ ବଳି ପଡ଼ୁନି । ଲୋକେ ଦେବୀଙ୍କ ଉଦ୍ଦେଶ୍ୟରେ ମନାସିଥିବା କୁକୁଡ଼ା, ବୋଦା ପ୍ରଭୃତି ଜୀବଜନ୍ତୁଙ୍କୁ ନିର୍ଜନ ଦ୍ୱୀପରେ ଛାଡ଼ି ଆସନ୍ତି । ବୃକ୍ଷଲତାହୀନ କାଳିଜାଈ ପାହାଡ଼ରେ ସେମାନେ ଦେବୀଙ୍କ ମୁହଁକୁ ଅନାଇ ଅନାଇ ପ୍ରାଣ ଛାଡ଼ନ୍ତି । ଏଥିରେ ଭକ୍ତର କେଉଁ ଉଦ୍ଦେଶ୍ୟ ସଫଳ ହୁଏ ବୁଝି ହୁଏନା । ବାକ୍‌ହୀନ ଜୀବଜନ୍ତୁଙ୍କ ମର୍ମନ୍ତୁଦ ମୃତ୍ୟୁହିଁ ସାର ହୁଏ ।

 

ତଥାପି ପାରିକୁଦ ଅଞ୍ଚଳବାସୀଙ୍କର କାଳିଜାଈଙ୍କ ଉପରେ ଅଗାଧ ବିଶ୍ୱାସ । ବେଳେବେଳେ ସେ ରିପିଙ୍ଗ୍‌ବା ଗୋଲପୁର ଲୋକଙ୍କ ଦେହରେ ପ୍ରସନ୍ନ ହୁଅନ୍ତି । ଦେବୀଙ୍କର ଯାଚିଲା ଜିନିଷ ଦେଇ ଆସି ନଥିଲେ ମନେପକାଇ ଦିଅନ୍ତି । ନିର୍ଜନ ଦ୍ୱୀପ ଭିତରୁ ନିଆଶ୍ରୀ ଜୀବଜନ୍ତୁଙ୍କୁ ସଙ୍ଗରେ ନେଇ ଆସିବାକୁ କେହି ସାହସ କରନ୍ତି ନାହିଁ । ଥରେ ଦି’ଥର ବାଲୁଗାଁ ନାଉରିଆମାନେ ଏ ଦୁଃସାହସରେ ହାତ ଦେଇ ଅଯଥା ହଇରାଣ ହେଲେ । ଚିଲିକା ମଝିରେ ଅଚାନକ ଝଡ଼ ବତାସ ହେଲା । ଝଡ଼ ପବନରେ ଘୁଘୁ ହୋଇ ଦୈବୀବାଣୀ ହେଲା । ଦେବୀ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଲେ, ‘ମୋ ଜିନିଷ ଫେରାଇ ଦେବୁ ନାଁ ପ୍ରାଣ ନେବି ?’ ନାଉରିଆ ପ୍ରାଣ ବିକଳରେ ଜିନିଷ ଫେରାଇ ଦେବାକୁ ସମ୍ମତି ହୋଇ କାକୁତି ମିନତି ହେବାରୁ ଝଡ଼ କମିଗଲା । ସେଦିନୁ ଦେବୀ ଜିନିଷରେ କେହି ଆଉ ଲୋଭ କରିନାହାନ୍ତି । ଦିଅନ୍ତି ସିନା, ନେବାର ସଂକଳ୍ପ କରନ୍ତି ନାହିଁ ।

 

ପାରିକୁଦ ଜମିଦାର ଏଇନେ କାଳିଜାଈଙ୍କ ପାଖରେ ପୂଜାରୀ ଦି’ଜଣ ଖଞ୍ଜିଲେଣି । ଦେବୀ ଜିନିଷ ନଅରକୁ ଯେମିତି ଅକ୍ଷତ ଭାବରେ ପହୁଞ୍ଚିବ, ତାର ବ୍ୟବସ୍ଥା କରିଛନ୍ତି । ଜମିଦାରଙ୍କ ଉପରେ କାଳିଜାଈଙ୍କ ଅସୀମ କୃପା । ତେଣୁ ତାଙ୍କ ଜିନିଷ ହାଟବଜାରରେ ପ୍ରକାଶ୍ୟ ଭାବରେ ନିଲାମ କଲେ ବି ଦେବୀ କିଛି କରନ୍ତି ନାହିଁ । ଯେତେହେଲେ ସେତ କୃଷ୍ଣପ୍ରସାଦ ଉଆସର ଘରୋଇ ଦେବୀଟିଏ !

 

ଦେବୀଙ୍କର ସାକ୍ଷାତ ରୂପ ସେଠି ଦେଖିହୁଏ ନାହିଁ ! ପଥର ମୂର୍ତ୍ତି ଉପରେ ପରସ୍ତ ପରସ୍ତ ସିନ୍ଦୂର । ମକରମେଳା ଦିନ ଖୁବ୍‌ ଆଡ଼ମ୍ବର ସହକାରେ ସେବାହୁଏ । କାରଣ ସେଦିନ ଆଦାୟ ଦିଗଟା ବି ଅନେକ ବେଶୀ । ଲୋକେ ମନ ଆନନ୍ଦରେ ଦିନେ ଦି’ଦିନ କଟାଇ ଫେରି ଆସନ୍ତି । ତା’ପରେ ଏକୁଟିଆରେ ପଡ଼ି ରହନ୍ତି ପାରିକୁଦର ଅଧିଷ୍ଠାତ୍ରୀ ଦେବୀ କାଳିଜାଈ । କେବେ କେମିତି ବାହାର ଲୋକେ ସଙ୍ଗରେ ଡାଲି, ଚାଉଳ, କାଠ ଓ ପିଇବା ପାଣି ନେଇ କାଳିଜାଈରେ ବଣଭୋଜୀ କରନ୍ତି । ପିନ୍ଧିଲା ଧୋତୀକୁ ଜାଲ କରି ମାଛ ଧରନ୍ତି । ତା’ପରେ ଆଉ କିଛିନାହିଁ ।

 

ଲୋକେ କହନ୍ତି, ପାତାଳପୁରରେ ନାଗକନ୍ୟାମାନେ ନିତି ଆସି କାଳିଜାଈ ପାଖରେ ରୁଣ୍ଡ ହୁଅନ୍ତି । ଲୋକ ଦେଖିଲେ ଛାଇ ହୋଇ ନୀଳ ହ୍ରଦ ଭିତରେ ଲୁଚିଯାଆନ୍ତି । ଚନ୍ଦ୍ରପକ୍ଷ ରାତିରେ, କାଳିଜାଈର ତିନିପାହାଡ଼ର ଶିଖର ଦେଶରେ, ଇନ୍ଦ୍ରଲୋକର ଦେବାଦେବୀମାନେ ଆସି ଗହଳି କରନ୍ତି । ଅପ୍‌ସରା ଅପ୍‌ସରୀମାନଙ୍କ ଜଳକ୍ରୀଡ଼ାରେ ଚିଲିକା କିଛିକ୍ଷଣ ପାଇଁ ଚଞ୍ଚଳ ହୋଇ ଉଠେ । ରୂପସୀ ଚିଲିକା ଖିଲି ଖିଲି ହୋଇ ହସେ । ଅଚାନକ ଭାବରେ କାଳିଜାଈର ପାଦଦେଶରେ ଅସଂଖ୍ୟ ଆକାଶ–ନୀଳ–ପଦ୍ମ ଫୁଟେ । ଚିଲିକା ଉପର ଦେଇ ବୋହିଆସୁଥିବା ପବନ, ନୀଳପଦ୍ମର ସବୁଜ ଗନ୍ଧରେ ମତୁଆଲା ହୋଇ ଉଠେ ।

 

ସେଇଠି ସ୍ୱର୍ଗର ଅନନ୍ତ ଯୌବନା ଉର୍ବଶୀ, ରମ୍ଭା, ମେନକା ଇତ୍ୟାଦି ଅପ୍‌ସରୀମାନେ ନୃତ୍ୟଗୀତ ଶିକ୍ଷା କରନ୍ତି । କୁମାରୀ ଚିଲିକା ସେମାନଙ୍କର ଶିକ୍ଷୟିତ୍ରୀ ହୁଏ । ହ୍ରଦର ନୀଳ ତରଙ୍ଗରେ ଚିଲିକା ରୂପସୀର ହସ ଶୁଭେ ।

 

ନଳବଣକୁ ପଚାରିଲେ କହିବ, ଚିଲିକା କେମିତି ସୁନ୍ଦର ଭାବରେ ନାଚିପାରେ । ତାର କୋକିଳ–କଣ୍ଠ କେତେ ମିଠା ! ପୂନେଇ ରାତିରେ ଯେଉଁ ଜୁଆର ଉଠେ, ସେଇଟି ହ୍ରଦ–କନ୍ୟାର ନର୍ତ୍ତନ ଭଙ୍ଗୀ । ପ୍ରଥମ ଆଷାଢ଼ର ମୟୂରୀ ପରି ସେ ଅପୂର୍ବ ଛନ୍ଦରେ ଛନ୍ଦାୟିତ ହୁଏ ।

 

ଚିଲିକାର ଭାସମାନ ମେଘ ସେହି ମାହେନ୍ଦ୍ର ମୂହୂର୍ତ୍ତରେ ଚଲାବାଟରେ ଅଟକି ଯାଏ । ପାରିକୁଦର ନାତିଶୀତୋଷ୍ଣ ଜଳବାୟୁ ଦିନେ ଦି’ଦିନ ପାଇଁ ଅସହ୍ୟ ହୋଇ ଉଠେ । ଲୋକେ ଅନୁମାନ କରନ୍ତି, ଅପ୍‌ସରୀ ମେଳରେ ଚିଲିକା-କୁମାରୀ ନାଚୁଛି । ସବୁ ପବନ, ସବୁ ମେଘ ଆଶ୍ଚର୍ଯ୍ୟ ହୋଇ ଅଟକି ଯାଇଛି ।

 

ହେମନ୍ତ ଋତୁର ଶେଷ ଭାଗରେ ଚିଲିକା ଅପୂର୍ବ ରୂପ ଧାରଣ କରେ । ପାରିକୁଦ ଦେଖିବାକୁ, ମାନସରୋବରର ସ୍ୱର୍ଗୀୟ ସୁଷମାକୁ ମଧ୍ୟ ତୁଚ୍ଛ ମନେ କରି ଗେଣ୍ଡି, ହଂସ ଓ ଚକ୍ରବାକ ଦମ୍ପତ୍ତି ଚିଲିକା ଭିତରକୁ ଉଡ଼ି ଆସନ୍ତି । ସେମାନଙ୍କ ଡେଣା ତଳେ ଚିଲିକା ଆକାଶ ଲୁଚିଯାଏ । ଶୀତଦିନ କେଇଟା ଉପଭୋଗ କରି ଚିଲିକାର ଅମର ସ୍ମୃତି ନେଇ ସେମାନେ ଫେରି ଯାଆନ୍ତି । କିନ୍ତୁ ବର୍ଷ ମୁଣ୍ଡକୁ ପୁଣି ଥରେ ଚିଲିକାର ଆକର୍ଷଣ ସେମାନଙ୍କୁ ପାଗଳ କରେ । ବାଟରେ ଅନ୍ୟ କେଉଁଠି ଅଟକି ନ ଯାଇ ରାସ୍ତା ଚିହ୍ନି ସିଧାସଳଖ ପାରିକୁଦରେ ପହୁଞ୍ଚିଯାନ୍ତି ।

 

ଏଗୁପକ୍ଷୀ ସୈନିକର ଦାୟିତ୍ୱ ତୁଲାଏ । ସେ ସ୍ଥାନୀୟ ପକ୍ଷୀ କିନା, ତେଣୁ ବିଦେଶାଗତ ପକ୍ଷୀମାନଙ୍କୁ ଆତିଥ୍ୟରେ ମୁଗ୍‌ଧ କରିବା ଦାୟିତ୍ୱ ସେ ନେଇଛି । ସୁତୀକ୍ଷ୍‍ଣ ନଜର ରଖି ସେ ଜଗିଥାଏ । ଶତ୍ରୁ ଆଗମନର ସନ୍ଧାନ ପାଇଲେ ବିଚିତ୍ର ଶବ୍ଦ କରି ସମସ୍ତଙ୍କୁ ସତର୍କ କରିଦିଏ । ପ୍ରବାଦ ଅଛି, ରାଜ–ଶାସନ ଅମଳରେ ଥରେ ସେ ପାରିକୁଦକୁ ଶତ୍ରୁ କବଳରୁ ଅତି ଆଶ୍ଚର୍ଯ୍ୟ ଭାବରେ ରକ୍ଷା କରିଥିଲା । ସେମାନଙ୍କୁ ଦୂରରୁ ଦେଖି ଶତ୍ରୁ ଭାବିଲା ପାରିକୁଦ ସୈନ୍ୟ କମାଣ ଧରି ଅପର ପକ୍ଷର ସମ୍ମୁଖୀନ ହେବା ସକାଶେ ସଜାଗ ଅଛନ୍ତି । ତେଣୁ ସେ ଭୟ ପାଇ ଫେରିଗଲା ।

 

ଏଗୁପକ୍ଷୀର ସ୍ୱଦେଶ ପ୍ରେମଟା ଅନୁକରଣୀୟ ନିଶ୍ଚୟ !

 

ପକ୍ଷୀସମ୍ପଦ ହିଁ ପାରିକୁଦର ଶୀରି ହେଲେ ମଧ୍ୟ ବେଳେ ବେଳେ ସୌକିନ ଶିକାରୀମାନେ ସେମାନଙ୍କ ଉପରେ ଯଥେଚ୍ଛାଚାର କରନ୍ତି । ଦିନକୁ ଶହ ଶହ ପକ୍ଷୀ ଶିକାର କରନ୍ତି-। ବାଲୁଗାଁରେ ମାଛ ମାଂସର ଦର ହଠାତ୍ କମିଯାଏ ।

 

ହଂସଦଳ ତଥାପି ଚିଲିକା ଛାଡ଼ନ୍ତି ନାହିଁ । ଚିଲିକାର ବେଳାଭୂମିଟାହିଁ ସେମାନଙ୍କ ମୋକ୍ଷଭୂମି । ‘ଏଗୁ’ ଆଉ ‘ଚାହା’ ମେଳରେ ହସ ଖୁସିରେ ଦିନ ବିତେଇ ଦେବାକୁ ସେମାନେ ସଂକଳ୍ପ କରି ଆସିଛନ୍ତି । ବର୍ଷର ବାରମାସ ଏହି ସ୍ଥାନୀୟ ପକ୍ଷୀମାନେ ନିର୍ଜନ ଦ୍ୱୀପ ସମେତ ସମୁଦାୟ ଚିଲିକାକୁ ପ୍ରାଣମୟ କରି ରଖିଥାଆନ୍ତି । କୁଜୀ ହଂସ ଗୋଡ଼ ଭାଙ୍ଗି ନାଚିଲେ ରାଜହଂସ ବାହାବା କରେ । ଏଗୁପକ୍ଷୀ ଗାଇଲେ ଚାହା ଓ ସ୍ନାପ୍‌ଚଢ଼େଇ କୋରସ୍‌ ଦିଅନ୍ତି । ହସ ଖୁସିରେ ଦିନ ବିତିଯାଏ ।

 

ପାରିକୁଦବାସୀଙ୍କ ପାଇଁ ପ୍ରକୃତିର ନିର୍ଲୋଭ ଦାନ ହେଲା ପୋଢ଼ ମହିଷୀ । ପାରିକୁଦର ଗୃହସ୍ଥ ସେମାନଙ୍କ ବସବାସ ସକାଶେ କୌଣସି ଚିନ୍ତା କରେନାହିଁ । ପ୍ରକୃତିର ଜନ୍ତୁ ଏମାନେ । ବର୍ଷର ବାରମାସ ବିଲ ଭିତରେ ପଡ଼ିଥାଆନ୍ତି । ପ୍ରଚଣ୍ଡ ରୌଦ୍ର କି ମୁଷଳ ଧାରାର ବାରିପାତ ସେମାନଙ୍କ ସ୍ଥିତିରେ ସାମାନ୍ୟତମ ପରିବର୍ତ୍ତନ ଆଣେନାହିଁ । ଘାସ ପତର ଖାଇ କାଳ କଟାଇବା ଅଭ୍ୟାସ ସେମାନଙ୍କର । ସହରର ଗୃହପାଳିତ ପଶୁପରି ନିର୍ଦ୍ଦିଷ୍ଟ ‘ଦାନା’ ଉପରେ ନିର୍ଭର କରନ୍ତି ନାହିଁ । କିଛି ନ ମିଳିଲେ ଚିଲିକାର ଦଳ ଖାଇ ପେଟ ପୂରାନ୍ତି । କିନ୍ତୁ ମାଲିକ ପାଖରେ କେବେହେଲେ ବେଇମାନୀ କରି ନାହାନ୍ତି । ଜୁଆଳୀ ଦେଖିଲେ ଆପେ ଯାଇ ମୁଣ୍ଡ ଗଳାଇ ନିଅନ୍ତି-। ଚାଷ ସରିଲେ ମୂଲିଆ ଯେତେବେଳେ ଜୁଆଳୀ ଖୋଲିଦିଏ, ସେମାନେ ଭାବନ୍ତି ଦାୟିତ୍ୱ ତାଙ୍କର ଶେଷ ହୋଇ ଯାଇଛି । ହର୍ଷ ଧ୍ୱନି କରୁ କରୁ ଧାଇଁ ଆସି ଦଳ ଭିତରେ ମିଶି ଯାଆନ୍ତି-

 

ପାରିକୁଦରେ ବଳଦ କି ଗାଈ ବେଶୀଦିନ ତିଷ୍ଠି ପାରନ୍ତି ନାହିଁ । ଲୁଣି ଜଳବାୟୁ ଓ ଲୁଣି ପାଣି ସେମାନଙ୍କ ସ୍ୱାସ୍ଥ୍ୟପ୍ରତି ଅନୁକୂଳ ନୁହେଁ । କିନ୍ତୁ ଏ ପୋଢ଼ ମହିଷୀଦଳ ବର୍ଷକୁ ବର୍ଷ ବଜାରର ଦର ବଢ଼ିଲାପରି ହୁ ହୁ ହୋଇ ବଢ଼ି ଚାଲନ୍ତି । ଅଯତ୍ନ ବର୍ଦ୍ଧିତ ଦେହଟିମାନ ବେଶ୍‌ ହୃଷ୍ଟପୃଷ୍ଟ । ଯେତେ ବୋଝ ଦିଅ ସମ୍ଭାଳି ଯିବେ । ମଣିଷ ପଛକେ ଥକିଯିବ, ଏମାନେ ଥକିବେ ନାହିଁ । ଏତେ କାର୍ଯ୍ୟ କରି ମଧ୍ୟ ନିଜପାଇଁ କୌଣସି ଦାବୀନାହିଁ ।

 

ପାରିକୁଦର ଜୀବନଯାପନ ପାଇଁ ପୋଢ଼ ମହିଷୀର ଦାନ ଉଲ୍ଲେଖ ଯୋଗ୍ୟ । ଏମାନଙ୍କ ବିନା ଦ୍ୱୀପପୁଞ୍ଜର ସାଧାରଣ ଜୀବନ ବିପନ୍ନ ହୋଇଯିବାର ଆଶଙ୍କା ଅଛି । ଆଉ ସେଇଥିପାଇଁ ବୋଧହୁଏ ଦୟାପରବଶ ହୋଇ ପ୍ରକୃତି ଏ ଅଦ୍ଭୂତ ପଶୁ କୁଳକୁ ପାରିକୁଦର ଜିମା କରି ଯାଇଛି ! ମହିଷୀ କ୍ଷୀର ଦାନ କରି ଗରୀବ ଗୃହସ୍ଥର ପୁଅଝିଅଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାହାଯ୍ୟ କରେ । କ୍ଷୀର ଦେହରୁ ଲହୁଣୀ ଇତ୍ୟାଦି ପ୍ରସ୍ତୁତ କରି ପାରିକୁଦବାସୀ ବାଲୁଗାଁ ବଜାରରେ ବିକେ । ବେଶ୍‌ ଦି’ପଇସା ରୋଜଗାର ହୁଏ । ଆଉ ପୋଢ଼ ନିଜ ଦେହର ପରିଶ୍ରମ ଦେଇ ପାରିକୁଦ ମାଟିକୁ ଉର୍ବର କରିବା ସଙ୍ଗେ ସଙ୍ଗେ ଫସଲ ବଢ଼ାଏ ।

 

ପାରିକୁଦର ଚଉଦିଗକୁ ବେଢ଼ି ଚିଲିକା ଥିଲେହେଁ ମାଛ ସିନା ମିଳେନାହିଁ, କ୍ଷୀର, ଦହି, ଲହୁଣୀର ଅଭାବ ନାହିଁ । ଚାରଣା ପଇସା ଦେଲେ ଖାଣ୍ଟି ନିରୋଳା ସେରେ କ୍ଷୀର ଆସି ବସାରେ ପହୁଞ୍ଚିଥିବ । ଟଙ୍କାଟିଏ ଦେଲେ ପାଣ୍ଡା ପକ୍ଷୀଟିଏ ହାଜର ହୋଇଥିବ ।

 

ଏହି ପଶୁ ପକ୍ଷୀମାନେ ଚିଲିକାର ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ଦାୟୀହେଲେ ବି ମଣିଷ ଜାତିଟା ବଡ଼ କୃତଘ୍ନ । ସେ ତାଙ୍କୁ ନିଜର କରି ନିଏନାହିଁ । ନିଜ ସ୍ୱାର୍ଥରକ୍ଷା ପାଇଁ ସେମାନଙ୍କୁ ମାରେ ହାଣେ ପୁଣି ଅତ୍ୟାଚାର କରେ । ନିରୀହ ପଶୁ ପକ୍ଷୀକୁଳ ବଡ଼ ଉଦାର ! ସେମାନେ ଅଜ୍ଞାନ ମଣିଷକୁ କ୍ଷମା ଦିଅନ୍ତି ।

 

ସହକର୍ମୀ ଦି’ଜଣ ଆହୁରି ଫେରି ନାହାନ୍ତି ?

 

କାନୁନ୍‌ଗୋ ବାବୁ ବସାକୁ ଯିବାକୁ ତରବର ହେଲେ । ବସାଘରଟା ତ ଆଉ କୃଷ୍ଣପ୍ରସାଦର ଇସ୍କୁଲ ପାଖରେ ନାହିଁ ! କୃଷ୍ଣପ୍ରସାଦ ଡେଇଁ ଇପିଙ୍ଗରୁ ମାଇଲିଏ ଗଲେ ଯାଇ ପଶୁ ଚିକିତ୍ସାଳୟ । ଚିକିତ୍ସାଳୟ ପାଖକୁ ଲାଗି ବସାଘର । ପାଖରେ ଜନସମାଗମର ଚିହ୍ନି ନାହିଁ । ଅଧାହୋଇ ପଡ଼ିଥିବା ନୂଆ ସଡ଼କଟି ସଂପୂର୍ଣ୍ଣ ହେଲେ ଅବା କିଛି ପରିବର୍ତ୍ତନ ଆଶା କରାଯାଇ ପାରେ ! ପାଖରେ ଥିବା କାଳିଜାଈଙ୍କ ଭଙ୍ଗା ଦେଉଳକୁ (ଦେଉଳ ତ ନୁହେଁ, ସାଧା ଘର) କେହି ପ୍ରାୟ ଆସନ୍ତି ନାହିଁ । ଚିଲିକା ଭିତରର କାଳିଜାଈଙ୍କ ବଦଳ ମୂର୍ତ୍ତି ଇଏ । ତେଣୁ ବିଶେଷ କିଛି ପ୍ରାଧାନ୍ୟ ନାହିଁ । କିନ୍ତୁ କାଳିଜାଈଙ୍କ ସ୍ଥାପନା ମୂର୍ତ୍ତି ପାଖକୁ ଯେଉଁ ପ୍ରସ୍ତର ପ୍ରତିମାଟି ପୂଜା ପାଉଛନ୍ତି, ସେ ମୂର୍ତ୍ତିଟି ବାସ୍ତବିକ ଚମତ୍କାର ।

 

ବେଳେ ବେଳେ ବସାଘର ପାଖରେ ଡାହାଣୀ ନିଆଁ ଜଳେ । ହଠାତ୍‌ ଦେଖାଦେଇ ଆଖି ପଲକରେ ଅଦୃଶ୍ୟ ହୋଇଯାଏ । ଭେଟନାରୀ ଡାକ୍ତରଖାନାର ଛାତ ଉପରେ ବି ନିଆଁ ଦିଶେ । କିନ୍ତୁ କାନୁନ୍‌ଗୋ ବାବୁଙ୍କର ସେଥିପ୍ରତି ଟିକିଏ ବୋଲି ବି ଭୟ ନାହିଁ । ଯଦି କୌଣସି ଦେବୀ ଦେବତା ଥାଏ, ସେ ଆପଣା ଇଚ୍ଛାରେ ହସି ଖେଳି ଚାଲିଯିବେ । ମର୍ତ୍ତ୍ୟର ମାନବ ସଙ୍ଗେ ବା ତାର କି ସଂପର୍କ ରହିଛି ? ମାନବ ତ ଦେବାଦେବୀର ଅନିଷ୍ଟ କରିବାକୁ କ୍ଷମତା ପାଇନାହିଁ ।

 

କାନୁନ୍‌ଗୋବାବୁ ଖୁବ୍‌ ଦାମ୍ଭୀକ । ସେଇଥିପାଇଁ ଏକୁଟିଆରେ ଏତେ ଦୂରେ ଅଛନ୍ତି । ପାଖରେ ସାଙ୍ଗସୁଖ ବୋଲି କେହି ନାହିଁ । ବିବାହ କରିଥିଲେ ବୋଧହୁଏ ଏତେ ବଡ଼ ସାହସ କରି ପାରୁ ନ ଥାନ୍ତେ ।

 

ଆପଣ ପାରିକୁଦରେ ସମୟ କଟାନ୍ତି କିପରି ? ଅଶୋକବାବୁ ପ୍ରଶ୍ନ କଲେ ।

 

ଏଇ ସାଙ୍ଗ ସାଥି ଗହଣରେ କାମ ଥିଲାଯାଏ ସମୟ ଜଣାପଡ଼େ ନାହିଁ । କାମ ନ ଥିଲେ ସାଇକଲ ମାରି କୃଷ୍ଣପ୍ରସାଦ ଚାଲିଆସେ । ଏଇଠି ଯେତକ ସରକାରୀ କର୍ମଚାରୀ ଅଛନ୍ତି, ସମସ୍ତେ ସମସ୍ତଙ୍କର ଅତି ପରିଚିତ । ଅନ୍ୟାନ୍ୟ ସ୍ଥାନପରି ବାଦବିସମ୍ବାଦ କିଛି ନାହିଁ । ପରସ୍ପର ମଧ୍ୟରେ ଘନିଷ୍ଠତା ବଢ଼ିଯାଇଛି । ସମସ୍ତେ ଏକ ପରିବାରଭୁକ୍ତପରି ଚଳନ୍ତି । ତେଣୁ ଅସୁବିଧା ହୁଏନାହିଁ । ତାସ୍‌ ବା କେରମ୍‌ବୋର୍ଡ଼ ପାଖରେ ସନ୍ଧ୍ୟା ସରିଯାଏ । କିଛି ନ ଥିଲେ ତ ‘ଚିଲିକା ପାଠାଗାର’ ରହିଛି ! ବହିଟିଏ ହାତରେ ଥିଲେ ଘନିଷ୍ଠ ବନ୍ଧୁର କାର୍ଯ୍ୟ ତୁଲାଏ ।

 

ଅଶୋକ ପାତ୍ର ଚିଲିକା ପାଠାଗାର କଥା ଶୁଣି ଆନନ୍ଦ ହେଲେ । ପଢ଼ା ଶୁଣାଟାକୁ ଜୀବନର ଏକ ଅବିଭାଜ୍ୟ ଅଂଶ ବୋଲି ଧରିନେଇଛନ୍ତି । ଅବସର ସମୟତକ ପଢ଼ାଶୁଣାରେ କଟାଇ ଦିଅନ୍ତି । କାହ୍ନୁଚରଣ, ଗୋପିନାଥଙ୍କ ଉପନ୍ୟାସ ଓ ଗଳ୍ପଠାରୁ ଆରମ୍ଭ କରି ଗୋପିଭାଷା, ରାସକ୍ରୀଡ଼ା ପର୍ଯ୍ୟନ୍ତ ପଢ଼ନ୍ତି । ଲେଖକମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଉଠନ୍ତି ।

 

‘ଚିଲିକା ପାଠାଗାର’ ନାଁ ଶୁଣି ସେ କାନୁନ୍‌ଗୋ ବାବୁଙ୍କ ସଙ୍ଗରେ ଯାଇ ଦେଖିଆସିବାକୁ ପ୍ରସ୍ତାବ ଦେଲେ ।

 

କାନୁନ୍‌ଗୋବାବୁ ମଧ୍ୟ ସେଇଆ ଚାହୁଁଥିଲେ । ସାଙ୍ଗ ହୋଇ ସେମାନେ ଧୂଳିସଡ଼କ ଧରିଲେ ।

 

କୃଷ୍ଣପ୍ରସାଦ ଓ ଇପିଙ୍ଗ ଗାଁ ଭିତରେ ସୀମାରେଖା ହେଉଛି କେବଳ କ୍ଷୀଣାଙ୍ଗୀ ସଡ଼କଟିଏ । ସଡ଼କର ଦି’ପାଖରେ ଘର । ଜଣେ ଅନ୍ୟଜଣଙ୍କର ପଡ଼ୋଶୀ । ତଥାପି ସେମାନେ ଦି’ଟି ପୃଥକ୍‌ଗାଁର ବାସିନ୍ଦା । ଗୋଟିଏ ପୋଖରୀରେ ଗାଧୁଆ ପାଧୁଆ ଚଳେ । ଏକା ଦୋକାନରୁ ଦି’ ଗାଁର ଲୋକ ଚା’ ଜଳଖିଆ ଖାଆନ୍ତି । ପାରିକୁଦ କେବିନ୍‌ର ପରିଚାଳକଙ୍କ ସଙ୍ଗେ ଉଭୟ ଗ୍ରାମବାସୀଙ୍କର ସୁସମ୍ପର୍କ ରହିଛି ।

 

ଇପିଙ୍ଗ କହିଲେ ଦି’ ସାହାଲା ବସ୍ତିଟିଏ । ତଳ ଉପର ହୋଇ ଦି’ସାହୀରେ ଖଣ୍ଡାୟତ, ବ୍ରାହ୍ମଣ, ଖଟିଆ ଓ କଣ୍ଡରା ବାଉରୀମାନେ ଭାଗ ଭାଗ ହୋଇ ରହିଛନ୍ତି । ଗାଁ ମଝିରେ ଜଗନ୍ନାଥଙ୍କ ଦେଉଳ । ଯେଉଁ ପୂଜାରୀ ଆସି ପୂଜା କରେ, ତା’ ପାଇଁ ସ୍ୱତନ୍ତ୍ର ଭାବରେ ଜମିର ବନ୍ଦୋବସ୍ତ କରାହୋଇଛି । ଅଣଓସାରିଆ ରାସ୍ତା ଦି’ଟାଯାକ ପଥର ନ ହେଲେ ବାଲିରେ ଭରପୂର । ଠାଏ, ଠାଏ ଅଳିଆ ଆବର୍ଜନା । ଛୋଟ ଛୋଟ ମାଟିଘରେ ଗୋବର ଓ ରଙ୍ଗ ବୋଳା ହୋଇ ଚିକ୍‌କଣିଆ କରାଯାଇଛି । ଲଙ୍ଗଳା ପିଲାଏ ମେଳିହୋଇ ଖେଳୁଛନ୍ତି । ଧାଡ଼ିବାନ୍ଧି ଦଉଡ଼ୁଛନ୍ତି । ଝିଅ ବୋହୂମାନେ ମୁଣ୍ଡରେ ଓଢ଼ଣା ଦେଇ କବାଟ କୋଣରୁ ଜୁଳୁ ଜୁଳୁ କରି ଚାହିଁଛନ୍ତି । ମରଦ ଦେଖିଲେ କବାଟ ପଡ଼ିଲା । ସେମାନଙ୍କ ବେଶଭୂଷାରେ ଦାରିଦ୍ର୍ୟର ସୁସ୍ପଷ୍ଟ ସ୍ୱାକ୍ଷର ।

 

ଇପିଙ୍ଗ ଓ କୃଷ୍ଣପ୍ରସାଦକୁ ଲାଗିଥିବା ସାନ ଅଅଁଳା ଓ ‘ବଡ଼ ଅଅଁଳାର ଅବସ୍ଥା ବି ସେଇଆ । ସମଗ୍ର ପାରିକୁଦ ଭିତରେ ମାଲୁଦ ଗ୍ରାମଟିହିଁ ଟିକିଏ ଶିକ୍ଷିତ ଓ ସୁସଜ୍ଜିତ । ମାଲୁଦର ସନ୍ତାନ ଯାଇ ଓଡ଼ିଶାର ବିଭିନ୍ନ ବିଭାଗରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ କୁହ, କି ଶାସନ ବିଭାଗରେ କୁହ ସେମାନଙ୍କ କୃତିତ୍ୱ ସର୍ବଦା ସ୍ୱୀକାର୍ଯ୍ୟ । ଅଥଚ ଦୁଃଖର କଥା ଜନ୍ମଭୂମି ପାରିକୁଦ କି ଅବହେଳିତ ଅବସ୍ଥାରେ ନ ପଡ଼ିଛି ? ତାକୁ ରାତାରାତି ବଦଳାଇ ଦେବାକୁ ବା ତାଙ୍କ ହାତରେ କି ଶକ୍ତି ଅଛି ?

 

ପାରିକୁଦ ତଥା ସମଗ୍ର ଚିଲିକା ଅଞ୍ଚଳ ପାଇଁ ଯେ ନିଃସ୍ୱାର୍ଥପର ଭାବରେ ପ୍ରଗାଢ଼ ପରିଶ୍ରମ କରି ଆସିଥିଲା ସେହି ଉଦ୍ୟମ ପ୍ରିୟ, କୁଶଳୀ ସନ୍ତାନ ଉମାଚରଣଙ୍କୁ କି କିଏ ଭୁଲିଯାଇ ପାରିବ ? ଆଉ କିଛିଦିନ ବଞ୍ଚିଥିଲେ ସେ ଚିଲିକା ଅଞ୍ଚଳରେ ନିଶ୍ଚୟ କିଛି ଉଲ୍ଲେଖ ଯୋଗ୍ୟ ପରିବର୍ତ୍ତନ ଘଟାଇ ପାରିଥାନ୍ତେ । କିନ୍ତୁ ବିଧାତା ତାଙ୍କୁ ଅଦିନରେ ଓଡ଼ିଶାବାସୀଙ୍କ ହାତରୁ ଛଡ଼ାଇ ନେଲା ।

 

ଅଶୋକ ଓ କାନୁନ୍‌ଗୋବାବୁ ବାଟରେ ମାୟାଧର ବାବୁଙ୍କୁ ଦେଖି ବସାକୁ ପୁଣିଥରେ ଭିଡ଼ିହୋଇ ଆସିଲେ ।

 

ନିର୍ବାଚନ ଦାୟିତ୍ୱ ମୁଣ୍ଡଉପରେ । ରାତି ଭିତରେ ଆନୁସଙ୍ଗିକ ବ୍ୟବସ୍ଥା ନ କଲେ ସକାଳୁ ହଇରାଣରେ ପଡ଼ିବା କଥା ।

 

ମିଶ୍ର ଓ ମହାପାତ୍ର ବାବୁଙ୍କ ଦର୍ଶନ ନାହିଁ । ସେମାନେ ମନେ କରନ୍ତି, ଭୋଟବେଳ ବ୍ୟତୀତ ଆଉ କୌଣସି ସମୟରେ କିଛି କାମ ନାହିଁ । ଅନ୍ୟ ସବୁ ବ୍ୟବସ୍ଥା ଅଶୋକବାବୁ ନିଜ ହାତରେ କରିବେ । ସେଇଥିପାଇଁ ସେମାନେ ମନଇଚ୍ଛା ବୁଲୁଛନ୍ତି । ସଙ୍ଗରେ ଥିବା ପୋଲିସ କର୍ମଚାରୀଙ୍କ ମଧ୍ୟ ସେହି ମତ । ଦିନ ଦୁଇଟାର କଥା ! ମୁଣ୍ଡ ଉପରେ ଦାୟିତ୍ୱ ଥିଲେ ବୁଝିଥାନ୍ତେ, ଅବସ୍ଥାଟା କେଉଁଆଡ଼କୁ ଗତି କରୁଚି । ବିଚାରା ଅଶୋକ ପାତ୍ର !!

 

ନିର୍ବାଚନ ଆନୁସଙ୍ଗିକ ବ୍ୟବସ୍ଥା ସରିଲା ପରେ ଯେଉଁ କିଛି ସମୟ ମିଳିଲା, ତାରି ଭିତରେ ମାୟାଧର କୃଷ୍ଣପ୍ରସାଦର କାହାଣୀ କହି ବସିଲେ ।

 

ସେ ଅନେକ ଦିନ ତଳର କଥା—

 

ସେତେବେଳେ କୃଷ୍ଣପ୍ରସାଦ ଅପନ୍ତରା ଭୂଇଁ ହୋଇ ପଡ଼ିଥାଏ । ରାଜଧାନୀ ଥାଏ ଆଉ ଏକ ଗ୍ରାମ ‘ଗୁରୁବାଇ’ରେ । ନୂଆପଡ଼ା ନିକଟବର୍ତ୍ତୀ ‘ଗୁରୁବାଇ’ ସେ ଦିନର ଜମିଦାରଙ୍କ ପ୍ରତାପରେ ବିସ୍ମୟ ପ୍ରକାଶ କରୁଥାଏ ।

 

ପାରିକୁଦର ପ୍ରଜାବର୍ଗ ଅତୀତରେ ଆନନ୍ଦ ଓ ପ୍ରାଚୁର୍ଯ୍ୟର ସ୍ୱପ୍ନ ଦେଖୁଥିଲେ । ପାରିକୁଦ ମାଟିର ମୋହିନୀ–କନ୍ୟା ରୂପ; ଗୁଣରେ ସମଗ୍ର ଓଡ଼ିଶା ଭୂଇଁର ଗର୍ବ ଥିଲା । ଆଜିର ଅଭାବ ଅନାଟନ କଥା ସେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ସେମାନଙ୍କ ମନଭିତରେ ସିଂହର ସାହସ ଥିଲା । ରାଜାଙ୍କର ବଳିଷ୍ଠ ବାହୁ ତଳେ ପ୍ରଜାବର୍ଗ ଅଭୟ ପାଇଥିଲେ ଯେମିତି ! କାହାରିକି ଭୟ କି ଭ୍ରାନ୍ତି ନ ଥିଲା । ପାରିକୁଦ ଭୂଇଁ ଜୀବନ ଓ ପ୍ରାଚୁର୍ଯ୍ୟରେ ହସି ଉଠୁଥିଲା ।

 

ସେତିକିବେଳେ ମୋଟର ଲଞ୍ଚର ଆବିଷ୍କାର ହୋଇନି ! ନୋଳିଆ ବା କେଉଟ ପୁଅ ନାଆରେ ପାଲଟାଣି ଚିଲିକା ମଝିରେ ଡଙ୍ଗା ବାହେ । ମୋଟର ଲଞ୍ଚପାଇଁ ଯାହା ଘଣ୍ଟେ ଦି’ଘଣ୍ଟାର ବାଟ, ଅନୁକୂଳ ପବନର ଅଭାବ ହେତୁ ତାକୁ ଦିନେ ଦି’ଦିନ ଲାଗିଯାଏ ! ନୂଆ କେଉଟ ରାସ୍ତା ଭୁଲିଗଲେ ଆଉ ଏକ ପ୍ରମାଦ । କୃଷ୍ଣପ୍ରସାଦ ବୋଲି ନୂଆପଡ଼ାରେ ପହୁଞ୍ଚି ପୁଣି ଥରେ ବାଟ ଭାଙ୍ଗେ-। ଏମିତି ଯାଉ, ଯାଉ ଚିଲିକା–ଗଣ୍ଡରେ ବେଳେ ବେଳେ ଝଡ଼ ହୁଏ । ସମଗ୍ର ଚିଲିକାଟା ସେହି ରୁଦ୍ର ଝଡ଼ରେ ଇତଃସ୍ତତ ହୋଇଉଠେ । ଚିଲିକାର ଛାତିକୁ ସତେ ଅବା କିଏ ଆଉଟି ପକାଏ-। ନୋଳିଆ ପ୍ରମାଦ ଗଣେ । କାଳିଜାଇ ନାଆଁରେ କୁକୁଡ଼ା ଯାଚି, ଅସହାୟ, ଅଜ୍ଞାନ ଶିଶୁପରି ପ୍ରକୃତିର ଶାନ୍ତରୂପକୁ ଅପେକ୍ଷା କରେ । ଝଡ଼ ଆପଣା ବାଟରେ ଚାଲିଗଲେ ସାହାସ ଡଙ୍ଗା ନେଇ ବାହେ-। ଚିଲିକା ଚଣ୍ଡ ପ୍ରଚଣ୍ଡ–ଭୈରବୀ–ମୂର୍ତ୍ତି ଧରି କେତେ ଲୋକଙ୍କ ଜୀବନକୁ ଯେ ବିପନ୍ନ କରିଛି ତା’ର ଠିକଣା ନାହିଁ । ନବବଧୂ କୋଳରୁ ତା’ର ପ୍ରିୟ ପ୍ରେମିକାକୁ, ବୃଦ୍ଧାମାତା କୋଳରୁ ତା’ର ଆଶା, ଆକାଙ୍‌କ୍ଷାର ପ୍ରତୀକ ଏକମାତ୍ର ସନ୍ତାନକୁ; ଅକର୍ମା ବଡ଼ ଭାଇଠାରୁ ଛୋଟ ଭାଇକୁ ସେ ଛଡ଼ାଇ ନେଇଛି ।

 

ପ୍ରବାଦ ଅଛି, ଚିଲିକା ଝଡ଼ରେ ନିଶ୍ଚିହ୍ନ ହୋଇଯାଇଥିବା ନୋଳିଆ ପୁଅ ମରିଯାଏ ନାହିଁ-। ଅଚିହ୍ନା ପୂର୍ଣ୍ଣମୀରେ ଚିଲିକାର ନୀଳ-ପଦ୍ମଟିଏ ହୋଇ କାଳିଯାଇ ପାଖରେ ଫୁଟେ । ମେନକା ତା’ର ଶୁଭ୍ର, ସ୍ୱଚ୍ଛ ହାତ ପାପୁଲିରେ ନୀଳ-ପଦ୍ମର ମସୃଣତା ପରୀକ୍ଷା କଲାବେଳେ ତାର ମୁକ୍ତି ହୁଏ-। ଇନ୍ଦ୍ରଲୋକକୁ ଚାଲିଯାଇ ଚିଲିକା ଉପରେ ତାରା ହୁଏ; କିନ୍ତୁ ୟାର ତ ଆଉ ପ୍ରାମାଣିକ ତଥ୍ୟ ମିଳିବ ନାହିଁ !

 

ସେ ଯାହା ହେଉ, ପାରିକୁଦ ଜନବାସୀ ସବୁଦିନ ସରଳ, ନିରୀହ ଓ ଅତିଥି ପରାୟଣ । ସଭ୍ୟ ନଗରୀ ପରି ଆଧୁନିକତାର ଉତ୍କଟ ବିଷ ସେମାନଙ୍କ ଜୀବନ ପ୍ରଣାଳୀକୁ କେବେହେଲେ ବିପନ୍ନ କରି ନାହିଁ । ଜୀବନ-ଦର୍ଶନକୁ ସ୍ୱାର୍ଥର ସଂକୀର୍ଣ୍ଣ ପରିସର ଭିତରେ ଆବଦ୍ଧ କରି ତହିଁରୁ ଛୋଟିଆ ଅର୍ଥଟିଏ ବାହାର କରିବାକୁ ସେମାନେ ଘୃଣା କରନ୍ତି । ଜୀବନ ଆକାଶପରି ବ୍ୟାପ୍ତ ଚିଲିକା ଗଣ୍ଡଠାରୁ ଆହୁରି ଗଭୀର । ଜୀବନ ଧର୍ମୀ ମଣିଷ ପାଖରେ ଜୀବନ୍ତ ପୃଥିବୀର ମାୟା ଅନେକ । ସେ ତା’ର ଆକର୍ଷଣକୁ ସହଜରେ ଭୁଲିପାରେ ନାହିଁ । ସେଥିପାଇଁ ମୃତ୍ୟୁ ଚିନ୍ତା ଆଡ଼େଇ ଦେଇ ମର୍ତ୍ତ୍ୟର ବିଭିନ୍ନ ଆକର୍ଷଣ ସଙ୍ଗେ ନିଜକୁ ବୁଡ଼ାଇ ରଖେ । ମୃତ୍ୟୁପରେ ବି ଏ ଦୁନିଆର ମୋହ ଭାଙ୍ଗି ନ ପାରି ଅଶରିରୀ ଭୂତ ହେବାକୁ ଭଲପାଏ ।

 

‘ଗୁରୁବାଇ’ରେ ରାଜ୍ୟର ରାଜଧାନୀ ଥିଲାବେଳେ ନଅରର ବିଶ୍ୱସ୍ତ ଗାଈଆଳ ଏକ ଆଶ୍ଚର୍ଯ୍ୟ ଖବର ନେଇ ଉଆସରେ ପହୁଞ୍ଚିଲା । ସେ କୁଆଡ଼େ ଦେଖିବାକୁ ପାଇଲା, ପାରିକୁଦରେ ଆଜି ଯେଉଁଠି ପ୍ରାସାଦ ଛିଡ଼ା ହୋଇଛି, ସେଇଠି ସାମାନ୍ୟ ବଗଟିଏ ବଳଶାଳୀ ଛଞ୍ଚାଣ ଉପରେ ମାଡ଼ି ବସିଛି । ବିଚରା ଛଞ୍ଚାଣ ପରାସ୍ତ ହୋଇ ମାଟି କାମୁଡ଼ି ପଡ଼ିଛି । ଏ ଖବର ବିଜୁଳୀ ବେଗରେ ଚାରିଆଡ଼େ ପ୍ରଚାର ହୋଇଗଲା । ସେଦିନର ରାଜା (ପାରିକୁଦ ଜମିଦାର) ବି କମ୍‍ ବିସ୍ମିତ ହେଲେ ନାହିଁ । ସେମାନେ ମେଳି ହୋଇ ଆସି ଦେଖିଲେ ସତକୁ ସତ ସେହି ଘଟଣା ଘଟିଛି ।

 

ରାଜ୍ୟର ଜ୍ଞାନୀ ଓ ଉଆସର ପଣ୍ଡିତମାନେ ମତଦେଲେ ସ୍ଥାନଟିର ନିଶ୍ଚୟ କିଛି ମାହାତ୍ମ୍ୟ ଅଛି । ନ ହେଲେ ସେ ମାଟିରେ ଏତେବଡ଼ କାଣ୍ଡ ଘଟି ନ ଥାନ୍ତା !

 

ସେହିଦିନଠୁ ସେଇଠି ନଅର ନିର୍ମାଣ ଚାଲିଲା । ଏତେବଡ଼ ଶକ୍ତିଶାଳୀ ସ୍ଥାନ ଥାଉ ଥାଉ ଆଉ କଣ ଗୁରୁବାଇରେ ରାଜଧାନୀ ହୁଅନ୍ତା ? ସମଗ୍ର ପାରିକୁଦରେ ନୂତନ ରାଜଧାନୀର ଗୁରୁତ୍ୱ ବଢ଼ିଗଲା । ‘ବଗ ଓ ଛଞ୍ଚାଣ’ ଉପଖ୍ୟାନ ରାଜଧାନୀକୁ ଆହୁରି ଶକ୍ତିଶାଳୀ କଲା । ରାଜା କୃଷ୍ଣ ବେହେରାକୁ ଡାକି ପାଖରେ ବସାଇଲେ । ଏତେ ବଡ଼ ସୁଖବର ଦେଇଥିବା ହେତୁ ତା’ର ଇଚ୍ଛାମୁତାବକ କିଛି ଦାନ କରିବାକୁ ଚାହିଁଲେ । କିନ୍ତୁ କୃଷ୍ଣ ବେହେରା ବଡ଼ ଚାଲାକ । ସେ ଭାବିଲା, ଧନସମ୍ପତ୍ତି ସ୍ଥାୟୀ ଜିନିଷ ନୁହେଁ । ଆଜିର ଧନ କାଲିକି ଶେଷ ହୋଇଯିବ । ନିଜ ମୁଣ୍ଡରେ ଛୋଟ ଗାଁଟିଏ ଥିଲେ; ପୁଅ ନାତିମାନେ ତାକୁ ବିକି ଖାଇଯାଇ ପାରନ୍ତି । ସେ ଗୁହାରିକଲା, ଯଦି ରାଜାସାହେବ ମେତେ କିଛି ଦେବାକୁ ଚାହିଁଥାନ୍ତି, ତେବେ ଏତିକି ଅନୁରୋଧ, ମୋ’ ନାଆଁରେ ନୂତନ ସହରର ନାମକରଣ ହେଉ ।

 

ତା’ରି ଅନୁରୋଧକୁ ରାଜା ଅସ୍ୱୀକାର କଲେ ନାହିଁ । ତା’ ନାଁ ଅନୁସାରେ ନୂତନ ରାଜଧାନୀର ନାଁ ହେଲା ‘କୃଷ୍ଣପ୍ରସାଦ’ । କୃଷ୍ଣ ବେହେରାର ବୁଦ୍ଧିରେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ପୁରସ୍କାର ସ୍ୱରୂପ ତା’ ନାଁରେ ଗୁଡ଼ାଏ ଜମିବାଡ଼ି ଲେଖିଦେଲେ ।

 

ପାରିକୁଦର ରାଜଧାନୀ ‘କୃଷ୍ଣପ୍ରସାଦ’ । ସମଗ୍ର ପାରିକୁଦର ମଉଡ଼ମଣି । ସମସ୍ତ ପାରିକୁଦର ଆଲୋକ । ବିଭିନ୍ନ ସମସ୍ୟାର ସମାଧାନ ପାଇବା ସକାଶେ ପାରିକୁଦର ପ୍ରଜାମାନେ ସେଇଠି ରୁଣ୍ଡ ହୁଅନ୍ତି । କେତେ ବଡ଼ ବାଦ, ବିସମ୍ୱାଦ ପଦଟିଏ କଥାରେ ତୁଟିଯାଏ । ଲୋକେ ଖୁସିମନରେ ଘରକୁ ଫେରନ୍ତି । ଦୁଇଟି ବିପକ୍ଷଦଳଙ୍କ ମଧ୍ୟରେ ରାଜାଙ୍କ ସହଯୋଗିତାରେ ସନ୍ଧି ହୁଏ-। ଫେରିଲାବେଳେ ବନ୍ଧୁହୋଇ ଫେରନ୍ତି । ମନ ଭିତରେ ଶତ୍ରୁତା ନାହିଁ କି ବାହାରକୁ କୌଣସି ସମସ୍ୟା ନାହିଁ ।

 

ରାଜା, ଜମିଦାର ଆଜି ଆଉ ନାହାନ୍ତି । ପଦବୀଟାମାନ ପଡ଼ି ରହିଛି । ପାରିକୁଦ ଉଆସର ଅବସ୍ଥା, ପଦବୀପରି ଫାଙ୍କା ଶବ୍ଦଟିଏ । ଏତେ ବଡ଼ ଘର ମରାମତି ହୋଇପାରୁନି । ରାସ୍ତା ପାଖର ବଡ଼ ଛପର ଘର ଉପରୁ ଛାତ ଉଠିଗଲାଣି । ପ୍ରମୋଦ–ପୋଖରୀର ଆଗର ସେହି ଲାବଣ୍ୟ ନାହିଁ । ନଅରକୁ ବେଢ଼ିଥିବା ମାଟିର ପାଚେରୀ ଅର୍ଦ୍ଧଭଗ୍ନ । କୃଷ୍ଣପ୍ରସାଦର ଶକ୍ତିଶାଳୀ ମାଟି ବୋଲି ଏତେ ବର୍ଷ ଖରା ବର୍ଷାରେ ବି କିଛି ହୋଇ ନାହିଁ । ଯେତିକି ଭାଙ୍ଗିଯାଇଛି, ଅଳ୍ପ ଖର୍ଚ୍ଚରେ ସଜାଇ ହୁଅନ୍ତା; କିନ୍ତୁ କରୁଛି କିଏ ସେ ? କଣ ବା ଆବଶ୍ୟକ ଅଛି ? ରାଜବାଟୀର ଡାଇନେମୋ ବନ୍ଦହେବା ପରଠାରୁ ସବୁକଥା ଆସ୍ତେ ଆସ୍ତେ ବନ୍ଦ ହୋଇ ଯାଉଛି ।

 

ତଥାପି ପାରିକୁଦବାସୀଙ୍କ ଏ ନମରରେ ଲୋକଙ୍କ ପ୍ରତି ଅସୀମ ଶ୍ରଦ୍ଧା । ଏତେ ଦିନର ଶାସନ ମୁଣ୍ଡାଇଥିଲେ, ରାଜ୍ୟର ଭଲ ମନ୍ଦର ଖବର ରଖିଥିଲେ ତାଙ୍କରି ମୁହଁର କଥାହିଁ ଶେଷ କଥା ବୋଲି ଧରି ନିଆଯାଉଥିଲା । ସେ ଦିନର ସେ ସମ୍ମାନ ଓ ଆକର୍ଷଣ ଆଜି ବି ପାରିକୁଦର ପ୍ରଜା ମନରେ କୁହୁକ ବୋଳିଦିଏ । ନଅରକୁ ଦେଖିଲେ ମୁଣ୍ଡ ନଇଁଯାଏ ।

 

ପାରିକୁଦର ସେ ରଙ୍ଗ ମଉଳିଯାଉଛି । ସେ ଦିନର ଚମତ୍କାରିତା ବି ଆଉ ନାହିଁ । ଅଭାବ, ଅନାଟନ ହେତୁ ପରସ୍ପର ଭିତରେ ଭୁଲ ବୁଝାମଣା ବୃଦ୍ଧିପାଉଛି । ଟଙ୍କାର ମୋହ ଲୋକଙ୍କୁ ଅନ୍ଧ କରି ଦେଲାଣି । ସେମାନେ ମମତାର ବନ୍ଧନ, ପବିତ୍ର ପାରିବାରିକ ସମ୍ୱନ୍ଧକୁ ବି ଭୁଲି ଯାଉଛନ୍ତି-। ଗାଁ, ଗାଁରେ ଦୋ ଦୋ ଫାଙ୍କ । କଳିଗୋଳରୁ ଆଜି କାହାର ମୁଣ୍ଡ ଫାଟିଲାଣିତ କାଲି କିଏ କଚେରୀ ଦେଖିଲାଣି । ସବୁ ସ୍ଥାନରେ ବିଶୃଙ୍ଖଳା ଓ ବିଚ୍ୟୁତି । ପାରିକୁଦ ସତେ ଅବା ଗୁଡ଼ାଏ ଅର୍ଥଲୋଭୀ, ସ୍ୱାର୍ଥପର ଜନତାର ନିର୍ବାସିତ ଦ୍ୱୀପ ହୋଇଯାଇଛି ।

 

କୃଷ୍ଣପ୍ରସାଦ ଏକଦା ପାରିକୁଦର ରାଜଧାନୀ ହୋଇଥିଲେ ହେଁ ଏଇନେ ଜନ ସମ୍ମୁଖରେ ତା’ର ପ୍ରାଧାନ୍ୟ କମିଯାଇଛି । ଜଳ ଓ ଜଳବାୟୁ ଦୃଷ୍ଟିରୁ ନୂଆପଡ଼ା ଶ୍ରେଷ୍ଠ ବିବେଚିତ ହୋଇ ସେଇଠି ବ୍ଲକ ଅଫିସ ଖୋଲା ହେଲା । ନାଁଟା ସିନା ‘କୃଷ୍ଣପ୍ରସାଦ ବ୍ଲକ’; କିନ୍ତୁ ଅଫିସ ରହିଛି ନୂଆପଡ଼ାରେ । ପୋଲିସ ଷ୍ଟେସନ, ସ୍କୁଲ, ନାଏବ ତହସିଲଦାର ଅଫିସ, ଡାକ୍ତରଖାନା, ଭେଟେନାରୀ ବିଭାଗ ସାଙ୍ଗକୁ ବ୍ଲକ ଅଫିସଟା ବି ରହିଥିଲେ କେତେ ଭଲ ହୋଇ ନ ଥାନ୍ତା । ବ୍ଲକ୍‌ଅଫିସ ସକାଶେ ଜଣେ ଅଫିସର, ଜଣେ ଦି’ ଜଣ ସହକାରୀ ଅଫିସର, ଗ୍ରାମସେବିକା ଇତ୍ୟାଦି ରହି ସରକାରୀ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇ ଥାଆନ୍ତେ । କଥାବାର୍ତ୍ତା, ଦୁଃଖ ସୁଖ ହେଉ ସମୟ ଜଣାପଡ଼ନ୍ତା ନାହିଁ । ତାସ ଖେଳଟା ବି ଜମି ଉଠନ୍ତା ।

 

ପୋଲିସ କର୍ମଚାରୀଙ୍କ ମାସକୁ ପନ୍ଦର ଦିନ ଟୁର୍‌ । ଭେଟେନାରୀ ବିଭାଗର କର୍ମଚାରୀମାନେ ବି ସେଇୟା । ଆଉ ଡାକ୍ତର ମହାଶୟ ନିଜର ପରିସର ଭିତରେ ସର୍ବଦା ବ୍ୟସ୍ତ । କୃଷ୍ଣପ୍ରସାଦ ଜୀବନଟା ନିଛାଟିଆ ମନେହୁଏ । ଗୃହିଣୀ ଓ ପିଲାପିଲିମାନେ କ୍ୱାଟରଟି ଭିତରେ ବାନ୍ଧି ହୋଇ ରହନ୍ତି । ମରଦ ପିଲା ନୁହନ୍ତି ଯେ ବାହାରେ ବେଢ଼ାଏ ବୁଲି ଆସିବେ । ଚିହ୍ନା ଅଚିହ୍ନା ଦି’ଜଣଙ୍କ ସଙ୍ଗରେ ଦି’ପଦ କଥାଭାଷା କରି ମନର ଦୁଃଖକୁ ଭୁଲିଯିବେ । ଦୁଃଖ କହିବ, ଏଇ ମାଇପୀମାନଙ୍କର । ସକାଳ ପାହିଲେ ସେଇ ପରିଚିତ ସୂର୍ଯ୍ୟ, ଦେହଘଷେ ସକାଳ ସନ୍ଧ୍ୟା ଓ ଅପରିବର୍ତ୍ତିତ ରାତି । ଦେହଘଷା ଲୋକଙ୍କର ଚିହ୍ନା କଥାଭାଷା ଶୁଣି ଶୁଣି ମନଟା ଅଳସେଇ ଉଠେ-। ଋତୁର ପରିବର୍ତ୍ତନ ଅଛି, ମାସ ପଛକୁ ନୂଆ ମାସ ଆସୁଛି । ଅଥଚ କୋଳାହଳ ପ୍ରିୟ ଜୀବନର କୌଣସି ପରିବର୍ତ୍ତନ ନାହିଁ । କର୍ମଚାରୀ ଘରର ମାଇପୀମାନେ ଭାଗ୍ୟ ଆଦରି ପଡ଼ିଥାନ୍ତି-। ଅଦୃଷ୍ଟକୁ ନିନ୍ଦି ପରିବର୍ତ୍ତନ ଅପେକ୍ଷା କରନ୍ତି ।

 

ବେଳେ ବେଳେ ନୂଆ କର୍ମଚାରୀଟିଏ ଆସି କୃଷ୍ଣପ୍ରସାଦରେ ପହୁଞ୍ଚିଗଲେ କିଛିଦିନପାଇଁ ସାଙ୍ଗସାଥି ମହଲ ବେଶ୍‌ ଜମି ଉଠେ । ସମସ୍ତେ ସେହି ନୂଆ ବନ୍ଧୁଟି ସଙ୍ଗରେ ଆତ୍ମୀୟତା ସ୍ଥାପନ କରିବାକୁ ପ୍ରତିଯୋଗିତା ଆରମ୍ଭ କରି ଦିଅନ୍ତି । ଜୀବନ, ଚଞ୍ଚଳ ହୋଇଉଠେ । ମନ ଭିତରେ ଆଗ୍ରହ ବସା କରେ । ପରିବାରର ବଢ଼ିଲା ଝିଅ, ଭଉଣୀ ସେଇ କିଛିଦିନ ନୂଆ ବେଶଭୂଷଣ ହେବାକୁ ଆଗଭର ହୁଅନ୍ତି । ଖିଲିଖିଲିଆ ହସ ହସି ନିଜ ରୂପ ଯୌବନକୁ ବିଜ୍ଞାପିତ କରିବାକୁ ଉପାୟ ସ୍ଥିର କରନ୍ତି । ଭାବନ୍ତି, ସବୁଦିନ ନୂଆ ନୂଆ ଅଫିସର ବା ଅଫିସ କର୍ମଚାରୀ ଆସନ୍ତେ କି ! କିଛି ନ ହେଲେ, ନୂଆ ମୁହଁଟିଏ ଦେଖିବାକୁ ସୁଯୋଗ ମିଳନ୍ତା । ନୂଆ କଥା ଦି’ପଦ କାନରେ ବାଜନ୍ତା । ନିର୍ଜନ କଥା ଜଣା ପଡ଼ନ୍ତାନାହିଁ ।

 

କିନ୍ତୁ ସେ ସୁଯୋଗ ଖୁବ୍‌ ଅଳ୍ପ ଆସେ । ଅଙ୍ଗୁଳୀରେ ରାଶି ହେବା ପରି ଅଫିସ ଓ ଅଫିସର । ଜଣକ ଘରେ ସୋରିଷ ଫୁଟୁଥିଲେ ପାଖଘରକୁ ଶୁଭେ । ପରିସର ସୀମିତ ଓ ଉତ୍ତେଜନା–ରହିତ । ନୂଆ ଲୋକ ଆସିବେ କୁଆଡ଼ୁ ?

 

ପାଖଆଖର ଲୋକେ ଏହି କର୍ମଚାରୀ ମହଲ ସଙ୍ଗେ ମିଶିବାକୁ ସଙ୍କୋଚବୋଧ କରନ୍ତି-! ସାକ୍ଷାତକୁ ଜାଣିଶୁଣି ଆଡ଼େଇ ଦିଅନ୍ତି । ବିନା ଆବଶ୍ୟକରେ ଭୟ କରି ଦୁଆର ମାଡ଼ନ୍ତି ନାହିଁ-। ଏ କର୍ମଚାରୀ ଗୋଷ୍ଠୀଙ୍କୁ କେଉଁ ବିଶ୍ୱାସ ଅଛି ଯେ ? ମନ ବୁଝିଥିଲା ପର୍ଯ୍ୟନ୍ତ ପାଖରେ ବସିଥିବେ-। ମଉକା ପାଇଲେ କାବୁରେ ପକାଇବେ । ସବୁଠୁ ଭଲ, ସେମାନଙ୍କ ପାଖରୁ ଦୂରେଇ ରହିବା । ସମ୍ପର୍କ ନ ରଖିଲେ ସମ୍ପର୍କ ଦୋଷ ତ କଟିଯିବ ।

ତିନିହେଁ ବସି କଥାବାର୍ତ୍ତା କରୁଛନ୍ତି, ପାରିକୁଦରେ ସନ୍ଧ୍ୟା ହେଲା ।

ପାରିକୁଦର ସନ୍ଧ୍ୟାଟା ବେଶ୍‌ ଆରାମପ୍ରଦ ଜଣାଯାଉ ଥାଏ । ଚିଲିକାର ମିଠା ପବନ ସେ ସଞ୍ଜଟାକୁ ଆହୁରି ପୃଷ୍ଟିଳ କରିଦେଲା ।

ରକ୍ତଲାଲ ସୂର୍ଯ୍ୟଟା, ବଳୟ ତଳୁ ଖସିପଡ଼ି ଚିଲିକାରେ ଲୁଚିବାକୁ ବସିଥାଏ । ଦିନକର କର୍ମବହୁଳ ପରିଶ୍ରମ ପରେ ଚିଲିକା ଛାତିରେ ଆଶ୍ରୟ ନେବ । ଚିଲିକାର ନୀଳ ତରଙ୍ଗ ସଙ୍ଗେ ମନ ଆନନ୍ଦରେ ଖେଳି ଖେଳି ସେ ତାର କର୍ମ ବହୁଳ କ୍ଲାନ୍ତିକୁ ଭୁଲିଯିବ । ଯଦି ତାଙ୍କର ଭାଗ୍ୟରେ ଥାଏ, କାଳିଯାଈ ଉପରେ ସରଗ ଅପ୍‌ସରୀଙ୍କ ନୃତ୍ୟଗୀତ ଅନୁଭବ କରିବ ।

କୃଷ୍ଣପ୍ରସାଦର ଧର୍ମଶାଳା କଡ଼ରୁ ଗୋପାଳ ବାଳକର ବଂଶୀସ୍ୱନ ଶୁଭୁଛି । ଗୋଠ ବାହୁଡ଼ା ଧେନୁର ଖୁର ଶବ୍ଦଟା ଚମତ୍କାର ମନେ ହେଉଛି । ବିଶ୍ରାମକାମୀ ଧେନୁପରି କି ଚଞ୍ଚଳହୋଇ ଉଠିଛନ୍ତି । ପଡ଼ିଉଠି ସେମାନେ ଆଗପଛ ହୋଇ ଧାଇଁଛନ୍ତି ।

ଆକାଶରେ ବସା–ବାହୁଡ଼ା ପକ୍ଷୀର ଡାକ ଶୁଭୁଛି । କି ଆକୁଳଭରା ଡାକ ! ଆକାଶରେ ଉଡ଼ି ଆସୁ ଆସୁ ବୋଧହୁଏ ତାର ସହଯାତ୍ରୀ କି ସହଯାତ୍ରୀଣୀକୁ ଛାଡ଼ିଦେଲା । ଯଦି ସେ ଫେରି ନଆସେ ତେବେ କି ଦୁଃଖଦାୟକ ଘଟଣାଟିଏ ହେବ ନାହିଁ ? ସମୁଦାୟ ରାତିଟା ନିଃସଙ୍ଗରେ କଟିଯିବ । ଜୀବନ ଯୌବନର ଗୋଟିଏ ରାତି ବ୍ୟର୍ଥ ହେବ । ଅଧ ରାତିରେ ଶୀତ ପଡ଼ିଲେ, କାହାର ପରତଳକୁ ଘୁଞ୍ଚିଯାଇ ଦେହକୁ ଉଷୁମ କରିବ ? ଦୁର୍ଭାଗ୍ୟକୁ ଯଦି ରାତିରେ ବର୍ଷା ହୁଏ ? ସେ ରାତିରେ ନିର୍ଜନତା ମୃତ୍ୟୁପରି କଷ୍ଟଦାୟକ ହୋଇଉଠିବ । ତାଠୁ ବରଂ ଏଇ ଅଧବାଟରେ ଅଟକି ଯାଇ ସାଥି ପକ୍ଷୀଟିକୁ ଅପେକ୍ଷା କରିବା ଶ୍ରେୟସ୍କର । ସେଥି ଫେରି ଆସିଲେ, ଅନ୍ଧାର ଭିତରେ ବି ବାଟ ଖୋଜି, ଖୋଜି ବସାକୁ ଫେରି ଯାଇହେବ ।

ଅଚିହ୍ନା ପକ୍ଷୀଟି ବାରମ୍ୱାର ଡାକ ଛାଡ଼ୁଛି । କେତେ ମିନତି ଭରା ଡାକ ! ଲହରାଇ ଲହରାଇ କହୁଛି, ବନ୍ଧୁ ! ତୁମେ ଯେଉଁଠି ଥାଅ ଫେରି ଆସ । ମୁଁ ଏଇଠି ତୁମର ଅପେକ୍ଷା କରିଛି । ନ ଫେରିବାଯାଏ ଅପେକ୍ଷା କରଥିବି । ଟିକିଏ ବାଟ ଉଡ଼ିଆସି ପୁଣି ଥରେ ଫେରି ଯାଉଛି । ବାରମ୍ୱାର ଡାକ ଛାଡ଼ୁଛି । ସେଇ ମିନତି ଭରା ଡାକ ।

ଚନ୍ଦ୍ରଟା ନଳବଣର ସାମନା ସମାନି ହେଲାଣି । ସୂର୍ଯ୍ୟ ପରେ ଏ ପୃଥିବୀକୁ ହସାଇବାର ଭାର ନେବ ଚନ୍ଦ୍ର । କିନ୍ତୁ ସେ ଆଜି ଏତେ ମାତ୍ରାରେ ଚପଳ ହୋଇ ଉଠିଛି କାହିଁକି ? ଚୁପ୍‌, ଚୁପ୍‌ ହସି ନିଜ ମୁହଁଟାକୁ ବାଦଲ ଭିତରେ ଲୁଚାଇ ଦେଉଛି । କାଳିଜାଈରେ ସେହି ସ୍ୱର୍ଗଲୋକର ରୂପସୀମାନେ ମିଶି ପୁଣି ଥରେ ଜଳକ୍ରୀଡ଼ା ଆରମ୍ଭ କରିଦେଲେ କି ? ଆଜି ବୋଧହୁଏ ସେମାନେ ଉଲଗ୍ନ ସ୍ନାନ କରୁଛନ୍ତି । ନ ହେଲେ ସରଳ ଚନ୍ଦ୍ରଟା ଏତେ ଦୁଷ୍ଟାମୀ ବାହାର କରନ୍ତା କାହିଁକି ? କାହିଁକି ସେ ଲୁଚି ଲୁଚି ହସନ୍ତା ? ପୁଣି ବାଦଲ ଭିତରୁ ଲୋଭିଲା ମୁହଁଟା କାଢ଼ି ତରବର ହୋଇ ଧାଇଁ ଯାଆନ୍ତା !

ସ୍ୱର୍ଗ ରୂପସୀର ନାଚ କି ମଧୁର ହୋଇ ନ ଥିବ ! ଅପ୍‌ସରା ଅପ୍‌ସରୀମାନଙ୍କ ଉଲଗ୍ନ ଜଳକ୍ରୀଡ଼ାରେ ଲାବଣ୍ୟର ଲଳିତ ଛନ୍ଦ ଫୁଟି ଉଠିଥିବ । ସେମାନେ କଣ କ୍ରୀଡ଼ାରେ ଏତେ ତନ୍ମୟ ଯେ ମୁଣ୍ଡ ଉପରର ଲୁଚିଲା ଚନ୍ଦ୍ରଟାକୁ ଦେଖିପାରୁ ନାହାନ୍ତି ?

 

ହୁଏତ ସବୁ ଦେଖି ବି ସେମାନେ ଆଖିବୁଜି ଦେଇଥିବେ । ଭାବୁଥିବେ ବୟସର ଇଏ ଏକ କବିତ୍ୱ–ବୋଳା କଳା । ଉଲଗ୍ନ ସ୍ନାନରେ ପୁଣି କଳା ଅଛି ? ବୟସ ସେମାନଙ୍କୁ ମୋହାଚ୍ଛନ୍ନ କରିଛି । ଖାଲି ବୟସ ତ ନୁହେ, ସ୍ୱର୍ଗୀୟ-ପ୍ରାଚୁର୍ଯ୍ୟର ବି ଅବଦାନ ରହିଛି । କି ଗର୍ବ ସେମାନଙ୍କର ! ଭାବୁଥିବେ, ଚିଲିକା–କୁମାରୀ ତାର ନୀଳ–ଅଞ୍ଚଳ ଘୋଡ଼ାଇ ସେମାନଙ୍କୁ ଲଜ୍ଜାମୁକ୍ତ କରିବ । କିନ୍ତୁ ପାଣି ଭିତରେ ହାବୁକା ମାରି ପହଁରିଲାବେଳେ କଣ ଦେହର କୌଣସି ଅଂଶ ଦେଖାଯିବ ନାହିଁ ।

 

ଚନ୍ଦ୍ରଟା ଏଇନେ ଚମତ୍କାର ଦେଖା ଗଲଣି । ଚିଲିକାର ସବୁ ଶୋଭା ସମ୍ପଦକୁ କଣ୍ଠାଗ୍ରତ କରି ସେ କି ଉନ୍ମାଦ ହୋଇ ଉଠିଛି ! ସତେ ଅବା ସୁଷମା-ଭରା ଗ୍ଲାସେ ମଦ ପିଇଦେଲା । ଶରୀର ଓ ମନ ତାଜା ଲାଗୁଛି । ବିନା କାରଣରେ ହସିବାକୁ ଇଚ୍ଛା ହେଉଛି । ସେ ହସୁଛି ପାଗଳ ହୋଇ, ବିଭୋର ହୋଇ । ରୂପତୃଷ୍ଣା ତାର ମେଣ୍ଟିଗଲା । ତାହାହେଲେ ଏମିତି ହସ ହସିବ ନାହିଁ କାହିଁକି ?

 

ଅଶୋକ ପାତ୍ର ନୂତନ ବନ୍ଧୁଦ୍ୱୟଙ୍କ ସଙ୍ଗରେ ଚନ୍ଦ୍ର କିରଣ ସ୍ନାତ କୃଷ୍ଣପ୍ରସାଦ ଦେଖିବାକୁ ମନସ୍ଥ କଲେ । ପୋଖରୀ ଉପରେ ଚନ୍ଦ୍ର କିରଣର ପ୍ରତିବିମ୍ୱଟା କମ୍‌ ସୁନ୍ଦର ଦେଖା ଯାଉ ନଥିବ ! ଆଉ ଚିଲିକା ଭିତରେ ? ଚିଲିକା ଏଇନେ ରଜତ–ସ୍ନାନ କରୁଥିବ । ପକ୍ଷୀର କଳଗୁଞ୍ଜନରେ ଚିଲିକାର ରିଙ୍ଗ୍‌ବନ୍ଧଟା ଉଲ୍ଲସିତ ହୋଇ ଉଠିଥିବ । ପକ୍ଷୀ ଦମ୍ପତି ପ୍ରେମାଳାପରେ ବ୍ୟସ୍ତ ଥିବେ । ଆଉ ଟିକି ଟିକି ଚାହା ଚଢ଼େଇ ଟିକ୍‌ଟିକ୍‌ ଆବାଜ କରି ଆକାଶକୁ ଉଡ଼ି ଯାଉ ଯାଉ କହୁଥିବ ଆମେ ସବୁ ଦେଇଛୁଁ । ଲୁଚାଇବ କଣ ?’’ ପୁଣି ସେହି ହସ, ସେହି ଜମକ ।

 

ପାରିକୁଦରେ ରାତ୍ରି ହେଲା ।

 

ପାରିକୁଦର ରାତ୍ରିଟା ଚିଲିକା ସେ ପାଖର ବାଲୁଗାଁ କିମ୍ୱା ରମ୍ଭାରାତ୍ରିଠାରୁ ସମ୍ପୂର୍ଣ୍ଣ ପୃଥକ୍‌-

 

ବାଲୁଗାଁରେ ରାତ୍ରି ହେଲେ ବି ଜନଗହଳି ହଠାତ୍‌ କମିଯାଏ ନାହିଁ । ସିନେମା ହଲ୍‌ର ଫାଷ୍ଟ୍‌ ସୋ’ ସିନେମା ସଙ୍ଗୀତ, ରାତିକୁ ସର୍ବପ୍ରଥମ ଶୁଭେଚ୍ଛା ଜଣାଇ ‘ଲାଷ୍ଟ୍‌ ସୋ’ ପର୍ଯ୍ୟନ୍ତ ଆପ୍ୟାୟିତ କରେ । ତା’ପରେ ରାସ୍ତାଧାରର ମୋଟର, ରିକ୍‌ସା, ସାଇକଲ ଅଧରାତି ଗଡ଼ିଲା ଯାଏ ତାର ସାଥି ହୁଅନ୍ତି । ମଝିରେ ମଝିରେ ଅଫିସ୍‌ ଘଣ୍ଟା ବାଜି ସୂଚେଇ ଦିଏ, ‘‘ବାଲୁଗାଁର ସଭିଏଁ ଶୋଇ ନାହାନ୍ତି । ମୋରି ପରି ଆହୁରି ଅନେକ ଲୋକ ଚେତା ଅଛନ୍ତି ।’’ ରାତ୍ରି ବଢ଼ିବା ସଙ୍ଗେ ସଙ୍ଗେ ନିର୍ଜନତା ବୃଦ୍ଧି ପାଉଥିଲେ ବି ପାରିକୁଦ ପରି ହଠାତ୍‌ ନୀରବ, ନିଃସଙ୍ଗ ହୋଇ ଯାଏନାହିଁ ।

 

ପାରିକୁଦ, ରାତ୍ରିର ପ୍ରଥମ ପ୍ରହରରେ ନିଶବ୍ଦ ଜଣା ପଡ଼ୁଥିଲା । କୃଷ୍ଣପ୍ରସାଦର ପୁରୁଷ ସ୍ତ୍ରୀ ବିଶ୍ରାମ ପାଇଁ ପ୍ରସ୍ତୁତ ହେଉଥାନ୍ତି ।

 

କିନ୍ତୁ ଅଶୋକ ପାତ୍ର ନୂତନ ସାଥି ମେଳରେ ଗହନ ରାତ୍ରିର ବିଶ୍ରାମ କଥା ଭୁଲି ଯାଇଥିଲା । ନୂତନ ବନ୍ଧୁ ଦି’ଜଣକ ବି କଥା ଭାଷାରେ ନିମଗ୍ନ ଥାନ୍ତି । ସମୟଜ୍ଞାନ ଦୂରେଇ ଯାଇଥାଏ ।

 

ଅବଶେଷରେ ଅଶୋକ ପାତ୍ର ନିର୍ବାଚନ ସହକର୍ମୀ ଦ୍ୱୟ ଫେରିଲେ । ସେମାନଙ୍କ ମୁହଁ ଓ ଆଖି କହୁଥାଏ କୃଷ୍ଣପ୍ରସାଦ ଓ ତତ୍‌ସଂଲଗ୍ନ ଛୋଟ ଛୋଟ ଗାଁ କେଇଟିକୁ ସେମାନେ ମନଭରି ଉପଭୋଗ କରିଛନ୍ତି । ସୁଯୋଗର ପ୍ରତିଟି ମୁହୂର୍ତ୍ତକୁ ବିନିଯୋଗ କରି ଜୀବନକୁ ଧନ୍ୟ କରିଛନ୍ତି ।

 

ଏଇନେ ହୁଏତ ଗାଁ ମଶାଣିରେ ଡାହାଣୀ ନିଆଁ ଜଳୁଥିବ । ପ୍ରଥମ କରି ଗୁଣିଆ ଶିଖୁଥିବା ଛାତ୍ର ଉଲଗ୍ନ ହୋଇ ମଶାଣୀରେ ବୁଲୁଥିବ । ଶୃଗାଳ ଓ ଛଞ୍ଚାଣମାନେ ନୂତନ ମଢ଼ା ଅନ୍ୱେଷଣ କରୁଥିବେ ।

 

ନୂଆ ଲୋକ କେଇଜଣ ଆସିଛନ୍ତି ବୋଲି ସେ ରାତ୍ରିରେ ଲୁଣ୍ଠନ ଧରି ଗାଁର କେତକ ବିଶିଷ୍ଟ ଭଦ୍ରଲୋକ ଆସିଥିଲେ । ନିର୍ଜନ ସ୍କୁଲ ହୋଷ୍ଟେଲ୍‌ଟି ବିଭିନ୍ନ ଆଲୋଚନା ଓ ହସ ଖୁସିରେ ପ୍ରତଧ୍ୱନିତ ହୋଇ ଉଠିଲା ।

 

ରାତି ଅଧର ଆଲୋଚନା ବେଳେ ବେଳେ ଖୁବ୍‌ ଜମେ । ଆଲୋଚନା ନିଶାରେ ଆକ୍ରାନ୍ତ ହୋଇ ଅଂଶ ଗ୍ରହଣକାରୀମାନେ ସମୟର ସ୍ଥିତିକୁ ଭୁଲି ଯାଆନ୍ତି ।

 

ସେଦିନ ସେମାନଙ୍କ ଭିତରେ ଠିକ ସେଇକଥା ପଡ଼ିଥିଲା ।

 

ମିଶ୍ରବାବୁ ‘ଖଟ-ପାଚେରୀ’ କଥା କହୁ କହୁ ଆହୁରି ଗୁଡ଼ିଏ ଯୁକ୍ତି ହେଲା । ଗୁଣିଆ ଓ ମନ୍ତ୍ର ବିଷୟରେ ଯିଏ ଯାହା ଜାଣିଥିଲେ କହିଲେ ।

 

ତା’ପରେ ପରେ ପଡ଼ିଲା ଜୀବନ ଦର୍ଶନ କଥା । ମୃତ୍ୟୁପରେ ପୁନର୍ଜନ୍ମ ଅଛି କି ନାହିଁ ସେ ସମ୍ୱନ୍ଧରେ ଅନେକ ସୂକ୍ଷ୍ମ ଆଲୋଚନା ହେଲା । କିନ୍ତୁ ରାତି ଗୋଟାକ ଭିତରେ କଣ ଏତେ ବଡ଼ ସମସ୍ୟାର କିଛି ଏକ ସିଦ୍ଧାନ୍ତ କରିହୁଏ ? ଏଇ ପ୍ରଶ୍ନଟାକୁ ଅନୁଶୀଳନ କରୁ କରୁ ଶହ ଶହ ବର୍ଷ ବିତିଯାଇଛି । ଯୁଗ ପରେ ଯୁଗ ବହି ଯାଇଛି । ତଥାପି ସ୍ଥିର ସିଦ୍ଧାନ୍ତରେ କେହି ପହୁଞ୍ଚି ପାରିନାହିଁ । ହିନ୍ଦୁ ଦର୍ଶନ ପୁନର୍ଜନ୍ମ ଉପରେ ବିଶ୍ୱାସ କଲେହେଁ, ମୁସଲମାନେ ଶାସ୍ତ୍ର ହିନ୍ଦୁଦର୍ଶନର ଅନୁରୂପ ପୁନର୍ଜନ୍ମକୁ ବିଶ୍ୱାସ କରୁନାହିଁ । ପାଶ୍ଚାତ୍ୟ ଦେଶର ପୁଣି ପୃଥକ୍‌ ବିଶ୍ଳେଷଣ । ଆଙ୍ଗୁଠି ବଢ଼ାଇତ କିଛି ଗୋଟିଏ ଜିନିଷ ଦେଖାଇ ଦିଆଯାଇ ପାରିବ ନାହିଁ ! ସବୁ ଧର୍ମ ଓ ବିଶ୍ୱାସ ଉପରେ ନିର୍ଭର କରୁଛି । ଚାହିଁଲେ ରହିଲା, ନ ଚାହିଁଲେ ବାଏଁ ବାଏଁ ଉଡ଼ିଗଲା ।

 

ଆଲୋଚନା ମାନ୍ଦା ପଡ଼ି ଆସିଲା ବେଳେ କୃଷ୍ଣପ୍ରାସାଦର ଶିକ୍ଷକ-ବନ୍ଧୁ ପଟ୍ଟନାୟକ ବାବୁ ସମୟ କଥା ସୂଚେଇ ଦେଲେ । ସେଦିନର ଆଲୋଚନା ସେତିକିରେ ଶେଷ ହେଲା ।

 

ଅନ୍ୟାନ୍ୟମାନେ ସ୍କୁଲ ଘରୁ ବିଦାୟ ନେଲାବେଳେ କହିଗଲେ, ‘ଆଜି ରାତିଟା ସବୁଦିନକୁ ମନେ ରହିବ ।’ କିନ୍ତୁ କିଏ ଜାଣେ ମନେ ରହିବ କି ନାହିଁ ? ଏହାଠୁ କଣ ଅଧିକ ମୂଲ୍ୟବାନ ରାତି ଆଉ ମିଳିବାର ସମ୍ଭାବନା ନାହିଁ ? ଜୀବନ ପଥ ସୁଦୀର୍ଘ । ବର୍ଷ କେଇଟା ଚାଲି ତାର ଦୂରତ୍ୱକୁ କଳ୍ପନା କରିହୁଏ ନାହିଁ । ଆପାତତଃ ଯେଉଁ ଘଟଣାଟି ସବୁଠୁ ଜ୍ୟୋତିଷ୍କ ବୋଲି ଜଣାପଡ଼େ, କାଳକ୍ରମେ ସେ ମଳିନ ପଡ଼ିଯାଏ । ତେଣୁ ଏ ଜୀବନରେ କୌଣସି ଘଟଣା ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ ହେବ ନାହିଁ ।

 

ଖିଆପିଆ ସାରି ଶୋଇଲାବେଳେ ମିଶ୍ରବାବୁ ଓ ମହାପାତ୍ର ବାବୁ ପୁଣି ଥରେ ସେହି ‘ଚପଳା’ ଝିଅଟି ବିଷୟରେ କଥାବର୍ତ୍ତା କରୁଥିଲେ ।

 

ଚପଳା ହିଁ ପାରିକୁଦର ପ୍ରାଣ ! ମିଶ୍ରବାବୁ ମନ୍ତବ୍ୟ ଦେଲେ ।

Unknown

 

ସେ ମୋ’ ମନଭିତରେ ସବୁଦିନକୁ ଗହୀରିଆ ଗାରଟିଏ ହୋଇ ରହିବ । ମହାପାତ୍ର ବାବୁ ପୁଣି ଥରେ ଏ ମନ୍ତବ୍ୟ ଦେଇ ଯେ ଭୁଲ କରୁଛନ୍ତି, ଏକଥା ବୁଝିପାରି ନ ଥିଲେ ।

 

ଯୁବକ ଛାତିରେ ଅଚିହ୍ନା ଯୁବତୀଟିଏ ସବୁଦିନିଆ ଗାର ହୋଇ ରହିପାରେ ନାହିଁ । ସମୟ କ୍ରମେ ସେ ଭୁଲି ହୋଇଯାଏ । ଅଶୋକ ବାବୁ ଉତ୍ତର ଦେଲେ ।

 

ତା’ ହସଟାକୁ ମୁଁ ମନେ ରଖିଥିବି । ମହାପାତ୍ର ବାବୁ କହିଲେ ।

 

‘ତା’ ଆଖିରେ ସେହି ଭ୍ରୁଲତା-ନଚା-କଥା କେଇପଦ ଭୁଲି ହେବନି’ । ମିଶ୍ରବାବୁ ଯୋଗ କଲେ ।

 

ତରୁଣୀର ପୂର୍ଣ୍ଣାଙ୍ଗ ଚିନ୍ତାଠାରୁ କ୍ରମେ ତାର ହସ ଓ ଆଖି ଆଡ଼କୁ କଥାଟି ଗଡ଼ିଆସିଲା । ପାଞ୍ଚମିନିଟ ବ୍ୟବଧାନ ଭିତରେ ଯଦି ଏତେଗୁଡ଼ିଏ ପରିବର୍ତ୍ତନ ହେଲା, ତେବେ ତାକୁ କାଳକ୍ରମେ ଭୁଲି ଯିବାରେ ଅସ୍ୱାଭାବିକତା କର ଅଛି ଯେ ? ବର୍ଷ ଗୋଟାକ ପରେ ଖାଲି ହୁଏତ ମନେ ପଡ଼ିବ, ପାରିକୁଦ ଯାତ୍ରା ଭିତରେ ଝିଅଟିଏ ସଙ୍ଗେ ଦେଖା ହୋଇଥିଲା । ବାସ୍‌ ଏତିକି । ତା’ ହସ କି ଚାହାଣୀର ଉଲ୍ଲେଖ ହେବନି । ଗୁରୁତ୍ୱ କମିଯିବ ।

 

ସେହି ଚପଳାନାମ୍ନୀ ଝିଅଟିଏ କଣ ଏ ଦୁହିଙ୍କୁ ମନେ ପକାଉଥିବ ? ନିର୍ଜନ ଦ୍ୱୀପର ନୂତନ ଅତିଥି ବୋଲି ଆଖିରେ ମୋହର ଅଞ୍ଜନ ଲାଗିଛି । ତା’ପରେ ଆପଣା ଛାଏଁ ସେ ଲିଭିଯିବ । ଯଦି ବର୍ଷ ଦୁଇଟା ଭିତରେ ବିବାହ କରି ପାରିକୁଦ ଛାଡ଼ିଦିଏ, ତେବେ କଣ ଏମାନଙ୍କ କଥା ମନେ ରହିବ । ତା’ ଛାତିରେ ସ୍ୱପରିବାର ପାଇଁ ଦରଦ ଜମିବ । ନିଜର ସ୍ୱାମୀ ପାଇଁ ଅନୁରାଗ ବାଢ଼ିବ । ଆଉ ଯଦି ସୌଭାଗ୍ୟ ବଶତଃ ସନ୍ତାନ ସନ୍ତତିର ମାତା ହୁଏ ? ତାର ମାଆ ମନ ପୃଥିବୀର କୌଣସି କଥା ଆଉ ଭାବିବ ନାହିଁ । ନିଜର ସୃଷ୍ଟି ଭିତରେ ସମ୍ପୂର୍ଣ୍ଣ ଭାବରେ ମିଶିଯିବ । କୁମାରୀ ଜୀବନର ଏ ଅବାଞ୍ଛିତ ଘଟଣାକୁ ଚରିତ୍ରର କଳଙ୍କ ବୋଲି ଧରିନେବ ।

 

ତଥାପି ସେ ରାତିଟା ‘ଚପଳା’ ଚର୍ଚ୍ଚାରେ ରୋମାଞ୍ଚିତ ହୋଇ ଉଠିଥିଲା । ପ୍ରକୋଷ୍ଠର ଅବରୁଦ୍ଧ ପବନରେ ଚପଳା ରୂପର ମହକ ଭରି ଯାଇଥିଲା ।

 

ମିଶ୍ର ଓ ମହାପାତ୍ର ବାବୁ ସେ ରୋମାଞ୍ଚ ଓ ମହକକୁ ଉପଭୋଗ କରୁ, କରୁ ମନ ଆନନ୍ଦରେ ଶୋଇଗଲେ ।

 

ଶୋଇ ଶୋଇ କଣ ଚପଳାକୁ ସ୍ୱପ୍ନ ଦେଖୁଥିବେ ? ତାଙ୍କର ଅବଚେତନ ମନଟାକୁ ଚପଳା କଣ ସତରେ କବଳିତ କରି ନେଇଥିବ ?

 

ବନଲତା ଦାସ ଠିକ୍‌ ସକାଳ ସାତଟାରେ ଆସି ଭୋଟ ଗ୍ରହଣ କେନ୍ଦ୍ରରେ ପହୁଞ୍ଚି ଯାଇଛନ୍ତି ।

 

ଅଶୋକ ପାତ୍ର ଆସନ୍ନ ଭୋଟ ଗ୍ରହଣର ପ୍ରସ୍ତୁତି କରିବାରେ ସଜାଗ ଅଛନ୍ତି । ‘ଗାଇଡ଼୍‌’ ବହିଟିକୁ ବାହାର କରି ପୁନରାବୃତ୍ତି କରୁଁ କରୁଁ ସବୁ ଜିନିଷ ଠିକ୍‌ ଭାବରେ ଯଥା ସ୍ଥାନରେ ରହିଛି କି ନାହିଁ ଦେଖିନେଲେ ।

 

ସହଯୋଗୀ ମହାପାତ୍ର ବାବୁ ସବୁଦିନ କର୍ତ୍ତବ୍ୟ ପ୍ରତି ମନଯୋଗୀ ଥିଲେ । କଥା ବାର୍ତ୍ତାରେ ବେଶ୍‌ ସଂଯମୀ ଜଣା ପଡ଼ୁଥିଲେ । କିନ୍ତୁ ମିଶ୍ରବାବୁଙ୍କ ସଙ୍ଗେ ସେ ସବୁ କଥା କି ଚଳେ ? ଅଶୋକ ପାତ୍ର ସ୍ପଷ୍ଟ ବୁଝି ପାରୁଛନ୍ତି ସେ କେମିତି ଅନ୍ୟମନସ୍କ ହୋଇ ପଡ଼ିଛନ୍ତି । ପ୍ରତିଟି କାର୍ଯ୍ୟରେ ଅସହଯୋଗ ମନୋଭାବ ପ୍ରକାଶ ପାଉଛି । ଘଟଣା କଣ ? ଗାଇଡ଼୍‌ ପଢ଼ି ଶୁଣାଇଲା ବେଳେ ସେ ବରଦାସ୍ତ କରି ନ ଥିଲେ । କହି ନ ଦେଖି ତାଙ୍କର ଧାରଣା ହୋଇ ଯାଇଛି ଯେ ସେ ସବୁକଥା ଆଗରୁ ଶିଖିଛନ୍ତି । ତାଙ୍କ ଆଗରେ ନିୟମ କାନୁନ୍‌ ପଢ଼ି ଶୁଣାଇବା ଅର୍ଥ ତାଙ୍କର କୃତିତ୍ୱକୁ ଅନୁଦାର ଭାବ ପ୍ରଦର୍ଶନ କରିବା । ସେ ଅଶୋକ ପାତ୍ରଙ୍କ ଉପରେ ଅସହିଷ୍ଣୁ ହୋଇ ଉଠିଛନ୍ତି । ଅସହିଷ୍ଣୁ ହେବାର ପ୍ରଧାନ କାରଣ ହେଲା । ପାତ୍ରବାବୁ ବାରମ୍ବାର ନିୟମ କାନୁନ୍‌ ପ୍ରତି ଅଧିକ ଆଗ୍ରହୀ । ବ୍ୟକ୍ତିଗତ ବନ୍ଧୁତା ଉପରେ କୌଣସି ଦାୟିତ୍ୱ ଛାଡ଼ି ଦେଉନାହାନ୍ତି । ସେଇଥିପାଇଁ ସେ ମନେ ମନେ ଆକ୍ରୋଶ ରଖି ସାରିଲେଣି । ପୁରୀକୁ ଫେରି ଗଲେ ତାର ଉପଯୁକ୍ତ ଜବାବ ଦେବେ । ସାଙ୍ଗସାଥିଙ୍କ ସାମନାରେ ଦେଖା ହେଲେ ଅଶୋକ ପାତ୍ର ମନକୁ ଆଘାତ କଲାପରି କଥା (‘ବୋଲି’) କହିବେ ।

 

ବିଚରା ଅଶୋକ ପାତ୍ର ! ସେ କିନ୍ତୁ ନିରୁପାୟ । ସବୁ ଦାୟିତ୍ୱ ଯେ ତାରି ଉପରେ ଲଦି ଦିଆଯାଇଛି । ଟିକିଏ ଖିଲାପ ଥିଲେ ସରକାର ଦୋଷ ଦେବେ ଅଶୋକ ପାତ୍ରକୁ । ସହକାରୀମାନଙ୍କର କୌଣସି ଦାୟିତ୍ୱ ନାହିଁ । ପାଣିରେ ବୁଡ଼ିଲେବି କାହିଁରେ ପାଣି ଲାଗିବ ନାହିଁ । ପର ଝାଡ଼ିଦେଲେ ଆପଣା ଛାଏଁ ସବୁ ଦୋଷ–ପାଣି ନିଗିଡ଼ି ଯିବ ।

 

ଦିନିକିଆ କାର୍ଯ୍ୟର ପୁଣି ଏତେ ଗୁଡ଼ିଏ ଦାୟିତ୍ୱ ? ଅଶୋକ ମନେ ମନେ ଭାବେ, ସେ ଏ ଦାୟିତ୍ୱ ମୁଣ୍ଡାଇ ବିରାଟ ଭୁଲ କରି ବସିଛି । ଆଉ ଦିନେ ଏ ନିକର୍ମା–ଆଗ୍ରହ ଦେଖାଇବ ନାହିଁ । ଅଥଚ ନିର୍ବାଚନ ଉଦ୍ଦେଶ୍ୟରେ ବାହାରିଲାବେଳେ କି ଆନନ୍ଦ ହୋଇ ନ ଥିଲା ।

 

ସେ ଦୁହେଁ ଆହୁରି ଆସିନାହାନ୍ତି । ବେଶପୋଷାକ ପିନ୍ଧି ବାହାରିଲାବେଳେ ହୁଏତ ଅଳ୍ପ ଡେରି ହେବ । ବନ୍ଧୁ ଓ ସହକର୍ମୀ ସେମାନେ । ମନର ସବୁ ବିରକ୍ତିକୁ ଛାତିତଳେ ଚାପି ଦେବାକୁ ହେବ । କର୍ତ୍ତବ୍ୟବୋଧ ସମ୍ୱନ୍ଧରେ କାହା ପାଖକୁ ଯାଇ ବୁଝାଇବା ବେଳ ଇଏ ନୁହେ । ସେମାନେ ଯଦି ଆସନ୍ତା ନିର୍ବାଚନରେ ଅଶୋକ ପାତ୍ର ଦାୟିତ୍ୱ ନେଇ କୌଣସି ନିର୍ବାଚନ ମଣ୍ଡଳୀକୁ ଆସନ୍ତି, ବୁଝିବେ ଏଥର କେତେ ଭୁଲ କରୁ ନ ଥିଲେ ।

 

କିନ୍ତୁ ସେ କଥା ଏବେ ଅନେକ ଡେରି ଅଛି ।

 

ବନଲତା ଦାସ ନିଜର ଦାୟିତ୍ୱ କତା ଅଶୋକ ପାତ୍ର ପାଖରୁ ବୁଝିନେଲେ । ବୁଝିବାର ଶକ୍ତି ତାଙ୍କର ରହିଛି । ନିର୍ବାଚନରେ ଯେକୌଣସି ଦାୟିତ୍ୱ ଦେଲେ ତାକୁ ନିଃସଂଶୟରେ ତୁଲାଇ ଦେବେ ।

 

ଅଶୋକ ବନଲତା ଦାସର ସମୟ ଓ ଦାୟିତ୍ୱ ଜ୍ଞାନକୁ ପ୍ରଶଂସା କରୁଥିଲା । ଏ ଦେଶର ସବୁ ଝିଅ ଯଦି ବନଲତା ଦାସ ପରି ଦାୟିତ୍ୱଶୀଳା ହୋଇଉଠନ୍ତି, ତେବେ ଦେଶର ଅଦ୍ଭୁତ ପରିବର୍ତ୍ତନ ହେବ ।

 

ଆଗାମୀ ଭବିଷ୍ୟତର ରଙ୍ଗ ଲାଗିଛି ବନଲନା ଦାସ ମୁହଁରେ । ସେଦିନ ସୁଦୁର ନୁହେ, ଯେଉଁଦିନ ଏ ଦେଶର ନାରୀ ପ୍ରଗତିର ନୂତନ ଇତିହାସ ଲେଖାଯିବ । ନାରୀ ଜାତିକୁ ନିଜର ଦାୟିତ୍ୱ ସଙ୍ଗରେ ପରିଚିତ କରାଇବା ପାଇଁ ଆଗଭର ହୋଇ ବାହାରିଥିବା ଏଇ ବନଲତା ଦାସ ସେଦିନ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବ ।

 

ପୁରୁଷ ଓ ସ୍ତ୍ରୀ, ସମାଜର ଦୁଇ ଅଙ୍ଗ । ସୁନ୍ଦର ବୀଣା ଯନ୍ତ୍ରର ଦୁଇଟି ତାର ସେମାନେ । ଦୁଇଟି ଭିତରୁ ଗୋଟିଏ ଯଦି ଅକାମୀ ହୋଇଯାଏ ତେବେ ସାମୁହିକ ଉନ୍ନତି ବାଧାପ୍ରାପ୍ତ ହେବ ।

 

ଅଶୋକ ପାତ୍ର ସଙ୍ଗରେ ବନଲତା ଦାସ ବି ନିଜର କର୍ତ୍ତବ୍ୟ ବୁଝି ନେଇଛି । ବୀଣାର ଦୁଇଟିଯାକ ତାର ଏକ ସ୍ୱରରେ ବାଜି ଉଠୁଛି । ନିର୍ବାଚନର ଏହି ଉଦାହରଣଟି ସ୍ଥାୟୀ ହେଲେ, ଦେଶର ଅବସ୍ଥା କେଡ଼େ ସୁନ୍ଦର ହେବନାହିଁ ।

 

ଅବଶେଷରେ ସହକର୍ମୀ ଦ୍ୱୟ ଆସିଲେ ।

 

ବନଲତା ଦାସ ତୋଫା ଶାଢ଼ି ଖଣ୍ଡେ ପିଖିଛି । ଶାଢ଼ିକୁ ମେଚ୍‌କଲାପରି ଫିକା ଲାଲ ସେମିଜ୍‌ଖଣ୍ଡେ । ପାଦର ସାଦା ଚପଲର ରଙ୍ଗ ବି ଅଳ୍ପ ଲାଲ । କେଶ ପ୍ରସାଧନରେ ବିଶେଷ କିଛି ଚମତ୍କାରିତା ପ୍ରଦର୍ଶନ କରାଯାଇ ନଥିଲେ ବି ବନଲତା ଦାସର ମାଂସଳ କାନ୍ଧକୁ ସେ ଆଶ୍ଚର୍ଯ୍ୟ ଭାବରେ ମନାଉଛି । କାଳନ୍ଦୀ କଳା ବଙ୍ଗାଳୀ ବେଣୀ ମଝିରେ ଗୋଲାପୀ ନାଇଲନ୍‌ ରିବନ୍‌ଖଣ୍ଡେ ।

 

ବନଲତା ଦାସର ପ୍ରଥମ ନମସ୍କାରରେ ଯେମିତି ମାଦକତା ଥିଲା ଏଇ ଦ୍ୱିତୀୟ ଦିନର ଗତାନୁଗତିକ ନମସ୍କାର ଭିତରେ ତାହାଠୁଁ ବଳି ଆତ୍ମୀୟତା ରହିଛି ।

 

ବନଲତା ଦାସକୁ ଦେଖି ସ୍ଥାନୀୟ ଲୋକେ ବେଳେବେଳେ ତିକ୍ତ ମନ୍ତବ୍ୟ ଦିଅନ୍ତି । ତାର ଚପଲ ପିନ୍ଧା ଚାଲିକୁ ଦେଖି ଖିଲି, ଖିଲି, ହୋଇ ହସନ୍ତି । ସେମାନଙ୍କ ଆଖି ବନଲତାର ନିର୍ଭୀକ ପ୍ରକୃତିକୁ ଦେଖି ସହି ପାରେ ନାହିଁ । ଝିଅପିଲା ହୋଇ ପୁରୁଷମାନଙ୍କ ସଙ୍ଗେ ରାତି ନାହିଁ, ଦିନ ନାହିଁ ଘିରି ଘିରି ହୋଇ ବୁଲିବ ? ମରଦମାନଙ୍କ ପରି ମୁଣ୍ଡରୁ ଓଢ଼ଣା କାଢ଼ି ଛାତି ଫୁଲାଇ ସାଇକଲ ଚଢ଼ିବ ? ବୟସ କଣ, ରୂପ କଣ ! ଏ ବୟସରେ ମୁଣ୍ଡରେ ଓଢ଼ଣାଦେଇ ଦେହ ଲୁଛାଇ ବସିବା କଥା ! ଏ ଭରା ଯୌବନ ପୁରୁଷ ପିଲାର ଆଖି ସହିପାଇବ ନାହିଁ । ସ୍ତ୍ରୀର ଡର ପରା ପର ପୁରୁଷର ଡାହଣା ଆଖି ଦୁଇଟାକୁ ! ବୟସୀ ଝିଅ ଘରର ବୋହୂ ହୋଇ ପରିବାର ଚର୍ଚ୍ଚା କରିବା ଆବଶ୍ୟକ । ସ୍ୱାମୀ, ଶ୍ୱଶୁରର ସେବାରେ ନିଜକୁ ନିୟୋଗ କରି ଉଛୁଳା ରୂପ ଓ ଚପଳ ମନର ଅମାନିଆ ଡାକକୁ ଆଡ଼େଇ ଦେବା ଉଚିତ ।

 

ବନଲତା ଦାସ ସେଇୟା କରିନାହିଁ । ଚୁଲୀଶାଳ ଛାଡ଼ି ଖୋଲା ପବନରେ ବୁଲୁଛି । ଖରାର ଧାସ ବାଜି ତା ଯୌବନ ମଉଳି ଗଲେ ବି ସେଇଥିପାଇଁ ଧ୍ୟାନ ନାହିଁ । ଦେଶର ପ୍ରଗତି ପାଇଁ ତାର ସାମାନ୍ୟତମ ପରିଶ୍ରମକୁ ବିନିଯୋଗ କରିଛି ।

 

ବନଲତାର ଉପସ୍ଥିତିରେ ନିର୍ବାଚନ କେନ୍ଦ୍ର ଜୀବନ ପାଇଲା ଯେମିତି । ନିର୍ବାଚନର ଯାନ୍ତ୍ରିକ ପରିବେଶ ଭିତରେ ବନଲତା ଦାସ ଥିଲା ସାକ୍ଷାତ ରସପାତ୍ର । ଭୋଟର୍‌ମାନଙ୍କ ଆଖି ତାରି ଉପରେ ଅଟକିଯାଏ । ବୁଦ୍ଧି ଜାଣିଲା ଦିନଠୁ ପାରିକୁଦ ଭୂଇଁରେ ଯୁବତୀଟିଏ ଚୌକିରେ ବସି କାଗଜ କଲମରେ ହାତ ଦେବା ଏଇ ପ୍ରଥମକରି ଦେଖିଛନ୍ତି । ରନ୍ଧାବଢ଼ା ଓ ବିଲକାମ କରିବା ବ୍ୟତୀତ ଝିଅପିଲା ଯେ କଲମ ମଧ୍ୟ ଧରିପାରେ ଏଇ ପ୍ରଥମକରି ଅନୁଭବ କଲେ ।

 

ବନଲତା ଦାସ ଝିଅଟିଏ ନାଁ ପୁଅଟିଏ ? ପୁଅ ପିଲାଟିଏ କ’ଣ ଯାତ୍ରା ଛୁଆଙ୍କ ପରି ଝିଅ ବେଶ ହୋଇଛି ? ପାରିକୁଦର ଅଶିକ୍ଷିତ ପ୍ରଜାବର୍ଗଙ୍କ ମନ ଭିତରେ କୌତୁହଳର ଝଡ଼ । ମୁଣ୍ଡରେ ଅଙ୍ଗାଏ ଝିମି ଝିମି କଳା କେଶ, ସାପୁଆ ବେଣୀଟା ରହି ରହି ନାଚୁଛି । ଗାଲ ଦି’ଟା ପଦ୍ମ ଫୁଲର ପାଖୁଡ଼ା ପରି ନରମ ଓ ରଙ୍ଗ ଭରା । ଛାତିର ଶାଢ଼ିଟା ତା’ଦେହର ରୂପ ଯୌବନ ସମ୍ଭାଳିବାକୁ ଏକାନ୍ତ ଅକ୍ଷମ । ଆଖି ଡୋଳାରେ ବିବାହିତା ବଧୁର ବିଳାସ ଚପଳ ଭାଷା । ଏମିତି ଦେହ ପୁରୁଷର ହୋଇପାରେ ନାଁ ? ପୁରୁଷ ସଦାସର୍ବଦା ରୁକ୍ଷ ଓ ଗମ୍ଭୀର । ସ୍ତ୍ରୀ ପରି ସେ କଥା ପଦକେ ତରଳି ଯାଇ ପାରେ ନାଁ । କଥାରେ ତା’ର ଆଦେଶ ଥାଏ । ବନଲତାର ବୀଣାନିନ୍ଦୀ କଣ୍ଠରେ କେତେ ପ୍ରାଣ, କେତେ ସମ୍ମୋହନ ! ସେ ପୁରୁଷ ହୋଇପାରେ ନାଁ ।

 

ଅଶୋକ ପାତ୍ର ଲକ୍ଷ୍ୟ କରିଛି, ବନଲତା ଦାସକୁ ଦେଖି ସହକର୍ମୀ ଦ୍ୱୟ ଜାଣିଶୁଣି ଅଧିକ ହସୁଛନ୍ତି । ଦରକାର ନ ପଡ଼ିଲେ ବି ପାଖକୁ ତା’ର ଯାଇ ଉପଦେଶ ଦେଉଛନ୍ତି । ତା’ କାର୍ଯ୍ୟକୁ ପୁଣି ଶତ ଜିହ୍ୱାରେ ପ୍ରଶଂସା କରୁଛନ୍ତି । ବନଲତା ଦାସ ପାଇଁ ତାଙ୍କ ହୃଦୟରେ ଅନେକ ଦରଦ । ସହକର୍ମୀଦ୍ୱୟଙ୍କ ଭିତରୁ ଜଣେ ଯାଇ ଅବସର ସମୟରେ କିଛି ବୁଝାଉ ବୁଝାଉ ସାମାନ୍ୟ ଭୁଲ କଲେ ଅନ୍ୟ ଜଣକ ସଙ୍ଗେ ସଙ୍ଗେ ସେ ଭୁଲକୁ ସୁଚାଇ ଦେଉଛି । ସେହି ସମୟରେ ସେ ଅଳ୍ପ ଉତ୍ସାହିତ ଥିଲାପରି ଜଣା ପଡ଼ୁଛି । ତା’ର ହସିଲା ଆଖି କହୁଛି, ଦେଖିଲ ତ ବନଲତା, ମୁଁ ତା’ଠୁ ଅଧିକ ଜାଣେ । ମୋ କାମରେ କୌଣସି ଭୁଲ ହୁଏ ନାହିଁ । ତୁମେ ମୋ ଉପରେ ନିର୍ଭର କର । କାରଣ ମୋ ପରାମର୍ଶଟା ହିଁ ଅଧିକ ଉପାଦେୟ ।

 

ବନଲତା ଦାସ କାହାକୁ ହତାଶ କରୁ ନାହିଁ କି କାହାରି ମନ ଊଣା କରୁ ନାହିଁ । ସେ ସମସ୍ତଙ୍କୁ ଖୁସି କରିବାକୁ ଚାହେଁ । ଦିନକିଆ କାମରେ କିଏ ପଣ୍ଡିତ କଳନା କରିହେବ ନାହିଁ । ସବୁ ଝଟକିବା ଜିନିଷ ତ ସୁନା ନୁହେଁ । ପିତଳକୁ ରଙ୍ଗପାଣି ପିଆଇ ଦେଲେ ସେ ସୁନାଠୁ ବି ଉଜ୍ଜ୍ୱଳ ଦିଶେ ।

 

ପାନ ଖାଇବାର ଅଭ୍ୟାସ ନ ଥିଲେ ବି ମିଶ୍ରବାବୁ ବାରମ୍ୱାର ପାନ ମଗାଉଛନ୍ତି । ମହାପାତ୍ରବାବୁ ଏସେନ୍‌ସ୍‌ବୋଳା ରୁମାଲଟାକୁ ପକେଟରୁ କାଢ଼ି ଥରକୁ ଥର ବେକ ପୋଛୁଛନ୍ତି । ତା’ପରେ ବନଲତା ଉପରେ ପାନ କିମ୍ୱା ରୁମାଲର ପ୍ରଭାବ ପଡ଼ିଛି କି ନାହିଁ ପରୀକ୍ଷା କରି ନେଉଛନ୍ତି ।

 

ଭୋଟ ଗ୍ରହଣ ଚାଲିଛି । ପ୍ରତି ସେକେଣ୍ଡରେ ପ୍ରତିଦ୍ୱନ୍ଦୀମାନଙ୍କର ଭାଗ୍ୟ ପରୀକ୍ଷା ହେଉଛି । ଏ ପରୀକ୍ଷାରେ ଥରେ ଜିଣିଲେ ନେତା ପଦବୀ ପାଞ୍ଚ ବର୍ଷକୁ ଥୁଆ । ଶଗଡ଼ ଚକ ଥରେ ଘୂରିଲେ ବାର ହାତ । ତେଣିକି ଆର ଥର ବେଳକୁ ଦେଖା ହେବ । ସୁଯୋଗ ମିଳିଲେ ମନ୍ତ୍ରୀତ୍ୱ ପଦ ବି ରହିଛି । ଏମିତି ଲୋକେ ନିର୍ବାଚନରେ ଜିଣି ତ ମନ୍ତ୍ରୀ ହେଉଛନ୍ତି । ମନ୍ତ୍ରୀତ୍ୱ ପରେ ଯଶ ଓ ସମ୍ମାନର ଝରଣା ଫିଟିବ । ସମଗ୍ର ଦେଶ ଜାଣିବ । ସରକାରୀ କଳର ସମସ୍ତେ ନାଁଟାକୁ ମନେରଖିବ ।

 

ଭୋଟ ଦାତାମାନେ ବାହାରେ ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତି । ଭୋଟ ଦେଇ ତାଙ୍କର ଅଧିକାରଟାକୁ ସାବ୍ୟସ୍ତ କରିଦେବାକୁ ଆସିଛନ୍ତି । ଦେଶର ଶାସନଟା ଯେ ତାଙ୍କରି ହାତରେ, ଏଇ ଚେତନା ଆଜି ବେଶୀ ପରିଣାମରେ ଉପଲବ୍‌ଧି କରୁଛନ୍ତି । ଅନ୍ୟ ଦିନ ହୋଇଥିଲେ ମନ୍ତ୍ରୀର ଶାସନ ତଳେ ଅନୁଗତ ପ୍ରଜାପରି ବସିଥାନ୍ତେ । ଆଜି କିନ୍ତୁ ସେମାନଙ୍କ ତଳେ ନେତା, ମନ୍ତ୍ରୀ ସବୁକିଛି । ଭୋଟ ଦେଇ ଜୟଯୁକ୍ତ କଲେ ରାଜଧାନୀର ମୁହଁ ଦେଖିବେ । ପାଇପ ପାଣି ଓ ବିଜୁଳି ପଙ୍ଖା ଉପଭୋଗ କରିବେ । ସଂଖ୍ୟାଧିକ ଭୋଟ ନ ପାଇଲେ ଯୋଉ କତାକୁ ସେହି କତା । ଦେଶର ସାଧାରଣ ନାଗରୀକ ପରି ସାଧାରଣ ଭାବରେ ଜୀବନଯାପନ କରିବେ । ଅଭାବ ଅସୁବିଧା ଦେଖିଲେ କିଛିସମୟ ପାଇଁ ଗାଳିଗୁଲଜ ଆରମ୍ଭ କରିଦେବେ । କେହି ନ ଶୁଣିଲେ ପାଞ୍ଚ ବର୍ଷପାଇଁ ନୀରବ ରହିବେ । ପାଞ୍ଚ ବର୍ଷ ପରେ ଆଉ ଗୋଟିଏ ଦିନ ଆସିବ, ଯେତେବେଳେ କି ଦେଶର ମନ୍ତ୍ରୀ, ନେତା ଭୋଟ ମାଗିବାକୁ ପାଦ ତଳେ ହାଜର ହେବେ ।

 

ଭୋଟଦାତା ସମସ୍ତେ ସ୍ଥାନୀୟ ବାସିନ୍ଦା ନୁହନ୍ତି । କେତେ ଦୂରରୁ ଭୋକ ଉପାସରେ ଆସି ରୁଣ୍ଡ ହୋଇଛନ୍ତି । ନ ଜାଣିବା ଲୋକ ଭୋଟ ଗ୍ରହଣ କେନ୍ଦ୍ରକୁ ଦେଖି ନମସ୍କାର ହେଉଛି । ତା’ ବୁଝିବାରେ ଭୋଟ କେନ୍ଦ୍ରଟାହିଁ ମନ୍ଦିର । ଭୋଟ ବାକ୍‌ସ ଦେବତା । ସେ ବର ଦେଲେ ସାଦା ମଣିଷ ମନ୍ତ୍ରୀ ଓ ଜନନାୟକ ହୁଏ । ତା’ର ମୂଲ୍ୟ ଚଢ଼ା ବଜାର ପରି ସଙ୍ଗେ ସଙ୍ଗେ ବଢ଼ିଯାଏ ।

 

ବନଲତା ଦାସ ପ୍ରତି ଜଣକୁ ନାଁ ପଚାରି ହାତରେ ଅଲିଭା କାଳି ଲଗାଉଛି । ମହାପାତ୍ର ବାବୁ ଲିଷ୍ଟରୁ ନାଁ ଦେଖି କଣ ଲେଖା ପଢ଼ା କରି ହାତରେ ଭୋଟ କାଗଜଟିଏ ଦେଉଛନ୍ତି । ମିଶ୍ରବାବୁ କେମିତି ଭୋଟ ବାକ୍‌ସର ଜଗୁଆଳ । ଟିକିଏ କିଛି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଆସନରୁ ଉଠି ତା’ର ପ୍ରତିକାର କରୁଛନ୍ତି । ଅନ୍ଧ ଅକର୍ମଣ୍ୟମାନଙ୍କର ହାତଧରି କଳାପରଦା ଘରକୁ ଯାଇ ଭୋଟପାଇଁ ସାହାଯ୍ୟ କରୁଛନ୍ତି । ପିମ୍ପୁଡ଼ିପରି ଧାର ଲାଗିଛି । ଅବହେଳିତ ପାରିକୁଦ ବି ନିଜର ଅଧିକାର ସାବ୍ୟସ୍ତ କରିବାକୁ ପଛାଇ ଯାଇ ନାହିଁ । ଏ ଦେଶର ଗଣତନ୍ତ୍ର ଆସ୍ତେ ଆସ୍ତେ ରୂପ ପାଉଛି, ଏହି ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ପାରିକୁଦ ବାସୀଙ୍କ ମାଧ୍ୟମରେ ।

 

ଗଣତନ୍ତ୍ର ଅମର ହେଉ । ଗଣତନ୍ତ୍ର ବଳିଷ୍ଠ ହେଉ ।

 

ଗଣତନ୍ତ୍ର ଶାସନରେ ଅଧିକାର ଏକ, ସମ୍ମାନ ବି ସମାନ । ଜମିଦାରକୁ ଦୁଇଟି ଭୋଟ ଦେବାର ସୁଯୋଗ ମିଳିନାହିଁ କି ସର୍ବହରାକୁ ଭୋଟ ଦେବାର ସୁଯୋଗରୁ ବଞ୍ଚିତ କରାଯାଇ ନାହିଁ ।

 

ରାଜା, ଜମିଦାର ଜନସାଧାରଣ ସଙ୍ଗରେ ଗୋଟିଏ ଧାଡ଼ିରେ ଛିଡ଼ାହୋଇ ଚାଲିବେ ଓ ଗୋଟିଏ ପଦ୍ଧତିରେ ଭୋଟ ଦେବେ । ଏହି ପବିତ୍ର ଅଧିକାରକୁ ଅସ୍ୱୀକାର କରି ଇଂରେଜ ଜାତିଏ ଦେଶଟାକୁ ଯୁଗ ଯୁଗ ଧରି ଶାସନ କରି ଆସିଥିଲା ।

 

ଦେଶଟାକୁ ଯୁଗ ଯୁଗ ଧରି ଶାସନ କରି ଆସିଥିଲା । ଜନତାର ବିପ୍ଳବ ତା’ର ସୌଖୀନି ନିଦକୁ ଭାଙ୍ଗିଦେଲା । ବିପ୍ଳବପାଇଁ କେତେ ବନ୍ଧୁକ ଗୁଳି, କେତେ ସଙ୍ଗୀନ ମୁନକୁ ସହ୍ୟ କରି ନେଇଛି । ଜାଲିଆନାବାଗ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଲାଠୀ, ଫାଶୀ ସବୁ ସହିଛି । ବିପ୍ଳବୀର ରକ୍ତରେ ଧୂଳିମାଟିର ବସୁନ୍ଧରା କିଛିଦିନପାଇଁ ଲାଲ ହୋଇ ଯାଇଛି ।

 

ସ୍ୱାଧୀନତା ତା’ ମନକୁ ଆସି ନାହିଁ ! ଏ ଦେଶର ଅଗଣିତ ଜନତା ନିଜର ରକ୍ତ ଦେଇ ତାକୁ ଇଂରେଜ ହାତରୁ କିଣିଛି । ନିଜ ପୁଅ, ଭାଇଙ୍କ ଜୀବନ ବଦଳରେ ତାକୁ ହାସଲ କରିଛି ।

 

ପରାଧୀନ ହେବା ଜାତି ପକ୍ଷରେ ଯେତେ ଅଶୁଭ ସେତିକି ଲଜ୍ଜାଜନକ । ପରାଧୀନ ମାନବର ଜୀବନ, ଜୀବନ ନୁହେଁ । ପରାଧୀନ ମଣିଷ, ମଣିଷ ନୁହେଁ । ସେ ରାସ୍ତାକଡ଼ର ଦୁବଘାସଠୁ ବି ଆହୁରି ହୀନ । ସେ ନିର୍ବାକ ପାଷାଣ ।

 

ଏହି ଦୁର୍ଲଭ ସ୍ୱାଧୀନତାର ଅପମୃତ୍ୟୁ ହେବ ନାହିଁ ବୋଲି ଲୋକେ ଭୋଟ ଦେଉଛନ୍ତି । ଦେଶରେ ସ୍ୱେଚ୍ଛାଚାରୀ ଶାସନକୁ କବର ଦେବେ ବୋଲି ଏତେ ପରିଶ୍ରମ କରି ଭୋଟ ଗ୍ରହଣ କେନ୍ଦ୍ରରେ ଉପସ୍ଥିତ ହୋଇଛନ୍ତି । ଏଇ ଦିନଟା ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଯଦି ସେମାନଙ୍କ ଭୋଟରୁ ଏକ ଜାତୀୟ ବିରୋଧୀ, ସ୍ୱାର୍ଥପର ଲୋକ ନିର୍ବାଚିତ ହୁଏ, ତେବେ ବୁଝିବାକୁ ହେବ ସେ ଅଞ୍ଚଳର ଉନ୍ନତି ପାଞ୍ଚ ବର୍ଷପାଇଁ ଅବରୋଧ ହୋଇଛି । ନିଜକୁ ସେମାନେ ନିଜ ଅଜାଣତରେ ହତ୍ୟା କରିଛନ୍ତି ।

 

ସତୁରୀ ବର୍ଷର ବୁଢ଼ା ଜଣେ ଭୋଟ ଦେବାକୁ ଆସିଛନ୍ତି । ଏ ସତୁରୀ ବର୍ଷ ବୟସରେ ବି ସେ ତାଙ୍କର ମାନବିକ ଅଧିକାରକୁ ସାବ୍ୟସ୍ତ କରିବାକୁ ତତ୍ପର । ସେ ଗଣତନ୍ତ୍ର ଶାସନର ଅର୍ଥ ବୁଝିଛନ୍ତି ।

 

ବୁଢ଼ା ଜଣକ ବିନା ସାହାଯ୍ୟରେ ଚାଲି ପାରୁ ନାହାନ୍ତି । ଆଖିକୁ ତାଙ୍କର ଭଲ ଦିଶୁନି । ଦେହର ବଳ ଭାଙ୍ଗିଗଲାଣି । ତଥାପି ଭୋଟପ୍ରତି ଅସୀମ ଆଗ୍ରହ । ବିନ୍ଦୁ, ବିନ୍ଦୁ ଜଳ ମିଶି ସାଗର ହୁଏ । ଗୋଟିଏ ଗୋଟିଏ ଭୋଟ ମିଶି ଲକ୍ଷାଧିକ ହୁଏ । ଯଦି ତାଙ୍କରି ଭୋଟ ଖଣ୍ଡକ ପାଇ ଜଣେ ନିର୍ବାଚିତ ହୋଇ ପାରିଲା, ତେବେ ସେ କେତେ ବଡ଼ ମହାନ୍‌ କାମ କଲେ ନାହିଁ ?

 

ଅଶୋକ ପାତ୍ର ତାଙ୍କୁ ସାହାଯ୍ୟ କଲେ । ଅତି ଆନନ୍ଦର ବିଷୟ, ସେ ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରାର୍ଥୀଙ୍କ ଭିତରୁ ସୁଯୋଗ୍ୟ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେଇଛନ୍ତି । ଲୋକର ଭଲ ମନ୍ଦ କଥା ଜାଣିବାକୁ କଣ ଲେଖାପଢ଼ାର ଆବଶ୍ୟକ ହୁଏ ? ଭଲ ଲୋକ ଚିହ୍ନିବାକୁ ସେ ଲୋକର କଥା ପଦଟିଏ କାନରେ ପଡ଼ିଲେ ହେଲା । ତା’ପରେ ତାଙ୍କରି କାମର ଫଳାଫଳ ହିଁ କହିଦେବ ସେ କଣ ?

 

ବୁଢ଼ା ଭୋଟ ଦେଇ ସାରିବା ପରେ ଆନନ୍ଦ ପ୍ରକାଶ କଲେ । ତାଙ୍କର ଦାୟିତ୍ୱ ତୁଲାଇ ପାରିଥିବାରୁ ସେ ସୁଖୀ ଥିଲେ ।

 

ଏ ବୟସରେ ରାଜନୀତି ଶୋଭା ପାଏନାଁ । ମୁଣ୍ଡର ବାଳ ପାଚି ଝୋଟ ହେଲାଣି । ବୟସ ମୁଣ୍ଡ ଉପରର ଚନ୍ଦ୍ରକୁ ଅନାଇଛି । ସେ ମୁଣ୍ଡ ତଳକୁ ଖସିଲେ ରାତି ପାହିଲା । ଗୋଟିଏ ରାତି ଶେଷ ହୋଇ ନୂତନ ଦିନଟିଏ ପହୁଞ୍ଚଲା । କିଏ ଜାଣେ ସେ ସେହି ନୂତନ ଦିବସକୁ ଉପଭୋଗ କରିବାକୁ ବଞ୍ଚୁଛନ୍ତି କି ନାହିଁ । କିନ୍ତୁ ଏଯେ ରାଜନୀତି ନୁହେଁ । ଜୀବନର କର୍ତ୍ତବ୍ୟ ଭିତରୁ ଇଏ ଏକ ଗରୀୟାନ କର୍ତ୍ତବ୍ୟ । ପ୍ରତ୍ୟେକ ଦେଶପ୍ରେମୀ ଏ କର୍ତ୍ତବ୍ୟର ବିନିଯୋଗ କରିବେ । ବୟସ ଚାଲି ଯାଇଛି ବୋଲି ଭୋଟ ଦିନରେ ଘରେ ଶୋଇବା ଅନ୍ୟାୟ ହେବ । ସେ ଏକ ଅକ୍ଷମଣୀୟ ଅନ୍ୟାୟ-। ନିଜର ଯଦିଓ ଭବିଷ୍ୟତ ଉପରେ ଭରସା ନାହିଁ, ପରିବାରର ଅନ୍ୟାନ୍ୟ ଅପ୍ରାପ୍ତ ବୟସ୍କ ପିଲାମାନେ ତ ଅଛନ୍ତି । ଅକର୍ମଶୀଳାଟିଏ ନିୟାମକ ହେଲେ ତା’ର କୁପରିଣାମ କଣ ଏହି ପିଲାମାନଙ୍କ ଉପରେ ପଡ଼ିବ ନାହିଁ ?

 

ବୁଢ଼ାଙ୍କ ପ୍ରତି ଭୋଟ ଦାୟିତ୍ୱରେ ଥିବା ସମସ୍ତ ସହକର୍ମୀଙ୍କର ଭକ୍ତି ଉଦ୍ରେକ ହେଲା । ଅଶୋକ ପାତ୍ର ନମସ୍କାର ଜଣାଇ ନିଜ ଆସନକୁ ଫେରି ଆସିଲେ ।

 

ସେ ଫେରି ଯିବା ପରେ ବନଲତା ଦାସ ଚିହ୍ନାଇଦେଲେ ସେ ମୋର ପିଉସା । ଅବିକା ଆମ ପରିବାରର ତତ୍ତ୍ୱବଧାନ କରନ୍ତି ।

 

ଆପଣଙ୍କର ପିଉସା ! ମହାପାତ୍ର ବାବୁ ବିସ୍ମୟ ପ୍ରକାଶ କଲେ ।

 

କେଡ଼େ ସୁନ୍ଦର ମଣିଷଟିଏ । ମିଶ୍ରବାବୁଙ୍କର ଅର୍ଥପୂର୍ଣ୍ଣ ମନ୍ତବ୍ୟ ।

 

ଅଶୋକ ପାତ୍ର ବନଲତା ଦାସଙ୍କୁ ଆଉ ଥରେ ଦେଖି ନେଲେ । ତାଙ୍କ ଆଖିରେ କୁଢ଼ କୁଢ଼ ପ୍ରଶଂସା । ସେମିତି ଲୋକ ହୋଇ ନ ଥିଲେ ବନଲତାକୁ ଏ ପାରିକୁଦ ଦ୍ୱୀପରେ କଣ ଏତିକି ଶିକ୍ଷିତା ଓ ମାର୍ଜିତା କରି ପାରିଥାଆନ୍ତେ ? ଏପରିବାର ଆଧୁନିକ ସଭ୍ୟତାର ଆଲୋକ ଦେଖିଛି । ତତ୍ତ୍ୱାବଧାରକ ହିସାବରେ ବୃଦ୍ଧ ଜଣକ ନିଜର ଦାୟିତ୍ୱକୁ ଅତି ସୁନ୍ଦର ଭାବରେ ତୁଲାଇ ନେଇଛନ୍ତି ।

 

ଯଦି ସବୁ ପରିବାରର ଗୃହସ୍ଥ ପରିବର୍ତ୍ତିତ ଯୁଗ ପ୍ରତି ସଚେଷ୍ଟ ହୋଇ ଉଠନ୍ତେ, ତେବେ ଏ ଦେଶରେ କଦାପି ଅଭାବ, ଅନାଟନ ରହନ୍ତା ନାହିଁ । ଦେଶରେ ଜଣେ ହେଲେ ଭିକାରୀ ନ ଥାନ୍ତେ । ଦେଶ ଆମେରିକା ବା ରୁଷ ପରି ସମୃଦ୍ଧିଶାଳୀ ହୋଇ ଉଠନ୍ତା ।

 

ସେ ସୁଦିନ କେବେ ଫେରିବ ?

 

ଭୋଟ ସମୟ ଶେଷ ହୋଇ ଆସୁଛି.... ।

 

କିନ୍ତୁ ଶେଷ ସମୟର ଅବ୍ୟବହିତ ପୂର୍ବରୁ ଯେଉଁ ବୃଦ୍ଧା ଜଣକ ଆସି ଭୋଟ ଦେଇଗଲେ, ସେ ନିର୍ବାଚନ ଇତିହାସରେ ସମ୍ପୂର୍ଣ୍ଣ ନୂତନ ପରିଚ୍ଛଦଟିଏ ସୃଷ୍ଟି କଲେ । ସେହି ଉଲ୍ଲେଖ ଯୋଗ୍ୟ ଘଟଣାର ବିବରଣୀ ଉପସ୍ଥାପନ ନ କଲେ ବୋଧହୁଏ ଏ ନିର୍ବାଚନ ପ୍ରସଙ୍ଗ ଅସମ୍ପୂର୍ଣ୍ଣ ହେବ ।

 

ତାଙ୍କର କାନକୁ ଶୁଭିବା କମି ଯାଇଥିଲା । ଆଖିର ଦୃଷ୍ଟି ଶକ୍ତି ବି କ୍ଷୀଣ ହୋଇ ଆସୁଥିଲା । କେତେଜଣ ଉଦ୍ଧତ ପୁରୁଷ ସ୍ତ୍ରୀ ତାଙ୍କୁ ଦେଖି ଓଠ ଚିପି ଚିପି ହସୁଥିଲେ । ସେମାନଙ୍କ ହସ ବୋଧହୁଏ କାନକୁ ଶୁଭୁ ନ ଥିବାରୁ ସେ ପ୍ରତିବାଦ ସୁଦ୍ଧା କଲେନାହିଁ ।

 

ତମ ନାଁ ? ବନଲତା ଦାସ ପ୍ରଶ୍ନ କଲେ ।

 

ତୁ ବି ମୋ ନାଁ ପଚାରିଲୁ ଝିଅ ! ସେ ନାଆଁରୁ ତୋତେ କଣ ମିଳିବ ଯେ ? ବୁଝିଲୁ ଝିଅ, ମଣିଷକୁ ନାଁ ଦିଆଯାଏ । ଆକାଶର ବୁଲା ଚଡ଼େଇର କି ନାଁ ଥାଏ ? ଘର ନାହିଁ କି ଦ୍ୱାର ନାହିଁ । ଗତର ଖଟିଲେ ଖାଇଲୁଁ ନ ହେଲେ ଉପାସ ଶୋଇଲୁଁ । ଆମର ଗୋଟା ପୁଣି ନାଁ କଣ ? ଯାହା ବା ନାଁ ଥିଲା, ତାକୁ ଧରି କିଏ ଡାକୁଛି ? ଆମେ ମୁଲିଆ ଲୋକ ଝିଅ । ମୋ ନାଁ ସେଇଆ ।

 

ତଥାପି ବାପା ମା’ତ କିଛି ନାଁ ଦେଇଥିବେ ମାଉସୀ ?

 

ସେ ଅନେକ ଦିନର କଥା । ବାପ ମା’ ନାହାନ୍ତି କି ସେଦିନ ଆଉ ନାହିଁ । ବାଛି ବାଛି ନାଁ ଦେଇଥିଲେ ‘ରାଜକୁମାରୀ’ । କେଡ଼େ ସୁନ୍ଦର ନାଁ ଟିଏ ଦେଖିଲୁ ! ସେମାନେ ଏଇନେ ବଞ୍ଚିଥିଲେ ଭାବନ୍ତେ, ନାଁ ଦେଲାବେଳେ କେଡ଼େ ବଡ଼ଭୁଲ କାମଟିଏ ନ କଲେ ? କାହିଁ ରାଜକୁମାରୀ ଆଉ କାହିଁ ମୂଲିଆଣୀ ! ବୁଝିଲୁ ଝିଅ, ରାଜକୁମାରୀ ମୂଲିଆଣୀ ହୋଇଛି । ଏଇ ହାତ ଗୋଡ଼ ଚାରିଟା ତାର ଧନ, ସମ୍ପତ୍ତି । ଯେଉଁଦିନ ହାତ ଗୋଡ଼ ପଡ଼ିଯିବ, ସେଦିନ ଦୁନିଆ ସଇଲା । ମୋ ଦିନରେ କେତେ କାମ କରୁଥିଲ ଝିଅ, କିନ୍ତୁ ଏଇନେ କିଛି ପାରୁନାହିଁ । ଖାଲିରେ ପବନ ଟେକୁଛି ।

 

ରାଜକୁମାରୀ ନାଁ ଟିକୁ ଲିଷ୍ଟରେ ମିଳାଇ ନେଇ ବନଲତା ଦାସ ପଚାରିଲେ, ତୁମର ସ୍ୱାମୀଙ୍କ ନାଁ କଣ ସୁନ୍ଦରମଣି ?

 

ଏଇ ନାଁ ଶୁଣି ବୃଦ୍ଧା ରାଜକୁମାରୀ ଆଖିରୁ ଧାର ଧାର ହୋଇ ଲୁହ ବୋହିଲା । ସତେ କି ଶ୍ରାବଣୀ ମେଘରୁ ଧାରା ବହୁଛି । ଘଡ଼ିକେ ବନ୍ୟା ହେବ !

 

କଣ ହେଲା ମାଉସୀ ?

 

ବୃଦ୍ଧା ରାଜକୁମାରୀ ସେ କଥାର ଉତ୍ତର ଦେଇ ପାରିଲା ନାହିଁ । ତା’ ମନ ଭିତରେ ଅତୀତ ଆସି ବସିଥାଏ । ଅତୀତର ସବୁ ଘଟଣା ଆଖି ଆଗରେ ଝଲସି ଉଠୁଥାଏ । ଗିରସ୍ତ ସୁନ୍ଦରମଣି ତ ଖାଲି ମଣିଷଟିଏ ନ ଥିଲା, ଥିଲା, ପାଞ୍ଚହାତିଆ ବାଘଟିଏ । ତା ମୁହଁକୁ ଦେଖିଲେ ଭୟ ଲାଗୁଥିଲା । କିନ୍ତୁ ସେ ଭୟଙ୍କର ମୁହଁରେ ତା’ ପାଇଁ କେତେ ହସ, କେତେ ଜୀବନ ! ଛାତିରେ ଶତ ସିଂହର ବଳ । ତାକୁ ଦେଖିଲେ ସୋହାଗରେ ଫାଟି ପଡ଼େ । ସୁବିଧା ଦେଖି ଛାତି ପାଖକୁ ଭିଡ଼ି ନେଇ ମିଠା ମିଠା କଥା କହେ, ସୁଆଦିଆ ବୋକ ଦିଏ । ନାକ ପୁଡ଼ା ଦି’ଟା ଠିଆ, ଠିଆ ହୋଇଯାଏ । ଜଣାପଡ଼େ ନାକରୁ ନିଆଁ ପବନ ବହାରୁଛି । ଝଡ଼ କି ବରଷା ରାତିର ଭୟ ମୋଟେ ଜଣା ପଡ଼ୁ ନ ଥାଏ । ତା’ ଛାତି ତଳଟା ପ୍ରଶସ୍ତ କି ନା ! ବେଳେ ବେଳେ ସପନ ଦେଖି ଚମକି ପଡ଼ିଲେ ଚିବୁକ ଧରି ପଚାରେ, ମୁଁ ପାଖରେ ଥାଉ ଥାଉ କାହାକୁ ଭୟ କରୁଛୁ ? ଯାହା କହିବୁ କରିବି, ଯାହା ମାଗିଲେ ଦେବି । ସମସ୍ତେ କହିଲେ ତା’ଠୁ ବଳି ଭାଗ୍ୟବତୀ ଆଉ କେହି ନାହିଁ । ତପସ୍ୟା କରି ସୁନ୍ଦରମଣିକୁ ପାଇଛି । ସେ କଥା ବି ସତ । ବାହା ହେବାର ଅନେକ ବର୍ଷ ଯାଏ ଅଭାବ, ଅସୁବିଧା ଜଣା ପଡ଼ି ନ ଥିଲା । ଏକର, ଏକର ଜମି । ଜମି ଉପରେ ଭଳି ଭଳିକା ଗଛ । ଗଡ଼ିଆର ମାଛଗୁଡ଼ାକ ମଧୁରିଆ ବୋଲି ବାହାର ଲୋକେ ଅଧିକ ଦାମ୍‌ରେ କିଣି ନେଉଥିଲେ । ମାଛମରା ଟଙ୍କାଟା କସ୍ତା ଶାଢ଼ିରେ ଖର୍ଚ୍ଚ ହେଉଥିଲା । ଆପତ୍ତି କଲେ ଉତ୍ତର ମିଳେ, ତୋ’ ପାଇଁ ମୋର ସବୁଲୋ କୁମାରୀ ! ଦୁନିଆରେ ତୁ ମୋ ଆଖିରେ କେତେ ସୁନ୍ଦର ଦିଶୁ ଜାଣିଲେ ଏମିତି କଥା କହନ୍ତୁ ନାହିଁ । ଏତେ ଆନନ୍ଦ, ଏତେ ଖୁସି ଅଦେଖା ଦିଅଁ ସହି ପାରିଲା ନାହିଁ । ଚିଲିକାରେ ଅଚାନକ ଝଡ଼ ହେଲା । ସମୁଦ୍ରପାଣି ଚିଲିକା ଭିତରେ ପଶି ଏଡ଼େ ସୁନ୍ଦର ଗାଁ’ଟାକୁ ଛାରଖାର କରିଦେଲା । କିନ୍ତୁ ସେ ଝଡ଼ ସୁନ୍ଦରମଣିର କିଛି ହେଲେ କ୍ଷତି କରି ପାରି ନ ଥାନ୍ତା । ପାଣିରେ ପହଁରି ପହଁରି ଅନ୍ୟମାନଙ୍କ ପରି କୂଳରେ ଲାଗି ଯାଇଥାନ୍ତା । ଶେଷକୁ ସେ ଓ ତାର ରୂପ କାଳ ହୋଇ ସୁନ୍ଦରମଣିକୁ ଗ୍ରାସକଲା । ତାକୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ମରିଗଲା । ବୋଧହୁଏ ପାରିକୁଦର ସାଆନ୍ତମାନଙ୍କ ପାଇଁ ସେ ଜୀଇଁଛି । ନ ହେଲେ ଏ ଆଲୋଡ଼ା ଦେହଟା କି ଦରକାର ଥିଲା ?

 

ରାଜକୁମାରୀ କାନ୍ଦ ଦେଖି ଉପସ୍ଥିତି ସ୍ତ୍ରୀ ପୁରୁଷ କେଇଜଣ ହସିଲେ । ଭାବିଲେ ଭୋଟକେନ୍ଦ୍ରରେ ପହୁଞ୍ଚି ଭୋଟ ଦେଇ ଶିଖି ନାହିଁ ବୋଲି କାନ୍ଦୁଛି । ସେ କଥା କହିଦେଲେ କଣ ସରକାରୀ ଲୋକେ ଶିଖାଇ ଦିଅନ୍ତେ ନାହିଁ ?

 

ବନଲତା ଦାସଙ୍କ ପରେ ମିଶ୍ରବାବୁ ଆନୁସଙ୍ଗିକ ବିଷୟତକ ବାରମ୍ୱାର ବୁଝାଇ, ବୁଝାଇ ବ୍ୟସ୍ତ ହେଲେ । ତା’ପରେ ଭୋଟ କାଗଜଟିଏ ବଢ଼ାଇ ଦେଇ ମହାପାତ୍ରଙ୍କ ନିକଟକୁ ପଠାଇଲେ ।

 

ଆଖିକୁ ଭଲରୂପେ ଦିଶୁ ନ ଥିବାର ଜାଣିପାରି ଦାୟିତ୍ୱ ସମ୍ପନ୍ନ ଅଫିସର ଅଶୋକ ପାତ୍ର ବୃଦ୍ଧାଙ୍କର ଅନୁଗମନ କଲେ ।

 

କାହାକୁ ଭୋଟ ଦେବ ମାଉସୀ ?

 

ଭୋଟ ଦେଲେ କଣ ହୁଏ ବାବୁ ?

 

ଭୋଟ ପାଇଲା ଲୋକ ଆମ ବ୍ୟବସ୍ଥା ସଭାକୁ ଯାଆନ୍ତି । ଦେଶର ଭଲମନ୍ଦ କଥା ବୁଝନ୍ତି । ଅଭାବ ଅସୁବିଧାପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତା’ର ପ୍ରତିକାର ବ୍ୟବସ୍ଥା କରନ୍ତି । କାହାକୁ ଭୋଟ ଦେବ କୁହ ?

 

ତମେ ଭଲ ଲୋକଟିଏ ପରି ଜଣାଯାଉଛ ବାବୁ । କାହାକୁ ଭୋଟ ଦେବି କହିଲ ?

 

ମୁଁ କେମିତି କହିବି ମାଉସୀ ? ଯିଏ ଭଲଲୋକ ବୋଲି ଜାଣିଛ କି ଚିହ୍ନିଛ ତାକୁ ଦେଉନାଁ ?

 

ମୁଁ କାହାକୁ ହେଲେ ଜାଣେ ନାହିଁ କି ଚିହ୍ନେ ନାହିଁ । ଖାଲି ଆମ ସାଆନ୍ତଙ୍କ ଦାଉରେ ପଡ଼ି ଉଠି ଏଇଠିକି ଆସିଛି । ନ ଆସିଥିଲେ ସେ କଣ ମୋର ଜୀବନ ରଖିଥାଆନ୍ତେ ବାବୁ । ସକାଳ ପାହିଲେ ମୂଲ ଦିଅନ୍ତେ ନାହିଁ । ଘରୁ ତଡ଼ି ଦିଅନ୍ତେ । ଏମିତି କିଏ ଲୋକ ଅଛି କହିଲ ବାବୁ, ଯିଏ ଆମର ଦୁଃଖ ବୁଝି ସୁଧାରି ଦେବ ?

 

ବୁଝିଲ ମାଉସୀ, ମୁଁ ବିଦେଶୀ । ତମ ଗାଁର ଖବର କିଛି ଜାଣି ନାହିଁ । ମୁଁ କହିପାରିବି ନାହିଁ ।

 

ତମେ କଣ ବାବୁ କେହି କହିପାରିବ ନାହିଁ ! ଦେବ ମାୟା ଯେମିତି ମଣିଷକୁ ଅଗୋଚର, ମଣିଷ ମାୟା ସେମିତି ଦେବତାକୁ ଅଗୋଚର । ଏଇ ଭୋଅଟବେଳେ ସଭିଏଁ ଦୁଆରକୁ ଆସି କହୁଛନ୍ତି, ଭୋଟ ଦିଅ, ତୁମର ଭଲ କରିବୁ । ଭୋଟ ପାଇଲା ପରେ କଣ କଣ ଭଲ କଲେ ତା’ର ହିସାବ ଦେବା ତ ଦୂରର କଥା, ଗାଁ ମାଟି ସୁଦ୍ଧା ମାଡ଼ୁ ନାହାନ୍ତି । ଏମିତି ଲୋକ, ଏମିତି ଭୋଟରେ ଭୋକ, ଦୁଃଖ ଯିବ ନାହିଁ ବାବୁ । ମୁଁ ଭୋଟ ଦେବି ନାହିଁ । କାହାକୁ ହେଲେ ଦେବି ନାହିଁ ।

 

ଭୋଟ ନ ଦେବାଟା କିନ୍ତୁ ଅନୁଚିତ ହେବ ।

 

ବୁଢ଼ୀ ଲେଉଟି ଆସୁଥିଲା । ପୁଣି ଥରେ ପରଦା ପାଖକୁ ଫେରି ଯାଇ କହିଲା, ତମେ ଅଛଟି ବାବୁ ? ମୁଁ ଭୋଟ ଦେବି ।

 

ହଁ, ଅଶୋକ ପାତ୍ର ଉତ୍ତର ଦେଲେ ।

 

ତମେ ଏଇନେ କଣ ଉଚିତ, ଅନୁଚିତ କଥା କହୁ ନ ଥିଲ, ତା’ ମୋ ମନକୁ ପାଇଲା । ଉଚିତ କଣ, ଅନୁଚିତ କଣ ଜାଣେ ନାହିଁ । ଏତିକି ବୁଝିଲି ଭୋଟ ନ ଦେଇ ଫେରିଗଲେ କାଲିକି ମୋତେ ବାସ ମିଳିବ ନାହିଁ । ତା’ପରେ ସେ ଭୋଟ ଦେଇ ଚାଲିଗଲା ।

 

ସମୟ ଆଖର ହୋଇ ଆସୁଥିଲା । ପୋଲିସ ଅଫିସର କିଏ ଜଣେ ଅନୁମତି ମାଗି ଭୋଟକେନ୍ଦ୍ରକୁ ଆସି ପଚାରିଲେ, କିଛି ଅସୁବିଧା ହେଉ ନାହିଁ ତ ? ଅସୁବିଧା ହେଲେ ଆମକୁ ଖବର ଦେବେ ।

 

ଅଶୋକ ପାତ୍ର ଧନ୍ୟବାଦ ଜ୍ଞାପନ କରି ପୋଲିସ ଅଫିସରଙ୍କ ଫେରା ବାଟକୁ ଚାହିଁଥିଲେ । କେତେ ବିନୟ କେତେ ନମ୍ର ! ଅଥଚ ସୁଯୋଗ ଦେଖି ଅଶିକ୍ଷିତ, ନିରୀହ ଲୋକଙ୍କ ଉପରେ ସେକି ଅକଥନୀୟ ଅତ୍ୟାଚାର ନ କରନ୍ତି । ଉପରକୁ ମଣିଷର ଛାଞ୍ଚଟିଏ ଥିଲେ ବି ହୃଦୟଟା ପଥର ପରି ଟାଣ ହୋଇଯାଏ । ଆଖିରେ ହିଂସ୍ରୁକ ବାଘର ଚାହାଣୀ !

 

ପୋଲିସ ଅଫିସର ଚଲାବାଟରୁ ଫେରି ଆସି ଚୁପ୍‌ ଚୁପ୍‌ ପଚାରିଲେ, କିଏସେ ଭୋଟ ପାଇବ ଆଜ୍ଞା ?

 

କେମିତି କହିବି ?

 

ତଥାପି, ଅନୁମାନରେ.....

 

ତା’ ବି ଜାଣେ ନା ।

 

ପୋଲିସ ଅଫିସରଙ୍କ ମୁହଁ ଲାଲ ହୋଇଗଲା । କି ଅବାଧ୍ୟ ଏ ଅଶୋକ ପାତ୍ରଟା ! ଦି’ଦିନପାଇଁ କ୍ଷମତା ପାଇଛି ବୋଲି ପୋଲିସ ପୋଷାକକୁ ବି ଚିହ୍ନି ପାରୁ ନାହିଁ । ଏଇ ପୋଷାକକୁ ଦେଖିଲେ ପାରିକୁଦରେ ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ ।

 

ଅଶୋକ ପାତ୍ର ଭାବୁଥିଲେ, କି ସାଂଘାତିକ ଉତ୍ତରଟି ସେ ଦାବୀ କରୁ ନାହାନ୍ତି । ନିର୍ବାଚନ ପରି ଦାୟିତ୍ୱପୂର୍ଣ୍ଣ ଓ ଗୋପନୀୟ ସମ୍ୱାଦକୁ ପୋଷାକ ଦେଖାଇ ହାସଲ କରିଦେବାକୁ ଚାହୁଛନ୍ତି । କିନ୍ତୁ ପରିଣାମ ପ୍ରତି ଖାତିର ନାହିଁ ।

 

ବନଲତା ଦାସ ଅଳସର ହାଇ ମାରିଲେଣି ।

 

ମିଶ୍ର ଓ ମହାପାତ୍ରବାବୁ ସଡ଼କକୁ ଚାହିଁଛନ୍ତି । କାହାକୁ ଅପେକ୍ଷା କଲାପରି ଦୃଷ୍ଟି ।

 

ଆଃ, ଚପଳାଟା ଆସିଲା ନାହିଁ । ଏତେ ଅପେକ୍ଷା ସତ୍ୱେ ବି ଆସିଲା ନାହିଁ । ଆସିଥିଲେ ପରିବେଶଟା କି ରୋମାଞ୍ଚକାର ହୋଇ ନ ଥାନ୍ତା ! ମିନିଟିକପାଇଁ ଅନ୍ତତଃ ଆଖିରେ, ଆଖିରେ କଥାଭାଷା କରିବାର ସୁଯୋଗ ମିଳିଥାନ୍ତା । ପୁଣି ଅତି ନିକଟରୁ ତା କଥାଭାଷାକୁ ଉପଭୋଗ କରାଯାଇ ପାରିଥାନ୍ତା ।

 

ବନଲତା ଦାସଟା କିଛି ନୁହେଁ । ସେ ପଥରପରି ମୌନ, ରାସ୍ତାପରି ସ୍ଥବିର, ନାଁକୁ ଖାଲି ନାରୀଟିଏ, କିନ୍ତୁ ତା’ ଭିତରେ ନାରୀତ୍ୱର ପ୍ରଗଳ୍‌ଭତା କାହିଁ ? ମନକିଣା ହସ କାହିଁ ? ସତେ ଅବା ପଲାଶ ପୁଷ୍ପଟିଏ । ଆଖିକୁ ରକ୍ତଲାଲ ଦେଖାଗଲେ ମଧ୍ୟ ପୁଷ୍ପର ସେ ମହୁଆ ଗନ୍ଧ କାହିଁ ? ମନ ମତାଣିଆ ବିକାଶ କାହିଁ ?

 

କେତେ ପୁରୁଷ ସ୍ତ୍ରୀ–ଭୋଟ ଦେବାକୁ ଆସିଲେ । କେତେ ନୂଆ ମୁହଁର ଦର୍ଶନ ମିଲିଲା-। କିନ୍ତୁ ଚପଳାର ଅନୁପସ୍ଥିତିରେ ମିଶ୍ର ଓ ମହାପାତ୍ର ବାବୁଙ୍କୁ ଲାଗିଲା, ସତେ ଯେମିତି ଏ ନିର୍ବାଚନର ଅନୁଭୂତି ବ୍ୟର୍ଥ ହୋଇଛି ।

 

ନିର୍ବାଚନ ଦାୟିତ୍ୱ ଶେଷ ହେଲା ।

 

କାଳିଜାଈଙ୍କ କୃପାରୁ ଏତେ ବଡ଼ ଦାୟିତ୍ୱଟା ନିର୍ବିଘ୍ନରେ କଟିଗଲା । ମନ ଭିତରଟା ହାଲୁକା ମନେ ହେଉଛି । ସତେ ଯେମିତି ମୁଣ୍ଡର ଓଜନିଆ ବୋଝଟା ଓହ୍ଲାଇଗଲା । ବିନା କାରଣରେ ବି ଅଶୋକ ପାତ୍ରର ହସିବାକୁ ଇଚ୍ଛା ହେଉଥିଲା ।

 

ଜୀବନର ଅନ୍ୟ ନାମ ଦାୟିତ୍ୱ-ବହନ । ଦାୟିତ୍ୱ ଥିଲେ ସମସ୍ୟା ଅଛି । ସମସ୍ୟା ସମାଧାନ ପଥରେ ଅନେକ ପରୀକ୍ଷା । ତାକୁ ନିର୍ବିବାଦର ଶେଷ କରି ପାରିଲେ ଆନନ୍ଦ ଲାଗେ । ଦାୟିତ୍ୱଟା ପୁଣି ଶେଷରେ ଆନନ୍ଦ ଦିଏ । ଦାୟିତ୍ୱ-ଶୂନ୍ୟ-ଜୀବନ ଜୀବନ ନୁହେଁ, ଆଳସ୍ୟର ମୂର୍ତ୍ତିମନ୍ତ ପରିପ୍ରକାଶ । ଆଉ ଏ ନିରାନନ୍ଦ ଆଳସ୍ୟକୁ ହିଁ ତ ଜଡ଼ ଶୀତଳ ମୃତ୍ୟୁ ସଙ୍ଗେ ତୁଳନା କରାଯାଇଥାଏ ।

 

ଅଶୋକ ନ୍ୟସ୍ତ ଦାୟିତ୍ୱକୁ ବିଭିନ୍ନ ପରୀକ୍ଷା ମଧ୍ୟରେ ଗତିକରି ସୁସମ୍ପନ୍ନ କରି ପାରିଛି । ନିର୍ବାଚନ କଥା ମନେ ପଡ଼ିଲେ, ସେହି ସାନ ବଡ଼ ଦୁର୍ଘଟଣାଗୁଡ଼ିକ ମନେ ପଡ଼ିବ । ସେହି ଦୁର୍ଘଟଣାଗୁଡ଼ିକ ତା’ର ବ୍ୟକ୍ତିଗତ ଜୀବନ ଉପରେ ସାମୟିକ ପ୍ରଭାବ ପକାଇଥିଲା; ବ୍ୟକ୍ତିତ୍ୱକୁ କ୍ଷୁର୍ଣ୍ଣ କଲାପରି କେତୋଟି କ୍ଷୁଦ୍ର ଅଥଚ ସ୍ମୃତିବହୁଳ ଘଟଣା ।

 

ମଣିଷଟିଏ ସହଜରେ ଚିହ୍ନାପଡ଼େ ନାହିଁ । ଅତି ଛୋଟ ଛୋଟ କାର୍ଯ୍ୟ-କାରଣ ସଙ୍ଗେ ତା’ ଜୀବନର ପରିପ୍ରକାଶ ଅନ୍ତର୍ନିହିତ ଥାଏ । ଉପରକୁ ଭଦ୍ର ଓ ସଂଯମୀ ବୋଲି ଜଣାପଡ଼ିଲେ ବି ଘଟଣାବହୁଳ ପରିସ୍ଥିତିରେ ତା’ର ଅସଲ ରୂପ ଦେଖିହୁଏ । ନିର୍ବାଚନ ଦାୟିତ୍ୱରେ ଥିଲାବେଳେ କେତେ ଚିହ୍ନା, କେତେ ଅଚିହ୍ନା ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ପଡ଼ିଥିଲା । ଚିହ୍ନା ଲୋକେ ଦୂରେଇ ଗଲେ, ଆଉ ଅଚିହ୍ନା ଲୋକେ ପାଖେଇ ଆସିଲେ । ସେମାନଙ୍କ ସାନ୍ନିଧ୍ୟ ଲାଭକରି ନିର୍ବାଚନର କେତୋଟି ଯାନ୍ତ୍ରିକ ପରିବେଶ ସାର୍ଥକ ହେଲା । ସେ ବି ନିର୍ବାଚନର ଅନୁଭୂତିର କେତୋଟି ମୁଖ୍ୟ ଅଙ୍ଗ

 

କିନ୍ତୁ ପାରିକୁଦର ସଜୀବ ପ୍ରକୃତି ଭିତରେ ସେହି କଟୁ, ତିକ୍ତ, କଷାୟ ଅନୁଭୂତିତକ ମିଶିଗଲା । ମନ ସତେଜ ହୋଇଉଠିଲା । ଚିରବସନ୍ତର ଲୀଳାକ୍ଷେତ୍ର କୃଷ୍ଣପ୍ରସାଦ କେତୋଟି ବ୍ୟସ୍ତ ପ୍ରାଣରେ ଅମୃତର ସ୍ପର୍ଶ ଦେଲା ।

 

ଯେତକଯାକ ତିକ୍ତ ଅନୁଭୂତି ଆସିଛି ବିଦାୟଲଗ୍ନରେ ଭୁଲିଯିବା ଉଚିତ ହେବ । ତିକ୍ତ ଅଭିଜ୍ଞତାକୁ ଚିଲିକାର ନୀଳତରଙ୍ଗ ଭିତରେ ଭସାଇ ଦେବାକୁ । ସେ କଥା ଭାବି ଆଉ ଲାଭ ନାହିଁ । ମନେ ପକାଇ ଅଯଥା ଉତ୍କଣ୍ଠାକୁ ବଞ୍ଚାଇ ରଖିବାର କିଛି ମାନେ ହୁଏନାଁ । ଏ ଜୀବନ ବଞ୍ଚିବାପାଇଁ, ହସିବାପାଇଁ । ହସିଲେ ଆୟୁ ବଢ଼େ, ଦୁଃଖକଲେ କ୍ଷୟ ହୁଏ ।

 

ନିର୍ବାଚନ ପର ଦାୟିତ୍ୱକୁ ମିଶ୍ରବାବୁ ଆଡ଼େଇ ଦେଲେ । ଭୋଟ ଗ୍ରହଣବେଳେ ଯେଉଁ କେତେ ଘଣ୍ଟା ପାଖରେ ବସିଛନ୍ତି, ସେଇ ଯଥେଷ୍ଟ । ଦ୍ୱିତୀୟ ଦାୟିତ୍ୱପୂର୍ଣ୍ଣ ଅଫିସର ଭାବରେ ମନୋନୀତ ହୋଇ ଯାଇଥିଲେ ହେଁ ଅଶୋକ ପାତ୍ର ତାଙ୍କୁ କିଛି ପଚାରି ନାହାନ୍ତି । ଏହାଠୁ ବଳି ଦୁଃଖଦାୟକ ଘଟଣା ଆଉ କଣ ଥାଇପାରେ ? ତାଙ୍କର ବ୍ୟକ୍ତିତ୍ୱକୁ ଅସ୍ୱୀକାର କରାଗଲା । ତେଣୁ ନିର୍ବାଚନ ପର ଦାୟିତ୍ୱରେ ସହଯୋଗ କରି ଅଶୋକ ପାତ୍ରଙ୍କୁ ବ୍ୟକ୍ତିଗତ ଭାବରେ ଆପ୍ୟାୟିତ କରିବାକୁ ଚାହାନ୍ତି ନାହିଁ ।

 

ମହାପାତ୍ରବାବୁ ବି ଉଠିଯିବାକୁ ସ୍ଥିର କରିଥିଲେ । ସରକାର ତ ଆଉ ତାଙ୍କୁ ମିଶ୍ରବାବୁଙ୍କ ପଦବୀ ଦେଇ ନାହାନ୍ତି । ମିଛଟାରେ ସେ ବସିବେ କାହିଁକି ? ନିଜର ବ୍ୟକ୍ତିଗତ କାମଧାମ ତ ରହିଛି । ଯେତିକି ସମୟ ସହଯୋଗ କରାଗଲା ସେତିକି ନାହିଁ କାମ୍ୟ । କିନ୍ତୁ ଅଶୋକ ପାତ୍ରଙ୍କ କଥା ଭାଙ୍ଗି ହେଉ ନ ଥିବାରୁ ପାଖରେ ବସିଲେ ।

 

ବନଲତା ଦାସ ଉଠି ଯିବାକୁ ଛିଡ଼ାହେଲେ । ନୂଆପଡ଼ା ଅନେକ ଦୂର । କ୍ୱାଟରରେ ଏଇନେ ଲଣ୍ଠନ ଜଳା ହୋଇ ନ ଥିବ । ଖୋଲା ଝରକାରୁ ଚିଲିକା ପବନ ପାଗଳ ପରି ଛୁଟିଆସି ଘର ଭିତରଟାକୁ ଅସ୍ତବ୍ୟସ୍ତ କରି ଦେଉଥିବ । ରକ୍ଷାଅଛି, ପାରିକୁଦ ମାଟିରେ ଚୋର ନାହାନ୍ତି । ଘରଟାକୁ ଠିଆମେଲା କରି ଛାଡ଼ି ଦେଇଥିଲେ ବି ଲୋକେ ସହର ଜାଗାପରି ଦୁଆର ଡେଇଁବେ ନାହିଁ । ଭୋକ ଉପାସରେ ପଡ଼ି ଛଟପଟ ହେଉଥିବେ ପଛକେ ଚୋରି କରିବେ ନାହିଁ । ସେମାନେ ଗରୀବ, ନିଃସହାୟ ସତ କିନ୍ତୁ ଚୋର କି କପଟୀ ନୁହନ୍ତି, ଚିଲିକା ପରି ସରଳ ସେମାନଙ୍କ ହୃଦୟ, ଚିଲିକା-ପବନ ପରି ଅତି ଖୋଲା ସେମାନଙ୍କ ମନ ।

 

‘ନିର୍ବାଚନ କେନ୍ଦ୍ର ନୂଆପଡ଼ାରେ ହୋଇଥିଲେ ଭଲ ହୋଇଥାନ୍ତା’ ବନଲତା ଦାସ ମନ୍ତବ୍ୟ କଲେ ।

 

କାହିଁକି ? କୃଷ୍ଣପ୍ରସାଦଟା ତ ମନ୍ଦ ନୁହେଁ । ମହାପାତ୍ରବାବୁ କହିଲେ ।

 

‘‘ସେଇଠି ନିମନ୍ତ୍ରଣ କରିବାର ସୌଭାଗ୍ୟ ଲାଭ କରିଥାନ୍ତି । ଦି’ପଦ କଥାଭାଷା କରିବାର ସୁଯୋଗ ମିଳିଥାନ୍ତା ।’’

 

‘ଆମେ ବଡ଼ ହତଭାଗ୍ୟ ।’ ମିଶ୍ରବାବୁ ସହସା ପ୍ରବେଶ କରି କହିଲେ ।

 

‘ସେ ପୁଣି କେମିତିକା ?’ ବନଲତା ଦାସ ବିସ୍ମୟ ପ୍ରକାଶ କଲେ ।

 

‘ଆପଣଙ୍କ ସାନ୍ନିଧ୍ୟ ଓ କଥୋପକଥନରୁ ବଞ୍ଚିତ ହେଲୁଁ ।’ ମିଶ୍ରବାବୁଙ୍କର ସଂଳାପରେ ଶ୍ଳେଷ ଥିଲା ।

 

‘ସେ ମୋର ଦୁର୍ଭାଗ୍ୟ । ଆଉ କଥୋପକଥନ କଥା ଯାହା କହିଲେ, ସେ ବି କିଛି ନୁହେଁ-। କାରଣ ମୁଁ ଆପଣଙ୍କୁ କୌଣସି ଆନନ୍ଦ ଦାନ କରି ପାରି ନ ଥାନ୍ତି ।’

 

‘କାହିଁକି ? ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ତ’ ହସଖୁସିର ଖୋରାକ ଯୋଗାଇ ପାରିଥାନ୍ତା ! କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି—କେତେ ନୂଆ ସ୍ଥାନ ଦେଖିଛନ୍ତି । ତହିଁରେ କେତେ ପ୍ରାଣ, କେତେ ରୋମାଞ୍ଚ । ଆଉ ଆପଣ କହିଲେ ସେ କଥାରେ ଆମେ ଆନନ୍ଦ ପାଇ ପାରି ନ ଥାନ୍ତୁ ବୋଲି ?’ ମହାପାତ୍ରବାବୁ ଉତ୍ତର ଦେଲେ ।

 

‘‘ବିଶ୍ୱାସ କରନ୍ତୁ, ମୋର ବ୍ୟକ୍ତିଗତ ଜୀବନ ଦୁଃଖପୂର୍ଣ୍ଣ । ସେ ଆମ ପରିବାରର ଅଶ୍ରୁରେ ଲେଖା ହୋଇଛି । ଏଇ ଚାକିରି ଜୀବନକୁ ଆଦରି ନେଇ ଓ ତାରି ଭିତରେ ନିଜକୁ ନିମଗ୍ନ ରଖି ମୁଁ ସେହି ଦୁଃଖର ଇତିହାସକୁ ଭୁଲିଯାଏଁ । ଆପଣଙ୍କୁ ଶୁଣିଲେ ଖରାପ ଲାଗିବ । ସେ କଥା କହି ଆପଣଙ୍କ ଖୁସିବାସିଆ ମନଟାକୁ ଦୁଃଖ ଦେବାକୁ ଚାହୁଁ ନାହିଁ । ଅବଶ୍ୟ ଛାତି ତଳର ଦରଦକୁ ପ୍ରକାଶ କରିଦେଲେ ମୋ’ ଦୁଃଖର ପରିଣାମଟା ଲାଘବ ହୋଇଯାଇ ପାରେ । କିନ୍ତୁ ମୁଁ ସେତେଟା ସ୍ୱାର୍ଥପର ନୁହେ ।’’

 

ସମସ୍ତେ ବନଲତା ଦାସକୁ ଆଶ୍ଚର୍ଯ୍ୟ ଆଖିରେ ଅନାଇ ଥିଲେ । ଏଇ ବନଲତା ଦାସ, ଯାହାର ମୋହାଚ୍ଛନ୍ନ ଆଖିରେ ମଧୁବସନ୍ତର ପରିପ୍ରକାଶ, ଯାହାର ରକ୍ତ ଲୋହିତ ଓଷ୍ଠରେ ରଙ୍ଗୀନ ମଦର ବିଳାପ ମିଶିଛି, ତାର ଜୀବନ ଇତିହାସ ଏତେ ଦୁଃଖମୟ ହୋଇପାରେ ? ସେ ଦୁଃଖ କଣ ତାର ଭୟଭୀତ ହେଲାନାହିଁ ? ଗୋଟିଏ ରୂପସୀ ତରୁଣୀ ଜୀବନରେ ଯେ କିଛି ଦୁଃଖପୂର୍ଣ୍ଣ ସମସ୍ୟା ଥାଇପାରେ, ଏଇ ପ୍ରଥମ କରି ସେମାନେ ଶୁଣିଲେ । ତରୁଣୀର ରୂପ ଯୌବନ ତାହାହେଲେ ଦୁଃଖ–ରହିତ ନୁହେ ?

 

‘ଏ କଣ କହିଲେ ଆପଣ ? ଆମ୍ଭମାନଙ୍କ ଆଗରେ ଯଦି ଆପଣ ବ୍ୟକ୍ତିଗତ ଜୀବନର କେଇଟି ଅର୍ଥପୂର୍ଣ୍ଣ ପରିଚ୍ଛଦକୁ ବ୍ୟକ୍ତ କରି ଦୁଃଖର ପରିମାଣଟାକୁ ଲାଘବ କରିବାରେ ସମର୍ଥ ହୋଇ ପାରନ୍ତି, ତାହାହେଲେ ଆମେ ସେ ସବୁ ଶୁଣିବାକୁ ପ୍ରସ୍ତୁତ ଅଛୁଁ ।

 

‘ବହୁମୂଲ୍ୟ ସମୟ ନଷ୍ଟ ହେବ, ବରଂ ମୁଁ ଚାଲିଯାଇଛି ।’ ବନଲତା ଉତ୍ତର ଦେଲେ ।

 

‘ସମୟର କି ମୂଲ୍ୟ ଅଛି ଯେ ? ସେ ପ୍ରତିଟି ମୁହୂର୍ତ୍ତ ନଷ୍ଟ ହେଉଛି । ଆପଣ କହନ୍ତୁ ।’ ମିଶ୍ରବାବୁ ଜିଦ୍‌ ଧରିଲେ ।

 

‘ଶେଷରେ ଦୋଷ ଦେବେନାହିଁ କି ମୋ ସମସ୍ୟା ଉପରେ ଗୁରୁତ୍ୱ ଦେବେନାହିଁ । କାରଣ ମେ’ ଜାଣିବାରେ ପ୍ରତିଟି ଗ୍ରାମ ସେବିକାମାନଙ୍କର ଚାକିରି ମୂଳରେ କିଛିନାଁ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ରହିଛି । ହୁଏତ ସାମାନ୍ୟ କେତୋଟି ଝିଅ ସୌଖିନ ଭାବରେ ଏ ଜୀବନକୁ ସୌଖିନ–ଖିଆଲରେ ଗ୍ରହଣ କରିନାହିଁ । ମୋର ଦାୟିତ୍ୱ, ମୋର ସଂସାର ମୋତେ ଏହା କରିବାକୁ ବାଧ୍ୟ କଲା । ଏତେ ଝିଅ ପାଠ ପଢ଼ୁଛନ୍ତି । କିନ୍ତୁ ଚାକିରି ସେମାନଙ୍କର ଲକ୍ଷ ନୁହେଁ । ବିବାହିତା ଜୀବନରେ ସଂସାରକୁ ଶ୍ରୀଯୁକ୍ତ ଓ ଶାନ୍ତିମୟ କରିବାରେ ସେମାନେ ନିୟୋଜିତା । କେବଳ ଅବସ୍ଥାହିଁ ବୟସୀ ଝିଅକୁ ଚାକିରି ଭିତରକୁ ଠେଲିଦିଏ । ମୋ ବାପା ବଞ୍ଚିଥିଲାବେଳେ ମୁଁ ଏ ଚାକିରି ସ୍ୱପ୍ନ ଥରେ ହେଲେ ଦେଖି ନଥିଲି । କିନ୍ତୁ ସେ ବର୍ଷର ମହାନଦୀର ବନ୍ୟା ତାଣ୍ଡବ ଆମ ଗାଁଟାକୁ ଛାରଖାର କରିଦେଲା । ଏକର ଏକର, ଆବାଦୀ–ଜମି, ଅନାବାଦୀ ବାଲୁଚରରେ ପରିଣତ ହେଲା-। ଅସ୍ଥାବର ସଂପତ୍ତିର ଖବର ରଖୁଛି କିଏ ? ଗାଈ, ବଳଦ, ମଇଁଷି ପ୍ରଭୃତି ଗୃହପାଳିତ ପଶୁ ଆଖି ଆଗରେ ବନ୍ୟା ତରଙ୍ଗରେ ଭାସିଗଲେ । ମୋର ଗୋଟିଏ ଛୋଟ ଭଉଣୀ ସାଙ୍ଗରେ ଭାଇ ଦୁଇଟି ବି ସଲିଳ ସମାଧି ନେଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଉ ଯାଉ ବାପାଙ୍କର କାଳ ହେଲା-। ଏତେବଡ଼ ପୃଥିବୀରେ ଖାଲି ମାଆ ଓ ସାନଭଉଣୀଟିଏ ବ୍ୟତୀତ ଆଉ କେହି ରହିଲେ ନାହିଁ-। ଅଭାବ ଅନାଟନ ସମସ୍ତଙ୍କ ସଂସାରକୁ ଛାରଖାର କରି ଦେଉଛି । ଭୋକ ଦାଉରେ ମାଆ ପୁଅ ମୁହଁକୁ ସ୍ନେହୀ ଆଖିରେ ଅନାଇ ପାରୁ ନାହିଁ । ଏତିକିବେଳେ ଆମ ଅସହାୟ ଘରଟିକୁ ସମ୍ଭାଳିବ କିଏସେ ? ମୋର ପାଠପଢ଼ା ଆପଣା ଛାଏଁ ବନ୍ଦ ହେଲା । ମୁଁ ଏ ସଂସାରକୁ ବଞ୍ଚାଇବା ସକାଶେ ମାଷ୍ଟରାଣୀ ହେଲି । ମାଷ୍ଟର ଜୀବନରେ ଆଦାୟ ବା କେତେ ? ତିନୋଟି ପେଟ ଯେ କୌଣସି ପ୍ରକାରେ ଚଳିଗଲା ସିନା, ସ୍ୱାଭାବିକ ଅବସ୍ଥା ଫେରିଲା ନାହିଁ । ଭଉଣୀର ଶିକ୍ଷାଖର୍ଚ୍ଚ ବି ବଢ଼ିବାକୁ ଲାଗିଲା । ତା’ର କଲେଜ ଖର୍ଚ୍ଚ ଚଳାଇବାକୁ ଅପେକ୍ଷାକୃତ ସ୍ୱଚ୍ଛଳ ଚାକିରି ଏଇ ଗ୍ରାମସେବିକା ପଦକୁ ଆଦରି ନେଇଛି । ଘରେ ମୋର ମାଆବୁଢ଼ୀ । ଦେହରେ ବଳ ନାହିଁ କି ଅଣ୍ଟାରେ ଜୋର ନାହିଁ । କାନ୍ଦି, କାନ୍ଦି ଦୃଷ୍ଟିଶକ୍ତି କ୍ଷୀଣ ହୋଇଗଲାଣି । ସାନଝିଅର ଉନ୍ନତି ଦେଖିବାକୁ ଅନାଇ ବସଛି-। ମୋର ଅବସ୍ଥା ଦେଖି ବ୍ୟସ୍ତ ହେଉଛି । ଯେତେବେଳେ ଦୁଃଖ ଲାଗେ, ମାଆକୁ ନ ଦେଖାଇ ନିରୋଳା ଘରେ ପଶି ମନକୁ ମନ କାନ୍ଦେ । କାନ୍ଦିସାରିଲା ପରେ ଟିକିଏ ହାଲୁକା ଲାଗେ-। ପୁଣି ଅଫିସ କାମରେ ଲାଗିପଡ଼େ । ଅନ୍ଧାର ରାତିକୁ ଭୟ କରେ । ନିର୍ଜନତା ମୋତେ ଭଲଲାଗେ ନାହିଁ-। କାରଣ ଏକୁଟିଆ ରହିଲେ ମୋ ଜୀବନର ନିଃସହାୟ ଅବସ୍ଥା ମନେପଡ଼େ । ଦୁଃଖ ବଢ଼ିଯାଏ-। ପିଉସାଙ୍କର ଦମ୍ଭିଲା କଥା କେଇପଦ ଖାଲି ଆଲୁଅ ଦେଖାଏ ।

 

ଏହାହିଁ ମୋର ପରିଚୟ ! ଏ ଜୀବନରେ ଉଚ୍ଚାଭିଳାଷ କିଛି ନାହିଁ । ବଡ଼ ହେବାକୁ ବି ଚାହେଁ ନାହିଁ । ମୋର ସାନ ଭଉଣୀର ପ୍ରାପ୍ତ ହିଁ ମୋ ଜୀବନର ଏକମାତ୍ର ଆଶୀର୍ବାଦ । କିନ୍ତୁ ମୋର ଏ ସଂକ୍ଷିପ୍ତ କାହାଣୀ ଶୁଣି ଆପଣ ବ୍ୟସ୍ତ ହେବେ ନାହିଁ । ମନେରଖିଥିବେ । ବନଲତା ଦାସ ଉଠି ଛିଡ଼ା ହେଲେ । ସେ ପୁଣି ହସିବାକୁ ଲାଗିଲେ । ତାଙ୍କର କାହାଣୀ ଶୁଣିବାପରେ ହସଟା ତାଙ୍କର କେମିତି ଅସ୍ୱାଭାବିକ ଜଣାପଡ଼ୁଥିଲା । କେଶ ଓ କବରୀ ଭିତରେ ସେମିତି କିଛି ଚମତ୍କାରିତା ଥିଲାପରି ମନେହଲା ନାହିଁ । ବନଲତା ଦାସଙ୍କ ପ୍ରତି ଦୟା ହେଲା ।

 

ସବୁ ଗ୍ରାମସେବିକା ବନଲତା ଦାସ ନୁହନ୍ତି । ଘରେ କଳି କରି କେତେକ ଗ୍ରାମସେବିକା ହୁଅନ୍ତି । ସ୍ୱାମୀର ସ୍ୱଳ୍ପ ରୋଜଗାର ଭିତରେ ଅସନ୍ତୁଷ୍ଟା ହୋଇ, ଘରଛାଡ଼ି ଗ୍ରାମସେବିକା ତାଲିମ କେନ୍ଦ୍ରରେ ନାଁ ଲେଖନ୍ତି । ରୋଜଗାରିଆ ଝିଅ ନିଜକୁ ବଡ଼ ମଣିଷଟିଏ ବୋଲି କଳ୍ପନା କରେ । ସେ ତା’ର ଦାୟିତ୍ୱ କଥା ଭୁଲିଯାଇ ଦାୟିତ୍ୱହୀନ ଭାବରେ ଜୀବନଯାପନ କରେ । ଏମିତି ଜୀବନତ ପରିବାରର ଶୃଙ୍ଖଳିତ ନିୟମ ଭିତରେ ମିଳିବା କଷ୍ଟକର ! ସେ ସ୍ୱାଧୀନ ଜୀବନକୁ ଆଦରିନିଏ । ପୁରୁଷର ସାମନାସାମନି ହୋଇ ଋଣ ହୁଂକାର ଦିଏ । ପୁଣି କଳ୍ପିତା ପଦବୀ ହାସଲ ଆଶାରେ ଅତି ଅସହାୟ ଭାବରେ କର୍ତ୍ତୃପକ୍ଷଙ୍କ ପାଖରେ ସବୁକିଛି ସମର୍ପଣ କରିଦିଏ ।

 

ପୁରୁଷର ଦୁର୍ବଳତା କୌଣସି ନାରୀ ପାଖରେ ଅଜ୍ଞେୟ ନୁହେଁ । ସ୍ତ୍ରୀର ଉଛୁଳା ଯୌବନ, ହରିଦ୍ରାଭ ମାଂସପ୍ରତି ପୁରୁଷର ଅମାନିଆ ଆକର୍ଷଣ ରହିଛି । ତା’ଆଖି ଚାହାଣୀରେ ପୁରୁଷ ନିଜକୁ ତିଳ ତିଳ କରି କ୍ଷୟ କରିଦିଏ । ସ୍ତ୍ରୀ ତା’ର ଅଭିଳଷିତ ଲକ୍ଷ୍ୟ ଏଇ ସୁଯୋଗରେ ହାସଲ କରେ ।

 

ବନଲତା ଦାସ ରମଣୀ ନୁହେଁ । ତା’ରୂପରେ ଜ୍ୱଳନର ଭାଷା ନାହିଁ । ତା’ ଆଖିରେ ଅଗ୍ନିର ଆହ୍ୱାନ ନାହିଁ । ତାକୁ ମଧ୍ୟାହ୍ନର ଉତ୍ତପ୍ତ କିରଣ ପରିବର୍ତ୍ତେ ପ୍ରଭାତର କୋମଳ ରଶ୍ମୀ ସଙ୍ଗେ ତୁଳନା କରାଯାଇପାରେ । ନିଜ କର୍ତ୍ତବ୍ୟ ପରିସର ଭିତରେ ସେ ସାଧନାରତ ତପସ୍ୱିନୀ । ମୁହଁରେ ତା’ର ତ୍ୟାଗ ଓ ତପସ୍ୟାର ଭାଷା । ତା’ରୂପରେ ଅନଳର ଦୃପ୍ତ ପ୍ରକାଶ ପରିବର୍ତ୍ତେ ଆଲୋକର ସତ୍ୟତା ମିଶିଛି । ବନ-ଲତା ଦାସ ତରୁଣୀ ଜାତି ମଧ୍ୟରେ ଏକ ଉଲ୍ଲେଖ ଯୋଗ୍ୟ ବ୍ୟତିକ୍ରମ ।

 

ନିର୍ବାଚନ କାର୍ଯ୍ୟକ୍ରମ ପରେ ସେ ଅନୁମତି ମାଗି ଚାଲିଗଲା । ତତ୍‌ପୂର୍ବରୁ ସେ ଯେଉଁ ଆତ୍ମଲିପି ଶୁଣାଇଗଲା, ତାହା ସମବେତ ଶ୍ରୋତାଙ୍କ ଅନେକ ଦିନଯାଏ ମନେଥିବ ।

 

କୃଷ୍ଣପ୍ରସାଦର ସନ୍ଧ୍ୟାଟା ନିର୍ବାଚନ କାର୍ଯ୍ୟକ୍ରମକୁ ଅପେକ୍ଷା କରିଥିଲା ବୋଧହୁଏ । ସବୁ କାମ ଶେଷ କଲା ପରେ ହିଁ ସନ୍ଧ୍ୟା ହେଲା ।

 

କାଠଚମ୍ପା ଫୁଲର ଶ୍ୱେତ ପାଖୁଡ଼ାରେ ସନ୍ଧ୍ୟା ଓହ୍ଲାଇ ଆସୁଥିଲା । ଚିଲିକାର ସୁନୀଳ ତରଙ୍ଗରେ ସେ ଲହଡ଼ା ଭାଙ୍ଗୁଥିବ । ଏରାପକ୍ଷୀର ବିସ୍ତୃତ ପକ୍ଷତଳେ ହାଇମାରି ଲୁଚିଯାଉଥିବ । ଚିଲିକା କୂଳର ଦୀର୍ଘକାୟ ଅଜଗର ଜିଭ ଲମ୍ୱାଇ କହୁଥିବ, ‘ଆ ! ସାଥିହୋଇ ବୁଲିବା ! ନିର୍ଭୟ, ନିଃଶଙ୍କୋଚରେ ଅଧାଦିନ ବିତାଇ ଦେବା ।’

 

ଏ ସନ୍ଧ୍ୟାରେ ଯଦି ଅକସ୍ମାତ ବର୍ଷା ହୁଏ ? ଭାଲେରୀ, ସୁଲେରୀ ଦେହରୁ ଧାର ଛୁଟିବ ଚିଲିକା ଭିତରକୁ । ମାମୁଁ ଭଣଜା ଦେହ ଝାଡ଼ି ଚାରିଆଡ଼କୁ ଅନେଇବେ । ଚିଲିକାର ଘନନୀଳ ଶରୀର ସେ ବର୍ଷା ସ୍ପର୍ଶରେ ପୁଲକିତା ହୋଇ ଉଠିବ । ସିଇଁ, ସିଇଁ ହୋଇ ପବନ ବୋହିଲେ ସାର ପାରିକୁନ୍ଦ ବାସୀ ତଟସ୍ଥ ହୋଇ ଯିବେ । ପୁଣି ଥରେ ଝଡ଼ ଉଠି, ଆଉ ଗୋଟିଏ ଦି’ଟା ଦ୍ୱୀପ ମୂଳପୋଛ କରିଦେବ ନାହିଁତ ! ତୁମେ ହିଁ କାଳିଜାଈ ସାହା ହୁଅ ! ଏ ଅରକ୍ଷ ଅଧିବାସୀଙ୍କୁ ଆଶ୍ରୟ ଦିଅ !

କିନ୍ତୁ ମନୋରମ ସନ୍ଧ୍ୟାରେ ଝଡ଼ର ସୂଚନା ନାହିଁ । କେତକୀର ସୁବାସ ନେଇ ଚିଲିକାର ଦେହଉଲାସ ପବନଟା ଖିଲି ଖିଲି ହୋଇ ହସୁଛି । ସେ ଚିଲିକା ରୂପସୀର ହସର ପ୍ରତିଧ୍ୱନି । ଆହ୍ଲାଦ ଓ ଆମୋଦ ଦାୟକ ।

ମତ୍ସ୍ୟ ବିଭାଗର ଯନ୍ତ୍ରଲଗା ବୋଟ୍‌ଗୁଡ଼ିକ ତିତିପୋ ଓ ଗୋଲପୁର ଆଡ଼ୁ ବାଲୁଗାଁ ଆଡ଼କୁ ଫେରୁଥିବେ । ‘ଚାନ୍ଦିନୀ ପାଲ’ (ଡଙ୍ଗାର ନାଁ) ଯଦି ମଜଲିସ୍‌କାମୀ ଯାତ୍ରୀମାନଙ୍କୁ କାଳିଜାଈ ଧରି ଯାଇଥିବ, ସେ ମଧ୍ୟ ଆସନ୍ନ ସନ୍ଧ୍ୟାକୁ ଦେଖି ଫେରି ଆସିବାକୁ ତର ତର ହେବଣି । ଗୁରୁସ୍ୱାମୀ ଓ ଦାମୋଦର ବେହେରା ‘ଚାନ୍ଦନୀପାଲ’ ରେ ଆଗପଛ ହୋଇ ବସି ଉତ୍ସୁକ ଯାତ୍ରୀମାନଙ୍କୁ କହୁଥିବେ, ଏଇ ‘ଚଢ଼େଇ ହଗା’ ରହିଗଲା । ମାନସରୋବର ପଟୁ ପ୍ରକୃତି ବିଳାସୀ ପକ୍ଷୀମାନେ ଶୀତଦିନେ ଚିଲିକା ଆସିଲେ ଏଇଠି ଅଳ୍ପସମୟ ପାଇଁ ବିଶ୍ରାମ ନିଅନ୍ତି । ଚିଲିକାର ଶୈବାଳ-ଗର୍ଭକୁ ଦେଖି ଉପଦ୍ୱୀପ ଭ୍ରମରେ ସେମାନେ ଚଢ଼େଇ ହଗାରୁ ଉଡ଼ି ଆସିବାକୁ ଚାହିଁଲେ, ଜଳ–ହଂସୀ ସେମାନଙ୍କୁ ସତର୍କ କରିଦେଇ କହେଁ ‘କି ଓଲା ଜାତିଟା ! ଆଖି ଥାଉଁ, ଥାଉଁ ଅନ୍ଧ ହେଲ ! ଇଏ ଦ୍ୱୀପ ନୁହେ ଶୈବାଳ-ସ୍ତୁପ । ବୁଝି, ହୁସିଆର !’

ଦେଶୀ ଡଙ୍ଗାଗୁଡ଼ିକ ପାଲ ମେଲି ଭାସିଗଲା ବେଳେ ଏହି ସୁନେଲି ସନ୍ଧ୍ୟାରେ ମନେ ହେବ, ଚିଲିକା ଛାତିରେ ପ୍ରକାଣ୍ଡକାୟ ସ୍ତମ୍ଭଟିମାନ କିଏ ପୋତି ଦେଇଗଲା । ବାଲୁଗାଁରୁ କୃଷ୍ଣପ୍ରସାଦକୁ ଏଥର ସଡ଼କ ପଡ଼ିବ । ସୁଦୀର୍ଘ ତେରମାଇଲ ରାସ୍ତା ଉପରେ ମାଟି ପଡ଼ିବ । ତେଣିକି ଫେରି ବୋଟ୍‌କୁ ଅପେକ୍ଷା କରିବାକୁ ହେବନାହିଁ । ଛ’ଅଣା ପଇସା ବଞ୍ଚିଗଲା ।

 

ଅଶୋକ ପାତ୍ରର ଇଚ୍ଛା ହେଉଥିଲା, କୃଷ୍ଣପ୍ରସାଦରେ ଚିରଦିନ ପାଇଁ ରହି ଯାଆନ୍ତା । ବିଭିନ୍ନ ଋତୁ ସମ୍ଭାରକୁ ଏଇ ଦ୍ୱୀପ ଉପରୁ ଉପଭୋଗ କରନ୍ତା । ଚିଲିକା ଛାତିରେ କେଉଁ ଋତୁ କି ପ୍ରକାର ରୂପ କବିତା ଲେଖି ଶୁଣାଇ ଯାଏ, ତାକୁ ମନଦେଇ ଶୁଣନ୍ତା । କିନ୍ତୁ ସେ ସୁଯୋଗରେ ଇଚ୍ଛା କରିବା ତା’ ପକ୍ଷରେ ବିଡ଼ମ୍ବନା ମାତ୍ର । ସଂସାରର ଆହ୍ୱାନକୁ ଏଡ଼ାଇ ଦେବା ସହଜ କଥା ନୁହେଁ ।

 

ଆଃ, ସୌନ୍ଦର୍ଯ୍ୟପୁରୀ ପାରିକୁଦ ମାଟି ଛାଡ଼ିବାକୁ ହେବ । ଏହାର ସବୁ ଆକର୍ଷଣକୁ ଭୁଲିଯିବାକୁ ହେବ । ଅବସର ସମୟରେ ମନେ ପଡ଼ିବ ଚିଲିକା । ସେ ସବୁଦିନ ପାଇଁ ଗୋଟିଏ ସବୁଜ ସ୍ମୃତି ହୋଇ ରହିଯିବ !

 

ମିଶ୍ର ଓ ମହାପାତ୍ର ବାବୁ ପୁଣି ଥରେ ରୂପସୀ ‘ଚପଳା’ କଥା ହେଉଛନ୍ତି । ଏଇ ସନ୍ଧ୍ୟାଟା ବୋଧହୁଏ ଚପଳାର ସ୍ପର୍ଶ ପାଇ ଏତେ ରମଣୀୟ ହୋଇ ଉଠିଛି । ସାନ୍ଧ୍ୟ ପବନଟା ଚପଳାର ନିଃଶ୍ୱାସ ମାଖି ଏତେ ସୁଶୀତଳ ଲାଗୁଛି । ଏଇ କୃଷ୍ଣପ୍ରସାଦରେ ଚପଳା ଖାଲି ପାଦରେ ଚାଲେ । ତାର ଟିକି, ଟିକି ପାଦର ନରମ ଅଙ୍ଗୁଳିଗୁଡ଼ିକ ଚୂନା, ଚୂନା ବାଲିରେ ଦବି ଦବି ଯାଏ । କୃଷ୍ଣପ୍ରସାଦଟା କି ଚମତ୍କାର ଗାଁଟିଏ ନୁହେଁ !

 

ଚପଳା ହୁଏତ ଆଉ କିଛିଦିନ ପରେ ସେମାନଙ୍କ କଥା ଭୁଲିଯିବ ! ସତରେ ସେ କଣ ଏତେ ସୁନ୍ଦର ସ୍ମୃତିଟାକୁ ଭୁଲିଯାଇ ପାରିବ ? ଚପଳା ଯଦି ରାଜି ହୁଅନ୍ତା ତେବେ କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଛୋଟ କୁଟୀରଟିଏ ତୋଳି ଅବଶିଷ୍ଟ ଜୀବନକୁ ତାରି ସଙ୍ଗରେ କଟାଇ ଦେଇ ହୁଅନ୍ତା । ସହରର ରଙ୍ଗ, ସଭ୍ୟତାର ପ୍ରାଚୁର୍ଯ୍ୟ କି ଆଧୁନିକତାର ଅହମିକାକୁ ଏଡ଼େଇ ଦେଇ ଯୁଗ ପରେ ଯୁଗ ବିତାଇ ଦେଲେ ବି ଏଡ଼ିକି ଟିକିଏ କ୍ଳାନ୍ତି ଆସନ୍ତା ନାହିଁ । ଆଷାଢ଼ର ବର୍ଷଣ ମେଘ, ଶରତର ଚନ୍ଦ୍ର-ଚକିତା ରଜନୀ ଆହୁରି ମଧୁମୟ ହୋଇ ଉଠନ୍ତା ।

 

କଳ୍ପନାଟା ବାସ୍ତବତାଠାରୁ ଶତ ଗୁଣରେ ଲୋଭନୀୟ । ଜ୍ୟୋତ୍ସ୍ନାଭିଜା–ସଞ୍ଜରେ ଏହିଭଳି କଳ୍ପନା କରିବାକୁ କେତେ ଖୁସି ଲାଗେ ନାହିଁ ସତରେ !

 

କାଠଚମ୍ପା ଗଛର ଶାଖା ପ୍ରଶାଖାରେ କୁମାରୀ–ଫୁଲମାନେ ସଭା କରୁଛନ୍ତି । ଆକାଶର ଛୋଟ ଛୋଟ ଚନ୍ଦ୍ର, କୁମାରୀ ଫୁଲକୁ ଆଖିମିଟିକା ମାରୁଛନ୍ତି ।

 

ଅଶୋକ ପାତ୍ର କବାଟ ଫାଙ୍କରୁ ସାମନା ସଡ଼କକୁ ଚାହିଁଲା । ସଡ଼କ ଜନହୀନ, ନିର୍ଜନ ହୋଇଯାଇଛି । ପଟ୍ଟନାୟକବାବୁ କହୁଥିଲେ, ଏମିତି ନିର୍ଜନ, ନିଃଶବ୍ଦ ସଞ୍ଜରେ ନଅର ଭିତରୁ ଦେବୀ ବାହାରି ପାରିକୁଦ ପରିକ୍ରମା କରନ୍ତି । ନୂଆ ବୋହୂପରି ବେଶ । କସ୍ତାଶାଢ଼ିରେ ଦେହ ମୁହଁ ସବୁ ଘୋଡ଼ାଇ ହୋଇ ଯାଇଥାଏ । ବାଟ ଘାଟ ସବୁ ମହକି ଉଠେ । ସଭିଏଁ ଜାଣନ୍ତି, ପାରିକୁଦର ଆଉ ଭୟ ନାହିଁ ।

 

ସେହି ଦେବୀଙ୍କ ସଙ୍ଗେ ଯଦି ଏଇନେ ଦେଖା ହୁଅନ୍ତା ! ଅଶୋକ ପାତ୍ରର ଦେହ ଭିତରଟା ଉଲୁସେଇ ଉଠିଲା । ସେ ମନସ୍ଥ କଲା, ସବୁ ସାହସକୁ ଏକତ୍ରିତ କରି ସେ ଏକମୁହାଁ ହୋଇ ଦେବୀ ପାଖରେ ପହୁଞ୍ଚି ପଚାରନ୍ତା, ପାରିକୁଦ ମାଟିକୁ ହତଶ୍ରୀ କଲ କାହିଁକି ? ପାରିକୁଦ ଦ୍ୱୀପରେ ଜନ୍ମ ହେଲେ ବୋଲି ସେମାନଙ୍କର କଣ ହିସାବର କୌଣସି ଅଧିକାର ନାହିଁ ? ବାଲୁଗାଁରେ ଏତେ ପ୍ରାଚୁର୍ଯ୍ୟ, ଏତେ ସମ୍ପଦ, ଅଥଚ ଏଇଠି କିଛି ରହିଲା ନାହିଁ ? ଲୋକେ ସହଜ, ସରଳ ହୋଇ କଣ ଅନ୍ୟାୟ କଲେ । ତୁମ ବିଚାରର ମାନଦଣ୍ଡ କଣ ଏଇଆ ?’

 

ଆଲୁଅଟିଏ ଚାଲିଯାଇଛି । ଲଣ୍ଠନ ଦୀପ ଆଲୁଅ !

 

—ଅଶୋକ ପାତ୍ର ସେଇ ଆଲୁଅ ପ୍ରତି ସଜାଗ ହୋଇ ଉଠିଲେ ।

 

ସେ ଦୀପ ଅନ୍ଧାର କାଟି ଆସ୍ତେ ଆସ୍ତେ ପୋଖରୀ ଆଡ଼କୁ ମୁହାଁଇଛି । ଆଲୁଅର ପ୍ରତିଫଳନ ପଡ଼ିଛି କାହାର ନଳିଗୋଡ଼ ଉପରେ । ଚନ୍ଦ୍ରଟା ବାଦଲ ଭିତରୁ ବାହାରି ପଡ଼ିଲେ ସବୁ କଥା ସ୍ପଷ୍ଟ ହୋଇ ଉଠନ୍ତା । ଅନ୍ତତଃ ଆଲୁଅ ଧରିଥିବା ବ୍ୟକ୍ତି ଜଣକ ସ୍ତ୍ରୀ ନା ପୁରୁଷ ଚିହ୍ନାପଡ଼ନ୍ତା ।

 

ପାଦର ନୂପୁର ରିମିଝିମି ହୋଇ ବାଜୁଛି । ଚମକିଲାପରି ଚାଲିଲେ ମାଡ଼ି ଆସୁଥିବା ରାତିର ଇତଃସ୍ତତ ଭାବ ମିଶିଛି । ନଳିଗୋଡ଼ର ଗଢ଼ଣଟା ବାସ୍ତବିକ ଲୋଭନୀୟ । ପେଣ୍ଡାରେ ତା’ର କେତେ ମାଂସ ! ପୂରିଲା ପାଦରେ ନୂପୁର ଦୁଇଟି ଚାପି ହୋଇ ଯାଇଛି । ସୀମିତ ଆଲୁଅ ଭିତରେ ମାଂସର ହରିଦ୍ରାଭ ରଙ୍ଗ ଉକୁଟି ଉଠୁଛି ।

 

ଅଭିସାରିକାଟିଏ ନୁହେ ତ ଆଉ ? କାହାପାଇଁ ତା’ର ଏ ନିର୍ଜନ ଅଭିସାର ? କିଏ ସେ ସେହି ଅନଭିଜ୍ଞ ତରୁଣୀର ମୁହଁର ଲାଜ, ଛାତିର ଭୟକୁ ଦୂରେଇ ଦେଲା ? ଛାତି ନିଦକୁ କିଏ ସେ ତା’ ଆଖିରୁ ପୋଛି ଦେଇଛି ?

 

ଅଶୋକ ପାତ୍ରର ମନେ ହେଲା, ଚିଲିକାର ଖୋଲା ଛାତିରୁ ବୋହି ଆସୁଥିବା ପବନ ଧାରକ ଚପଳ ହୋଇ ଉଠିଛି । ତା’ର ଅସ୍ପଷ୍ଟ ପଦଚିହ୍ନରେ ଅଶ୍ଳିଳତା ଜମାଟ ବାନ୍ଧିଛି ଯେମିତି । ଅଦେଖା ଦେଶର ଅଚିହ୍ନାରୂପ କୁମାରୀର ଓଠର ହସକୁ ବୁଣି ଦେଇ ଦେଇକା ସେ ମାଡ଼ି ଯାଉଛି ଆଗକୁ, ଆଗକୁ । ଖୁବ୍‌ ଚପଳ ପବନ ! ବୋଧହୁଏ ଏହି ଅଭିସାରୀକା ପରି ଚପଳ !

 

ଚିଲିକା କୂଳର ଛୋଟ, ଛୋଟ ଢେଉଗୁଡ଼ିକ ହାମୁଡ଼ି, ହାମୁଡ଼ି ଆସି ବାଲି ଭିତରେ ଛପି ଯାଉଥିବ । ନାଉରୀଆର ନିଦ ଭାଙ୍ଗିଗଲେ ପାଲଟଣା ବୋଟ ଭିତରେ ଉଠିବସି ଉଦାସିଆ ଆକାଶ ଦେଖୁ, ଦେଖୁ ଗୀତ ଗାଉଥିବ ।

 

ସେଇ ତରୁଣୀଟି ବୋଧହୁଏ ଚପା, ଚପା, ନିଃଶ୍ୱାସ ଛାଡ଼ୁଛି । ତା’ ନିଃଶ୍ୱାସରେ କେତେ କ୍ଳାନ୍ତି, କେତେ ବେପଥୁ ।

 

ପାଖ ବରଗଛ ଡାଳରୁ ଅନାମିକା ପକ୍ଷୀର ନିଦ ଭାଙ୍ଗିଗଲା ।

 

ତା’ ଡେଣା ଶବ୍ଦରେ ଚମକି ଉଠି ତରୁଣୀଟି ଲଣ୍ଠନ ଆଲୁଅକୁ ଅଳ୍ପ ତେଜି ଦେଲା ।

 

ଆରେ ଏଯେ ସେହି ଚପଳା ! ଏତେ ରାତିରେ କାହାକୁ ଅପେକ୍ଷା କରି ବସିଛି ? ଏତେ ସରଳ ସୁନ୍ଦର ଝିଅ ପୁଣି ଏତେବଡ଼ ଦୁଃସାହସ କରିପାରିଲା ?

 

ଅଶୋକ ପାତ୍ର ମନେ ମନେ ଭାବୁଥିଲା, ଏ ସ୍ତ୍ରୀ ଜାତିର ପ୍ରକୃତିଟା ବଡ଼ ବିଚିତ୍ର । ବ୍ରହ୍ମା ଏମାନଙ୍କୁ ତିଆରି କଲାବେଳେ ରହସ୍ୟମୟ ଅଂଶଟାକୁ ଟିକିଏ ଅଧିକ ପରିମାଣରେ ମିଶାଇ ଦେଲା ।

 

ଚପଳା ପୁଣି ଏତେ ବଡ଼ ଦୁଃସାହସ କରିପାରିଲା ? କ’ଣ ହୋଇଛି ତା’ର ?

 

ଲଣ୍ଠନର ସ୍ତିମୀତ ଆଲୋକରେ ତା’ର ଶୁଖିଲା ମୁହଁଟି ଦେଖାଯାଉଛି । ଫାଶପକା ଚଢ଼େଇ ପରି ବିନୀତ ଆଖି ଦୁଇଟାରେ କେତେ ମିନତି ! କିଛିକ୍ଷଣ ଅପେକ୍ଷା କରି ସେ ଭୋଟ ଗ୍ରହଣ କରାଯାଉଥିବା ଅବରୁଦ୍ଧ ଘର ପାଖକୁ ଫେରି ଆସିଥିଲା ।

 

ତା’ ଆଖିରେ ସଜାଗ ଚାହାଣୀ ! କି କଥା ଶୁଣିବାକୁ ସେ ଏତେ ଉଦ୍‌ବିଗ୍ନା ?

 

ବୋଧହୁଏ ବନଲତା ଦାସ ଅଛି କି ନାହିଁ ଦେଖି ନେଉଛି । ବନଲତା ମୁହଁର କଥା ଶୁଣିବାକୁ ଖୁବ୍‌ଆଗ୍ରହୀ । ସେ ଜାଣିବାକୁ ଚାହେଁ, ବନଲତା ଦାସ ସଙ୍ଗେ ଏହି ଅଚିହ୍ନା ଅତିଥିମାନେ କି କଥା ହେଉଛନ୍ତି । ବନଲତା ଦାସ ସଙ୍ଗେ ଏହି ଅଚିହ୍ନା ଅତିଥିମାନେ କି କଥା ହେଉଛନ୍ତି । ବନଲତା ସେମାନଙ୍କ କଥାର ଉତ୍ତର ଦେଲାବେଳେ ହସୁଛି କି ନାହିଁ । ‘ଚପଳା’ ତରୁଣୀ ମନର ସ୍ୱାଭାବିକ ଦୁର୍ବଳତାର ଶିକାର ହୋଇଛି । ଏତେ ସୁନ୍ଦର ଝିଅ ପୁଣି ଏତେ ମାରାତ୍ମକ ଭାବରେ ସନ୍ଦେହୀ ହୋଇ ପାରିଲା ? କାହାପାଖରୁ ଏ ହୀନମାନିଆ କଥାତକ ଶିକ୍ଷା କଲା ?

 

ମହାପାତ୍ର ଓ ମିଶ୍ରବାବୁ ଚପଳାର ଆଗମନପ୍ରତି ସଚେଷ୍ଟ ହୋଇ ଗଲେଣି । ଚପା, ଚପା କଣ୍ଠରେ ସେମାନେ ତା ବିଷୟରେ ଆଲୋଚନା କରୁଛନ୍ତି ।

 

କୃଷ୍ଣପ୍ରସାଦର ଏଇ ସୁନ୍ଦରୀ ଝିଅଟି ଶେଷରେ ସେମାନଙ୍କ ପ୍ରେମର ପ୍ରତିଉତ୍ତର ଦେଲା-। ଏତେ ରାତିରେ ସେମାନଙ୍କ ଖବର ବୁଝିବାକୁ ଶୋଇଲା ଶେଯରୁ ଉଠି ଆସିଛି-। ରାତ୍ରିର ନିଶୂନ, ନିର୍ଜନ ନିସ୍ତବ୍‌ଧକୁ ମାନି ନାହିଁ ।

ଚପଳାର ପ୍ରତିଉତ୍ତରଟା କେତେ ପ୍ରାଣପୂର୍ଣ୍ଣ ।

ଚପଳା ତା’ର ନିର୍ବାଳ ଆଖିରେ ବସାଘର ଆଡ଼କୁ ଅନାଇଛି । ସ୍ଥିର, ଚକିତ ଡୋଳା ଦୁଇଟି କହୁଛି, ତୁମେ ସବୁ ଏଡ଼େ ନିଷ୍ଠୁର ? ଦୁଇଦିନ ପାଇଁ ଆସି ଗୋଟିଏ ସରଳା ବାଳିକାର ନିସ୍ତରଙ୍ଗ ମନ–ସମୁଦ୍ରର ବିଚ୍ୟୁତିର ଝଡ଼ ବୁହାଇ ଦେଲ । କାହିଁକି ଏତେ ମାୟା, ମମତାର ଭାରା ଦେଲ ? ସେ ସବୁ ଯେ ସମ୍ଭାଳି ପାରୁ ନାହିଁ । ସକାଳ ପାହିଲେ ତୁମେ ସବୁ ଚାଲିଯିବ । ଏ ବସାଘରେ ତୁମର ସେହି ହସ ଖୁସିର ଆଳାପ ଆଲୋଚନା ଶୁଭିବ ନାହିଁ । କିନ୍ତୁ ତୁମେ ସବୁ ଚିରଦିନ ପାଇଁ ମତେ ଛାତି ଭିତରେ ଅଲିଭା ସ୍ମୃତି ହୋଇ ବସି ରହିବ ।

ଚପଳା ପ୍ରତି ଅଶୋକ ପାତ୍ରର ସହାନୁଭୂତି ହେଲା । ଆହା, ସରଳା ବାଳିକାଟି କେତେ ସୁନ୍ଦର ଭାବରେ ଚଳିଯାଉଥିଲା । ତା’ ନିଜ ପ୍ରତି, ନିଜର ଯୌବନ ପ୍ରତି କେବେ ହେଲେ ସଜାଗ ହୋଇ ନାହିଁ । କିନ୍ତୁ ଏହି ଦିନ ଦୁଇଟାରେ ଅନେକ ବଦଳି ଗଲା । ସେ ଆପେ, ଆପେ ବୁଝିନେଲା, ହସଖୁସିର ଦିନ ଆଉ ନାହିଁ । ପିଲାଦିନର ବେପରୁଆ ଭାବ ଚଳିବ ନାହିଁ । ହେହ ଭିତରେ ଏମିତି କିଛି ରହି ଯାଇଛି, ଯାହାକୁ ଦେଖି ଅଜଣା ଅତିଥି ମୋହାଚ୍ଛନ୍ନ ହୋଇ ଯାଉଛି । ଓସାରିଆ ଆଖିଟାମାନ ପଲକ ଭିତରେ ସମୁଦାୟ ଶରୀରକୁ ଗ୍ରାସ କରି ନେଉଛି ।

ଦେହ ସମ୍ଭାଳି ଚାଲିବାକୁ ହେବ । ସ୍ଥାନ ଦେଖି ହସିବାକୁ ହେବ ।

ବାଦଲ ଭିତରୁ ବାହାରି ଆସି ରୂପେଲେରୀ ଚନ୍ଦ୍ରଟା ମେଲା ଆକାଶରେ ଛିଡ଼ା ହେଲା । ସେ ବି କଣ ଚପଳା ପ୍ରତି ଆଗ୍ରହୀ ହୋଇ ଉଠିଛି ? ହୋଇଥିବ ! ରୂପକୁ କାହାର ଲୋଭ ନାହିଁ ଯେ-?

‘ଚପଳା’ ଚନ୍ଦ୍ରକିରଣ ଦେଖି ଚମକି ପଡ଼ିଲା ।

ଚନ୍ଦ୍ରକିରଣ ଭିତରେ ଚପଳାକୁ ଦେଖି ମହାପାତ୍ରବାବୁ ଚପଲ ପିନ୍ଧିଲେ । ଆସ୍ତେ, ଆସ୍ତେ ଆବାଜ ନ କରି ବସା ବାହାରକୁ ଯିବାକୁ ସେ ଉପକ୍ରମ କରୁଛନ୍ତି ।

ଚପଳା ଏକମୁହାଁ ହୋଇ ତା’ ଘର ଆଡ଼କୁ ମୁହାଁଇଲା । ସେ ଚାଲୁ ନାହିଁ ଯେ ଧାଉଁଛି ।

ମହାପାତ୍ର ବାବୁ ପୁଣି ଥରେ ଫେରି ଆସିଲେ ।

ବସାଘରେ ନିଶୂନ ନୀରବତା ରାଜତ୍ୱ କରିବାକୁ ଲାଗିଲା ।

ସମଗ୍ର ପାରିକୁଦଟା ଶୋଇଗଲା । ରୂପସୀ ଚିଲିକାର ହୃଦୟ ଶୋଇ ପଡ଼ିଲା ।

ଅଶୋକ ପାତ୍ରର ଚିନ୍ତା–ବିବ୍ରତ ଉଜାଗର ଆଖିରେ ବି ନିଦ ଭରିଛି । ଅନ୍ୟମନସ୍କ ମିଶ୍ରବାବୁ ଶୋଇ, ଶୋଇ ହସୁଛନ୍ତି । ଆଉ ମହାପାତ୍ର ବାବୁ ? ତାଙ୍କ ଆଖିରେ ଅଚିନ୍ତା ନିଦ । ଶୋଇବାବେଳ ହେଲେ ଯେମିତି ସହି ପାରନ୍ତି ନାହିଁ, ଖାଇବା ବେଳ ଗଡ଼ିଗଲେ ଥୟଧରି ରହି ପାରନ୍ତି ନାହିଁ । ତାଙ୍କର କଥାବାର୍ତ୍ତାଗୁଡ଼ିକ ଦାୟିତ୍ୱହୀନ ହୋଇପଡ଼େ । ଟିକିଏ କଥାରେ ବ୍ୟସ୍ତ ଓ ବିଚଳିତ ହୋଇ ଉଠନ୍ତି ।

ବସାଘରର ଝରକା କଡ଼କୁ ଅଧା ‘ମାର୍ଗୋ ସାବୁନ’ ଖଣ୍ଡକ ଖୋଲା ଅବସ୍ଥାରେ ରହିଛି । ‘ଜବାକୁସୁମ’ର ହୁଗୁଳା ଠିପିକୁ ଭେଦ କରି ହାଲୁକା ଗନ୍ଧ ଝରି ଆସୁଛି । କାହାର ବଗିଚାରୁ ଅଧାଫୁଟା ମଲ୍ଲୀଫୁଲର ମହୁଆ ସୁବାସ ରାତିର ଓଜନିଆ ପବନରେ ଭାସି ବୁଲୁଛି ।

 

ରୂପସୀ-ଚିଲିକା ନୀଳ-କବରୀକୁ ଦରମୁକୁଳା କରି ଶୋଇଥିବ । ନିଦରୁ ଉଠି ବେଳେ ବେଳେ ଚକିତ ଜ୍ୟୋତ୍ସ୍ନା ସଙ୍ଗେ ମଧୁର ଆଳାପ କରୁଥିବ । ବାଲୁକା କଡ଼ର ଭୟାଳୁ ମାଛତକ ଏଇନେ ନିର୍ଭୟରେ ହାବୁକାମାରି ଖେଳୁଥିବେ । ଚନ୍ଦ୍ରକିରଣରେ ନାତିପ୍ରସ୍ଥ ଦେହଟିମାନ କାଶତଣ୍ଡି ଫୁଲପରି ଝଟକି ଉଠୁଥିବ ।

 

କାଳିଜାଈ ଠାକୁରାଣୀ ଏଇନେ ପାରିକୁଦ ପରିକ୍ରମାରେ ବାହାରିବେ । କୃଷ୍ଣପ୍ରସାଦର ଧର୍ମଶାଳା ପାଖରେ କନକ ଦୁର୍ଗା ଅପେକ୍ଷା କରିଥିବେ । କାଳିଜାଈ ଓ କନକ ଦୁର୍ଗା ହାତ ଧରାଧରି ହୋଇ ବୁଲିବେ । ସଲିଳ ସମାଧିପରେ ତରା ଓ ନୀଳପଦ୍ମ ହୋଇ ଯାଇଥିବା ଚିଲିକା ଅଞ୍ଚଳର ସ୍ତ୍ରୀ ପୁରୁଷ ଦେବୀ ଦର୍ଶନ ପାଇଁ ପୃଥିବୀର ଅତି ନିକଟକୁ ଚାଲି ଆସିଥିବେ । ଦର୍ଶନ ସାରି ଭାଲେରୀ ଆର ପଟେ ଅସ୍ତଯିବେ ।

 

ଏହି ସମୟରେ କାଳିଜାଈ ଗଣ୍ଡ ବିପଦ ସଙ୍କୁଳ ହେବ ନାହିଁ କି ଚିଲିକାର ଅଦିନିଆ ଝଡ଼ ବୋହିବ ନାହିଁ ।

 

ନିସ୍ତରଙ୍ଗ ଚିଲିକା ଓ ଚିରସୁନ୍ଦର ପାରିକୁଦ ନିଜକୁ ଅପୂର୍ବ ବେଶରେ ସଜାଇଥିବେ । ମନେହେବ, ଚିଲିକାର ନୀଳସରୋବର ମଝିରେ ପାରିକୁଦର ବିଭିନ୍ନ ଉପଦ୍ୱୀପ ଗୋଟିଏ ଗୋଟିଏ ସ୍ଥିର ପଦ୍ମ ପତ୍ର । ଦ୍ୱୀପ–ପର୍ବତ କାଳିଜାଈ ଇତ୍ୟାଦି ପାହାଡ଼ଟିମାନ ନୀଳ ସରୋବରର ଅର୍ଦ୍ଧ ପ୍ରସ୍ଫୁଟିତ ପଦ୍ମ–କଳିକା । ସେହି କଳିକାର ମୁଦ୍ରା ପାଖୁଡ଼ା ଭିତରେ ଏ ସୃଷ୍ଟିର ସହସ୍ର ବିସ୍ମୟ ଜମା ହୋଇଛି ଅକ୍ଷର ପରାଗର ପ୍ରତିଟି ଜଣା ଶତାଧିକ ରହସ୍ୟକୁ ଘୋଡ଼ାଇ ରଖିଛି ।

 

ସୁନା ଜରିଲଗା ନୀଳମେଘୀ ପାଟ ପିନ୍ଧି ଚିଲକା କୁମାରୀ ହସୁଥିବ; ତୃପ୍ତି ଓ ସନ୍ତୋଷର ହସ ।

 

କ୍ଷୀଣଜୀବୀ କୀଟପତଙ୍ଗମାନେ ସେମାନଙ୍କ ଜୀବନ ମୃତ୍ୟୁକୁ ଏକ ସଙ୍ଗରେ ଅନୁଭବ କରୁ କରୁ ଦେବତା ପାଖରେ ଅଳି କରୁଥିବେ, ଆମକୁ ଆର ଜନ୍ମରେ ଗଛଲତା କର ପଛକେ ପାରିକୁଦରେ ଜନ୍ମ ଦିଅ । ଯଦି ଆମ ତପସ୍ୟାରେ କିଛି ବ୍ୟତିକ୍ରମ ଦେଖି ଘାସ ଗଛଟିଏ କରିବାକୁ ଇଚ୍ଛା ଥାଏ, ତାହାହେଲେ କୃଷ୍ଣପ୍ରସାଦ ଓ ଇପିଙ୍ଗର ଦୋ’ଛକି ସଡ଼କରେ ସେଇଆ କରି ଜନ୍ମଦିଅ । ଆମ ପିଠିରେ ଦେବପ୍ରତୀମ ପାରିକୁଦର ଜନତା ଥରଟିଏ ଯଦି ଚାଲିଯାନ୍ତି, ତେବେ ହୀନ ଜନ୍ମରୁ ପରିତ୍ରାଣ ଲାଭକରିବୁ । ସେମାନଙ୍କର ପଦପୀଡ଼ନରେ ଆମେ ଫୁଲହୀନା ହେବୁ ପଛକେ ପାରିକୁଦ ପାଇଁ ଆମ ଅଦମ୍ୟ ଆକର୍ଷଣ ରହିଛି । ସେ ଆକର୍ଷଣକୁ ହତ୍ୟା କଲେ ତୁମର ଅମଙ୍ଗଳ ହେବ ।

 

ବନଲତା ଦାସର ନିଦ୍ରାବିଭୋଗର ସର୍ପିତ-କେଶ-ଫାଶ ଅଳ୍ପ ଶିଥିଳ ହୋଇ ଯାଇଥିବ । ତାର ସଂଜ୍ଞାହୀନ ଦେହରେ ରାତ୍ରିର ନିବିଡ଼ ନିର୍ଜନତା ମୋହାଚ୍ଛନ୍ନ ହୋଇ ଅଟକି ଯାଇଥିବ ।

 

ଚପଳା ଯଦି ସାଦା କବରୀରେ କନିଅର ଫୁଲ ଖଞ୍ଜିଥାଏ, ସେ ଫୁଲ କବରୀର ଭାର ସହି ନପାରି ମଉଳି ଯାଇଥିବ । ଅବଚେତନ ମନଟି ତାର ଦୁଇଦିନିଆ ଅତିଥିଙ୍କ ସାନ୍ନିଧ୍ୟ ଲାଭକରି ତୃପ୍ତ ଥିବ । ତାର ଇଷତ୍‌ଲାଲ ଓଠ ଦୁଇଟି ସ୍ୱପ୍ନର ମନ୍ଦିରା ପିଇ ଶିଉଳୀଫୁଲ ପରି ଥରୁଥିବ । ଯଦି ନିଦ ଭାଙ୍ଗୁ ଭାଙ୍ଗୁ ସକାଳ ଅଳ୍ପ ଡେରି ହୁଏ, ଦେଖିବ, ଚପଳପ୍ରାଣ ଯୁବକ ଦୁଇଟି ବସାଘର ଛାଡ଼ି ଚାଲି ଯାଇଛନ୍ତି । ଦୁଇଦିନପାଇଁ ଆସି ତାର ସରଳ ମନ ଭିତରେ ପ୍ରଣୟର ଯେଉଁ ଆଦିମ ରଙ୍ଗ ବୋଳି ଯାଇଥିଲେ, ସେମାନେ ଆଉ ନାହାନ୍ତି । ପାରିକୁଦର ସ୍ୱଭାବସୁଲଭ ସୌନ୍ଦର୍ଯ୍ୟ ଭିତରେ ନିଜକୁ ବୁଡ଼ାଇ ଦେଇ ଅତୀତର କେଇଟି ପ୍ରଣୟ-ମଧୁର ସ୍ମୃତିକୁ ସେ ଭୁଲିଯିବ ।

 

ମାୟାଧର ଓ କାନୁନ୍‌ଗୋ ବାବୁ ବି ଶୋଇଥିବେ ।

 

ମାୟାଧର ବାବୁ ପାରିକୁଦ ମାଟିର ସନ୍ତାନ । ଏଇ ମାଟିର ସବୁ ସମସ୍ୟା ସଙ୍ଗେ ସେ ସୁପରିଚିତ । ପାରିକୁଦର ଅଭାବ, ଅନାଟନକୁ ଅଙ୍ଗେ ଲିଭାଇଛନ୍ତି । ମେଲେରିଆ, ବସନ୍ତ, ହଇଜା, ଅପାଳକ, ଦୁର୍ଭିକ୍ଷ ଭିତରେ ବଢ଼ି ମଣିଷ ହୋଇଛନ୍ତି । ଚିଲିକାର ନୀଳ–ମେଘୀ–ପାଟ କି ନଳବଣର ବେତସପୁଞ୍ଜ ତାଙ୍କ ଆଖିରେ କୌତୁହଳ ସୃଷ୍ଟି କରେନାହିଁ । ଆକାଶର ଲୋଭିଲା ଚନ୍ଦ୍ର, ଲୋହିତ ସୂର୍ଯ୍ୟ ସବୁ ପୁରୁଣା । ସେ ହୁଏତ ଶୋଇ ଶୋଇ ସ୍ୱପ୍ନ ଦେଖୁଥିବେ ପଡ଼ୋଶୀର ଅଭାବ ଅନଟନ ଭିତରେ ନିଜର କର୍ତ୍ତବ୍ୟ କଥା । ପାରିକୁଦ ତାଙ୍କର ଜନ୍ମଭୂମି । ତାରି ମଙ୍ଗଳ ପାଇଁ ତାଙ୍କର ଯଥେଷ୍ଟ ତ୍ୟାଗ କରିବାର ରହିଛି ।

 

କିନ୍ତୁ କାନୁନ୍‌ଗୋବାବୁ ବଦଳି ଆବେଶର ସ୍ୱପ୍ନ ଦେଖୁଥିବେ । କଟକର ସୌଖିନ ଦୃଶ୍ୟ ସବୁ ଆଖି ଆଗରେ ଭାସି ଚାଲୁଥିବ । ପାରିକୁଦ ଓ କଟକର ଯାହାକିଛି ସୁନ୍ଦର, ସେ ଉଭୟରୁ ମିଶାମିଶି କରି ଶୋଇବା ଅବସ୍ଥାରେ ଉପଭୋଗ କରୁଥିବେ । ଚିଲିକାର ସୌନ୍ଦର୍ଯ୍ୟକୁ ସେ ପଢ଼ିପାରିଲେ ନାହିଁ । ପାରିକୁଦର ବୈଚିତ୍ର୍ୟକୁ ଉପଭୋଗ କରି ପାରିଲେ ନାହିଁ । ପାରିକୁଦର ପ୍ରତିଟି ଧୂଳିକଣାରେ ପ୍ରକୃତିର ଯେଉଁ ବିସ୍ମୟପୂର୍ଣ୍ଣ ବିକାଶ ରହିଛି, ତାକୁ ନିଜର କରିନେବାର ଆଗ୍ରହ ନାହିଁ । ସେ ଭାବନ୍ତି ପାରିକୁଦ ରହଣିଟା ନିର୍ବାସନ ଦଣ୍ଡ ସଙ୍ଗେ ସମାନ । ଚତୁଃପାର୍ଶ୍ୱର ନୟନାଭିରାମ ପ୍ରକୃତି ଭିତରେ ବି ସେ ନିଃସଙ୍ଗ, ନିର୍ବକଳ୍ପ । ପଶୁପକ୍ଷୀ କଥା ପଡ଼ିଲେ ସେ ଶିକାର କଥା କହନ୍ତି । ସଂଧ୍ୟାକାଳୀନଚିଲିକା ଉର୍ମୀର ସଙ୍ଗୀତ ଛାଡ଼ି ରେଡ଼ିଓର ସିଲୋନ୍‌ସେଣ୍ଟରୁ ଖୋଜନ୍ତି । ନିଜକୁ ସଭ୍ୟତାର ନବୀନତମ ବିଳାସ ପାଖକୁ ପାଖେଇ ଆଣି ଭାବନ୍ତି ଏହାହିଁ ସୁଖୀ ମଣିଷର ବିଳାସ । ଏହାହିଁ ମଣିଷର କଳ୍ପିତ ପ୍ରାପ୍ତି । ଚିଲିକା ଆପଣାର ରୂପଶ୍ରୀ ନେଇ ପାଖେଇ ରହେ । ପୁନେଇର ବିପୁଳ ଜ୍ୟୋତ୍ସ୍ନା ନିଜ ପରିସର ଭିତରେ ହସି ଖେଳି ବିଦାୟ ନିଏ । କାନୁନ୍‌ଗୋ ବାବୁ ନିଜ ଭାବନାରେ ଲିପ୍ତରହି ସବୁକଥା ଭୁଲିଯାଆାନ୍ତି ।

 

ପାରିକୁଦର ନିବିଡ଼ ରାତ୍ରି କାହାକୁ ହେଲେ ପାତର ଅନ୍ତର କରନ୍ତି ନାହିଁ । ସମସ୍ତଙ୍କୁ ସେ ନିଦ ଦେଇଛି, ସମସ୍ତଙ୍କୁ ବିଶ୍ରାମ ଦେଇଛି । ସମସ୍ତେ ତା’ ଆଖିରେ ସମାନ । କାହାକୁ ଆଗ କି କାହାକୁ ପଛ କରନ୍ତା ?

 

ସ୍ୱପ୍ନ ସରିଗଲା—ସକାଳ ପାହିଗଲା ।

 

ପିନ୍‌–ପାତଳ ସୁନାଜରି ପାଟ ପିନ୍ଧି ପାରିକୁଦ ମୁରୁକି ମୁରୁକି ହସୁଛି । ସେ ହସଟା କି ପ୍ରାଣମୟ ! ସେ ଯେ ଚିଲିକା ହୃଦୟର ହସ !

 

ଶଗଡ଼ିଆର ପ୍ରଥମ ଡାକରେ ଅଶୋକପାତ୍ରର ଛାଇନିଦଟା ଭାଙ୍ଗିଗଲା । ମିଶ୍ର ଓ ମହାପାତ୍ରବାବୁ ଅଳସେଇ, ଅଳସେଇ ଶେଯ ଛାଡ଼ୁନାହାନ୍ତି ।

 

କୁମାରୀ-ଚିଲିକା ରକ୍ତଲାଲ କୁଙ୍କୁମ ଟୀକାଟିଏ ଲଗାଇଛି । ଏ ଟୀକା ତା’ ମୁହଁକୁ ଖୁବ୍‌ ସୁନ୍ଦର ମନାଉଛି ।

 

ଅଶୋକ ପାତ୍ର ଜୀବନରେ ଅନେକ ସକାଳ ଦେଖିଛି । କିନ୍ତୁ ଏଭଳି ସୁନ୍ଦର ସକାଳ ଏଇ ପ୍ରଥମକରି ଦେଖିଲା । ସକାଳୁଆ ସୂର୍ଯ୍ୟଟା ସବୁଦିନ ଏମିତି ଦେଖାଯାଏ ନାହିଁ । ଗୋଟିଏ ଯୁଗରେ ଦିନଟିଏ ସେ ମନଲାଖି ବେଶ ହୁଏ । ଅନେକଦିନର ଅପେକ୍ଷା ପରେ ଅଶୋକପାତ୍ର ପାରିକୁଦରେ ସେହି ଲାବଣ୍ୟଭରା ସକାଳ ଓ ପ୍ରାଣମୟ ସୂର୍ଯ୍ୟଙ୍କୁ ଆବିଷ୍କାର କରିଛି ।

 

ପୋଖରୀ ହୁଡ଼ା ଉପରେ ଚପଳା ମୁହଁ ଶୁଖାଇ ଛିଡ଼ା ହୋଇଛି । ଡୋଳା ଦୁଇଟିରେ ଅନେକ ଭାବ, ଅନେକ ଭାଷା । ସେ କିଛି କହିବାକୁ ଚାହେଁ, ଅଥଚ କହି ପାରୁନି । ନିର୍ବାକ ଡୋଳା ଦୁଇଟି ଅଶୋକ ପାତ୍ର ଉପରେ ସ୍ଥିର ହୋଇଛି । ଏଇ ବିଦାୟୀ ବେଳଟାରେ ସେ କିଛି କହିବାକୁ ଚାହେଁ ।

 

କଣ କହିବ ଏ ଝିଅଟି ?

 

ଅଶୋକ ପାତ୍ର ଅନ୍ୟମନସ୍କ ଭାବରେ ଝିଅଟି ଆଡ଼କୁ ଚାଲିଗଲା । ଅନ୍ୟସମୟ ହୋଇଥିଲେ ପଥ ବଣା–ମୃଗିଣୀ ପରି ସେ ଇତଃସ୍ତତ ହୋଇ ଧାଇଁଥାନ୍ତା । ଆଖି ପଲକରେ ବିଜୁଳୀଗାର ପରି ଅଦୃଶ୍ୟ ହୋଇ ଯାଇଥାନ୍ତା । କିନ୍ତୁ ଏଇନେ ଇଚ୍ଛାକରି ଛିଡ଼ା ହୋଇଛି । ପାଷାଣ ପ୍ରତିମା ପରି ସେ ସ୍ଥିର, ଅଚଞ୍ଚଳ ।

 

ଅଶୋକ ପାତ୍ର ତାରି ପାଖରେ କରି ଛିଡ଼ାହୋଇ ଚାହିଁଲା । ତାରୁଣ୍ୟର ଏତେ ବିକାଶ ଅନ୍ୟ କୌଣସି ତରୁଣୀ ଦେହରେ ଦେଖିବାର ମନେ ପଡ଼ୁନାହିଁ । ତରୁଣୀତ ନୁହେଁ, ଲାବଣ୍ୟର କଳସୀଟିଏ । ଦେହରେ ପୁଣି ଏତେ ରକ୍ତ, ଏତେ ମାଂସ ଥାଇପାରେ ? ଯୁବକ ଆଖିରେ ଯାହା କିଛି ରୋମାଞ୍ଚକର, ଯାହାକିଛି ଲୋଭନୀୟ ସବୁତକ ଅକ୍ଷତ ଭାବରେ ଏଇ ଗୋଟିଏ ଦେହରେ ବାଟ ଭୁଲି ଅଟକି ଯାଇଛି । ପାରିକୁଦର ସବୁ ସୌନ୍ଦର୍ଯ୍ୟ ରୂପ ପାଇ ଛିଡ଼ା ହୋଇଛି ।

 

ତରୁଣୀଟି ଯଦି ଏଇନେ ମୁହୂର୍ତ୍ତକ ପାଇଁ ହସନ୍ତା, ସେ ଆହୁରି କେତେ ଚମତ୍କାର ଦେଖାଯାଆନ୍ତା ନାହିଁ ! ତାର ସଜଳ ଆଖି ଡୋଳାରେ କେତେ ଦୁଃଖ, କେତେ ବିସ !

 

‘କିଛି କହିବ ?’ ଅଶୋକ ପାତ୍ର ସବୁ ସାହସକୁ ଏକତ୍ରିତ କରି ପ୍ରଶ୍ନ କଲା ।

 

ଝିଅଟିର ମୁହଁରୁ ସବୁତକ ଭାଷା କିଏ ଯେମିତି ଛଡ଼ାଇ ନେଇଛି ।

 

‘ସମୟ ଯେ ଏଇ ଶେଷ ହେଲା ଚପଳା ! କିନ୍ତୁ କୁହ !!’

 

‘ମୋ ନାଁ ଚପଳା ନୁହେ ।’ ତରୁଣୀଟି ଉତ୍ତର ଦେଲା । କି ସୁନ୍ଦର କଣ୍ଠ ପାଇଛି ! ବୀଣାର ଲଘୁ ତାରଟିକୁ କିଏ ଯେମିତି ପରୀକ୍ଷା କରୁକରୁ ଟିପ ମାରିଲା । କଥା ନୁହେ, ଗୀତ ପଦେ-

‘ଆଉ କଣ ‘ଚମ୍ପା’ ?’

 

‘ନାଁ, ସେ ବି ନୁହେଁ !’ ତରୁଣୀଟି ଉତ୍ତର ଦେଲା ।

 

‘ନାଁଟା ଅନ୍ତତଃ କହିଥାଅ !’

 

‘କଣ କରିବ ?’

 

‘ସବୁ ଦିନକୁ ମନେରଖିବି ।’

 

‘ଭୁଲିଯିବ ! ତରୁଣୀର କଣ୍ଠରେ କେତେ କାରୁଣ୍ୟ !

 

‘ଭୁଲି ହେବନି’ । ପାରିକୁଦ ଭିତରେ ତୁମେବି ମନେପଡ଼ିବ ।

 

‘କାହିଁକି ?’

 

‘ତୁମରି ଭିତରେ ପାରିକୁଦକୁ ମୁଁ ଆବିଷ୍କାର କରିଛି ।’

 

ସେ ଦୁହିଙ୍କ ସାମନାରେ କରି ସାନ ଅଁଳାର ସେଇ ବଡ଼ ଝିଅଟି ଚାଲି ଯାଉଥିଲା । ତାକୁ ପଛକୁ କରି ଡାକି, ଶୁଣାଇଲା ପରି କହିଲା, ‘ସେ ମୋ ନାଁ କହିବ । ହେଲାତ ? ମୁଁ ଏଥର ଯାଏଁ ।’

 

ସେଇ ଝିଅଟି ଚାଲିଗଲା । ‘ସାନ ଅଁଳା’ର ବଡ଼ ଝିଅଟିକି ଅପେକ୍ଷା କରିନାହିଁ । ଚିଲିକା ପଟେ ସେ ମୁହାଁଇଛି ।

 

‘ପାତ୍ର ବାବୁ ନମସ୍କାର !’ ବୀରେନ୍ଦ୍ର କାନୁନ୍‌ଗୋ କାନ୍ଧରେ ବନ୍ଧୁକ ପକାଇ ଆସିଛନ୍ତି । ହୁଏତ ନିଦଟା ଆଜି ଖୁବ୍‌ ଚଞ୍ଚଳ ଭାଙ୍ଗି ଯାଇଛି ।

 

‘କଣ ହେଲା ?’ କାନୁନ୍‌ଗୋ ବାବୁ ଆକ୍ଷେପ କରି କହୁଛନ୍ତି ।

 

‘କେଉଁ କଥା ?’ ଅଶୋକ ପାତ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

‘କିଛି କହିବା, କିଛି ଶୁଣିବା । ପୁଣି ଏଇ ବିଦାୟୀ ଲଗ୍ନରେ ମନେରଖିଲା ପରି କିଛି କରିଯିବ । ବୁଝିଲେ ନାହିଁ ? ମୁଁ ସେଇ ଝିଅଟି ସମ୍ବନ୍ଧରେ ପଚାରୁଥିଲି !’

 

‘ଆପଣ ସେ ଝିଅକୁ ଚିହ୍ନିଛନ୍ତି ?’

 

‘ଆବଶ୍ୟକ ପଡ଼ିନାହିଁ ।’ କାନୁନ୍‌ଗୋ ବାବୁଙ୍କ କଣ୍ଠ ଭାବ ବ୍ୟଞ୍ଜଳ ହୋଇ ଉଠିଛି । ଗୋଟିଏ ତରୁଣୀ ଝିଅ ସଙ୍ଗରେ ଅଶୋକ ପାତ୍ର ପରି ସୌନ୍ଦର୍ଯ୍ୟଗ୍ରାହୀ ତରୁଣର ସକାଳୁ, ସକାଳୁ ଆଉ କି କାମ ଥାଇପାରେ ? ସେ ସନ୍ଦେହୀ ହୋଇ ଉଠିଛନ୍ତି ।

 

‘ସମସ୍ତେ ସମସ୍ତଙ୍କର ଆବଶ୍ୟକ ଆଉ ଅନାବଶ୍ୟକ ଉଭୟ । ଆବଶ୍ୟକତା ଉପଲବ୍‌ଧି କଲେ ଅନାବଶ୍ୟକ ଲୋକ ହଠାତ୍‌ ଅପରିହାର୍ଯ୍ୟ ହୋଇପଡ଼େ । ଏଇ ପାରିକୁଦରେ ଏତେଦିନ ରହି ବି ଆପଣ ଏହାର ନୈସର୍ଗିକ ପ୍ରକୃତିକୁ ଆପଣାର କରିପାରିଲେ ନାହିଁ । ଏତେ ସୁନ୍ଦର ଲୋକଙ୍କ ଗହନରେ ଥାଉଁ ଥାଉଁ, ନିଜକୁ ନିଃସଙ୍ଗ, ନିଃସହାୟ ମନେକଲେ । କିନ୍ତୁ ମୋର ଶେଷ ଅନୁରୋଧ କାନୁନ୍‌ଗୋ ବାବୁ, ଏଇ ଝିଅଟିକୁ ଭୁଲ ବୁଝିବେ ନାହିଁ । ତାକୁ ଚିହ୍ନିବାକୁ ଚେଷ୍ଟା କରିବେ । ଚିହ୍ନିଲା ପରେ ଆପଣଙ୍କୁ ପାରିକୁଦ ସୁନ୍ଦର ଲାଗିବ । ପାରିକୁଦର ଲୋକବାଳ ବି ଚମତ୍କାର ମନେହେବେ । ଦୁଇଦିନର ରହଣି ଭିତରେ ଆପଣଙ୍କ ଆତିଥ୍ୟ ଓ ସୌଜନ୍ୟତା ମୋତେ ମୁଗ୍‌ଧ କରିଛି । ମୋର ଏହି ଶେଷ ଅନୁରୋଧକୁ ବିନା ପରୀକ୍ଷାରେ ପ୍ରତ୍ୟାଖାନ କରିଦେବେ ନାହିଁ ।’

 

ବୀରେନ୍ଦ୍ର କାନୁନ୍‌ଗୋ ସେହି ତରୁଣୀର ଫେରିଯାଇଥିବା ରାସ୍ତାକୁ କିଛିକ୍ଷଣ ପାଇଁ ଚାହିଁଲେ । ତାଙ୍କର ବିସ୍ମୟଭରା ଢଳଢ଼ଳ ଡୋଳା ଦୁଇଟି ସତେ ଅବା ତାର ଅନୁଗମନ କରୁଥିଲା । ସେ ଅଶୋକ ପାତ୍ରର କୌଣସି କଥାରେ ପ୍ରତିବାଦ କଲେ ନାହିଁ ।

 

ମାୟାଧର ବାବୁଙ୍କ ସଙ୍ଗରେ କେଇଜଣ ଗ୍ରାମବାସୀ ମଧ୍ୟ ଆସିଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ସାଙ୍ଗରେ ପ୍ରଥମ ଦିନ ସନ୍ଧ୍ୟାରେ ଦେଖା ହୋଇଥିଲା । ସେମାନେ ରାତିଅଧ ପର୍ଯ୍ୟନ୍ତ ସେଦିନ ବିଭିନ୍ନ ଆଲୋଚନାରେ ସହଯୋଗ କରିଥିଲେ । ଅଶୋକ ପାତ୍ର ସେ ସମସ୍ତଙ୍କୁ ହସି ହସି ନମସ୍କାର କଲା ।

 

‘ପୁଣିଥରେ ଆସିବେ ବାବୁ ! ଆସନ୍ତା ନିର୍ବାଚନ ବେଳେ ଆମରି ଗାଁକୁ ଆଉଥରେ ଆସିବେ ।’ ଜଣେ କିଏ ଅନୁରୋଧ କଲା ।

 

ଅଶୋକ ପାତ୍ର ଉତ୍ତର ଦେଇ ନ ପାରି ସଜଳ ଆଖିରେ ସେମାନଙ୍କୁ ଅନାଇଁ ରହିଥିଲେ-। ଦୁଇଦିନ ଭିତରେ କେତେ ମମତା ଲଗାଇ ଦେଲେ ନାହିଁ ! ଏମିତି ଲୋକ ଜୀବନରେ କ୍ୱଚିତ୍‌ ଦେଖାଯାନ୍ତି । ଆସନ୍ତା ନିର୍ବାଚନରେ ସେ କେଉଁଠି ଥିବ ତାର କିଛି ଠିକଣା ଅଛି ? ସରକାରୀ ଚାକିରିଆଙ୍କ ଜୀବନରେ ସ୍ଥିରତା କାହିଁ ? ତଥାପି ସେ କଥା କହି ସରଳ ପ୍ରାଣ ଗ୍ରାମବାସୀଙ୍କୁ ଆଘାତ କରିବାକୁ ଅଶୋକ ପାତ୍ର ଇଚ୍ଛା କଲାନାହିଁ ।

 

‘ଏ ବର୍ଷ ସେ ନିଶ୍ଚୟ ଆସିବେ ।’ କାନୁନ୍‌ଗୋ ବାବୁ ଉତ୍ତର ଦେଲେ ।

‘ଏଇ ବର୍ଷ ?’ ମାୟାଧର ବାବୁଙ୍କ ମନ ଭିତରେ ସନ୍ଦେହ ମିଶିଛି ।

‘ମୁଁ ତାଙ୍କୁ ନେଇ ଆସିବି । ଯେଉଁଠି ଥିଲେ ବି ଡାକି ଆଣିବି । ଖାଲି ବିବାହ ଲଗ୍ନଟା ସ୍ଥିର ହୋଇଯାଉ ।’ କାନୁନ୍‌ଗୋ ବାବୁ ହଠାତ୍‌ ଯେମିତି ଗୋଟିଏ ସିଦ୍ଧାନ୍ତରେ ଉପନୀତ ହୋଇ ପଡ଼ିଛନ୍ତି ।

‘ବାବୁ ତମେ ପାରିକୁଦରେ ବାହା କରିବଟି ? ବାଲୁଗାଁରୁ ବାଜା ଆଣିବା । ରମ୍ଭାରୁ ଗୋଟିପୁଅ ଆଣିବା । ସେ ଭାର ମୋ ଉପରେ ରହିଲା ।’ ଜଣେ କିଏ ଉଚ୍ଛ୍ୱସିତ କଣ୍ଠରେ ପ୍ରସ୍ତାବ ଦେଲେ ।

‘ଏଇ ଲୋକଟି ସହିତ ବୀରେନ୍ଦ୍ର ବାବୁଙ୍କର ଅନେକ ଦିନରୁ ଅପଡ଼ ଥିଲା । କି ଯୋଗରେ ସକାଳ ପାହିଥିଲା କେଜାଣି, ବରଷକ ପରେ ସେ ଉପରେ ପଡ଼ି କଥା କହିଛି । ଏଥର ସଞ୍ଜ ମଜଲିସ୍‌ଟା ଖୁବ୍‌ ଜମିବ । ମାୟାଧର ବାବୁ ଅଶୋକ ପାତ୍ରର କାନ ପାଖରେ ଶୁଣାଇ ଦେଲେ-

ପାରିକୁଦ ଆକାଶର ସକାଳ ସୂର୍ଯ୍ୟଟା ଛଳ ଛଳ ହୋଇ ହସି ଉଠିଲା ।

କୃଷ୍ଣପ୍ରସାଦର ଧର୍ମଶାଳା ଉପରୁ ଅପେକ୍ଷାମାନ ବଡ଼ ବୋଝଟିଏ ଦିଶୁଛି । ସେଇଠି ଆଉ ଦୁଇଟି ପାର୍ଟି ଅପେକ୍ଷା କରିଛନ୍ତି ।

ମଙ୍ଗ ପାଖରେ ଛିଡ଼ାହୋଇ ‘ଘୋଷାଲ୍‌ବାବୁ’ କାଳିଜାଈ ମନ୍ଦିରକୁ ଅନେଇଛନ୍ତି । ବୋଟ୍‌ ଦାୟିତ୍ୱରେ ଥିବା ଅଫିସରଙ୍କ ଅସହଯୋଗ ମନୋବୃତ୍ତି ହେତୁ ସେ କାଳିଜାଈ ଦେଖି ପାରିଲେ ନାହିଁ-। ତେଣୁ ଦୂରରୁ ଥାଇ ଟିକିଏ ଚାହିଁ ନେଉଛନ୍ତି ।

 

ମାୟାଧର ବାବୁ ବିଦାୟ ଦେଇ ଚାଲିଗଲେ । ହୁଏତ ତାଙ୍କ ସଙ୍ଗେ ନିକଟ ଭବିଷ୍ୟତ୍‌ରେ ଦେଖା ହୋଇ ପାରିବ ନାହିଁ ଅଶୋକ ପାତ୍ର ନମସ୍କାର କରି ତାଙ୍କଠାରୁ ବିଦାୟ ନେଲା । ମିଶ୍ର ଓ ମହାପାତ୍ର ବାବୁ ନିଜ ନିଜ ନୋଟ୍‌ବହିରେ ଜଣାଶୁଣା କେତୋଟି ନାଁ ଓ ଠିକଣା ଲେଖି ରଖିଲେ । ଘରକୁ ଫେରି ମନେ ପଡ଼ିଲେ ଚିଠି ଲେଖିବେ ।

 

ଘୋଷାଲ୍‌ବାବୁଙ୍କ ପୂର୍ବନିର୍ବାଚନର ତିକ୍ତ ଅନୁଭୂତି ଟିକକ ଅଛି । ଦାମୋଦର ବେହେରାକୁ ଶୀଘ୍ର ଶୀଘ୍ର ନାଆ ଚଳାଇବାକୁ ସେ ପରାମର୍ଶ ଦେଲେ । ବାଲୁଗାଁରେ ପହଞ୍ଚୁ ବସ୍‌ର ଅନୁସନ୍ଧାନ କରିବାକୁ ହେବ । ‘ନେସନାଲ୍‌‌ ହାଇଉଏ’ ରାସ୍ତା ପର୍ଯ୍ୟନ୍ତ ମନ୍ଦ ନୁହେ । କିନ୍ତୁ ସେଇଠୁ ଜଟଣୀ ଖୋର୍ଦ୍ଧା ଦେଇ ପିପିଲି ପହୁଞ୍ଚିବା ମହାକଷ୍ଟ । ଧୂଳିରେ ଦେହ ପୋତି ହୋଇ ଯାଇଥିବ । ପୁରୀ ପହୁଞ୍ଚିଲା ବେଳକୁ ପିଣ୍ଡରେ ପ୍ରାଣ ରହିବ କି ନାହିଁ ସନ୍ଦେହ ।

 

ବୋଟ୍‌ଭିତରେ ବସି ଅକ୍ଷାତ କଳାକାରଟିଏ ମନ ଆନନ୍ଦରେ ଗୀତ ଗାଉଥାନ୍ତି । ତାଳ, ଲୟ ପ୍ରତି ଧ୍ୟାନ ରଖିବା ସଙ୍ଗେ ସଙ୍ଗେ ରିଙ୍ଗ୍‌ବନ୍ଧ ତଳେ ବସିଥିବା କଳା ହଂସକୁ ନଜର ରଖିଥାନ୍ତି । ସୁବିଧା ପାଇଲେ ଯେ କୌଣସି ପ୍ରକାରେ ତାକୁ ହତ୍ୟା କରନ୍ତେ । ଘୋଷାଲ୍‌ବାବୁଙ୍କର ଉପଦେଶ ତାଙ୍କ ପ୍ରତି ଅସହ୍ୟ ବୋଧହେଲା । ବିନାକାରଣରେ ଅନାବଶ୍ୟକ ମନ୍ତବ୍ୟ ଗୁଡ଼ିଏ ବାଢ଼ିଲେ ।

 

ସମସ୍ତେ ଅନୁମାନ କଲେ, କଳିଲାଗିବା ବୋଧହୁଏ ତାଙ୍କର ପିଲାଦିନର ଅଭ୍ୟାସ । ଏତେ ଶୀଘ୍ର ସେ ଅଭ୍ୟାସକୁ କଣ ଭୁଲି ହୁଏ ? ଅଥଚ ଦେଖିବାକୁ ଲୋକଟା କି ନିରୀହ ଜଣାପଡ଼ୁଛି ! ଆଖିର କଜଳ ଗାରକ ସଙ୍ଗରେ ଯିଏ ତାଙ୍କର ସଙ୍ଗୀତ ଆବୃତ୍ତି ଦେଖିବ, କିଏ ବୁଝିବ ସେ ଏତେ ଗୁଡ଼ିଏ କଳିକରି ପାରନ୍ତି ବୋଲି !!

 

‘ସାନ ଅଁଳା’ର ସେହି ବୟସୀ ଝିଅଟା ଅଣ୍ଟାଏ ପାଣିରେ ଛିଡ଼ା ହୋଇଛି । ଆସିଲାବେଳେ ପ୍ରଥମେ ଅଶୋକ ପାତ୍ରର ଏଇ ଝିଅଟି ସାଥିରେ ଦେଖା ହୋଇଥିଲା ।

 

ଏଇନେ କଣ ତାକୁ ସେହି ‘ଚପଳା’ କିମ୍ବା ‘ଚମ୍ପା’ ନାମ୍ନୀ ଝିଅକଥା ପଚାରି ହେବ ?

 

ତରୁଣୀର ବେକ ପର୍ଯ୍ୟନ୍ତ ଚିଲିକା ପାଣି ଲାଗିଛି । ଓଦା ଶାଢ଼ିର ଆଢ଼ୁଆଳରେ ତାର ପୂରିଲା ଛାତିଟା ରୂପ ଓ ବୟସର କଥା କହୁଛି । ତରୁଣୀଟିର ଆଖିର ଚାହାଣୀଟି କେତେ ମଧୁର, ପୁଣି କେତେ ପ୍ରଶାନ୍ତ ! ତା’ ଓଠରୁ ଅନୁରାଗର ଲୋହିତ ଭାଷା ଝରି ପଡ଼ୁଛି ।

 

ଦାମୋଦର ବେହେରା କାଚ ଉଠାଇ ନାଆ ବାହିବା ଆରମ୍ଭ କଲା ! ଆଉ ସେ ଝିଅଟି ମଙ୍ଗ ପାଖକୁ ଘୁଞ୍ଚିଆସି ହାତ ବଢ଼ାଇ ନାଆକୁ ଆସ୍ତେ ଠେଲିଦେଲା ।

 

ସେଇ ଝିଅଟିକି ମହାପାତ୍ର ବାବୁ ଏକାଗ୍ର ଦୃଷ୍ଟିରେ ଅନେଇ ରହିଥିଲେ । ତା’ ଦେହ ଭିତରେ ଆଖି ଦୁଇଟିକି ଜଡ଼ାଇ ଦେଇଥିଲେ ଯେମିତି । ନାଆ ଚାଲିଲାବେଳେ ତାଙ୍କ ପାଟିରୁ ଦି’ଧାର ପାନପିକ ଚିଲିକା ଦେହରେ ପଡ଼ି ବିଲୀନ ହୋଇଗଲା । ସତେ ଯେମିତି ତାଙ୍କ ମନର ସବୁତକ ଅପରିପୂର୍ଣ୍ଣ ତୃଷ୍ଣା ଲାଲ ପାନପିକ ସଙ୍ଗରେ ଝରି ପଡ଼ିଲା ।

 

‘ସାନ ଅଁଳା’ର ସେହି ଅପରିଚିତା ରୂପସୀଟି ବିଦାୟୀ ନାହାଟିକୁ ଚାହିଁ ରହିଥାଏ । ଏ ନାହାଟି ସବୁଦିନ କୃଷ୍ଣପ୍ରସାଦ ତୁଠରେ ଥିଲେ, ଏମିତି ଅକ୍ଳାନ୍ତ ଭାବରେ ଚାହିଁଥାନ୍ତା । ତା’ ଆଖିରେ ମୋହାବିଷ୍ଟ ପକ୍ଷୀର ଚାହାଣୀଥିଲା ।

 

ଅଶୋକ ପାତ୍ର ବି ଅପଲକ ନେତ୍ରରେ ଏଇ ଝିଅଟି ଆଡ଼କୁ ଅନାଇଁ ଥାଏ । ଜଳପକ୍ଷୀ କେଇଟି ତାକୁ ବେଢ଼ିଯାଇ ଇତଃସ୍ତତ କରି ପକାଉଥିଲେ । ଏରା ଦମ୍ପତ୍ତି ଅଦୂର ରିଙ୍ଗବନ୍ଧ ଉପରେ ବସି ତାରି ଉଦ୍ଦେଶ୍ୟରେ ହାକ ଛାଡ଼ୁଥିଲେ । ଶେଷକୁ ଚାହାପକ୍ଷୀଗୁଡ଼ିଏ ଆସି କାନ୍ଧରେ ମୁଣ୍ଡରେ ବସି ତାର ଧ୍ୟାନ ଭାଙ୍ଗିବାକୁ ଚେଷ୍ଟା କଲେ । କିନ୍ତୁ ସେ ଝିଅର ଖୋଜିଲା ଆଖି ଦୁଇଟି ଏଇ ବିଦାୟୀ ଲୋକଙ୍କ ମଧ୍ୟରୁ ଜଣକ ମନ ଭିତରେ ହଜି ଯାଇଥାଏ ।

 

ଅଶୋକ ପାତ୍ରର ମନେ ହେଲା, ନୀଳ ହ୍ରଦ ଆତ୍ମପ୍ରକାଶ କରିଥିଲା । ସେହି ଅପରିଚିତାର ଦେହ କାନନରେ । ଆଉ ତାର ସଜଳ ଆଖି ଦୁଇଟିରେ ନୀଳ–ହ୍ରଦର ହୃଦୟ କଥା ଥିଲା ।

 

ଅଶୋକ ପାତ୍ର ହାତ ଟେକି ତାକୁ ନମସ୍କାର ହେଲା ।

 

ସେହି ଝିଅଟି ସଙ୍ଗରେ ପୁଣି ଥରେ କଣ ଦେଖା ହେବନି ?

 

ଖବର କାଗଜରେ ବାହାରିଥିଲା, କିମ୍ବଦନ୍ତୀ ଭରା ମାମୁଁ ଭଣଜା ପାହାଡ଼କୁ ‘ମୁରୁମ୍‌’ ପାଇଁ ଭାଙ୍ଗି ଦିଆଯାଉଛି । ମାମୁଁ ଆଉ ଛିଡ଼ିବ ନାହିଁକି ଭଣଜା ଆଉ ବଢ଼ିପାରିବ ନାହିଁ । ଏଥର ବର୍ଷା ରାତିରେ ମାମୁଁ ପାଖରେ ଭଣଜା ଥିଲେ ବିଜୁଳି ମାରିବା ଭୟ କଟିଯିବ । ସତେ କଣ କାଳିଜାଈ ଖ୍ୟାତ ମାମୁଁ ଭଣଜା ପାହାଡ଼ ଏଥର ଆଉ ଆଖିରେ ପଡ଼ିବେ ନାହି ?

 

କଣ ହେଉଛି ଦେଖା ଯାଉ !

 

ଅଶୋକ ପାତ୍ର ମୁଦା ଲପାଫା ଉପରେ ତର ତର କରି ବନଲତା ଦାସର ଠିକଣା ଲେଖିଦେଲା ।

 

ଚିଠିର ପ୍ରତିଉତ୍ତରଟା କଣ ସପ୍ତାହକ ଭିତରେ ଫେରିବ ନାହିଁ ??

Image